Advertisment

ଅତିକ ଅହମଦ: ୧୮ ବର୍ଷ ବୟସରେ ପ୍ରଥମ ହତ୍ୟା ଓ ୫ଥରର ବିଧାୟକ

ହତ୍ୟା ଓ ଅପହରଣ ଭଳି ୧୦୦ରୁ ଅଧିକ ମାମଲା ତାଙ୍କ ନାଁରେ ଥିଲା। ନିକଟରେ ଉମେଶ ପାଲ ଅପହରଣ ମାମଲାରେ ତାଙ୍କୁ ଆଜୀନବ ଜେଲଦଣ୍ଡ ମିଳିଥିଲା।

author-image
Hemant Lenka
Atiq Ahmed

Atiq Ahmed

ମାଫିଆରୁ ରାଜନେତା ବନିଥିବା ଅତିକ ଅହମଦଙ୍କ ଖେଳ ଖତମ ହୋଇଛି। ପୁଲିସ୍‌ ଭ୍ୟାନରୁ ଓହ୍ଲାଇବାର ୪୦ ସେକେଣ୍ଡ ପରେ ତାଙ୍କୁ ୩ ଜଣ ଯୁବକ ପଏଣ୍ଟ ବ୍ଲାଙ୍କରୁ ଗୁଳି କରି ହତ୍ୟା କରିଛନ୍ତି। ଗୁଳିମାଡ଼ରେ ତାଙ୍କ ଭାଇ ଅଶରଫ ମଧ୍ୟ ପ୍ରାଣ ହରାଇଛନ୍ତି। କ୍ୟାମେରା ସାମ୍ନାକରେ ଏହି ହତ୍ୟାକାଣ୍ତ ଉତ୍ତର ପ୍ରଦେଶର ଠାରୁ ଆରମ୍ଭ କରି ପୂରା ଦେଶରେ ହଇଚଇ ସୃଷ୍ଟି କରିଛି।

Advertisment

 ଅପରାଧ ଜଗତ ସହ ଅତିଙ୍କ ଲିଙ୍କ ଥିଲେ ମଧ୍ୟ ସେ ଜଣେ ରାଜନେତା ଭାବେ ମଧ୍ୟ ବେଶ ପରିଚିତ ଥିଲେ। ଉତ୍ତର ପ୍ରଦେଶ ବିଶେଷ କରି ପୂର୍ବ ଭାଗରେ ତାଙ୍କର ବେଶ ଦବଦବା ରହିଥିଲା। ସେ ଜେଲରେ ରହିଥିଲେ ହେଁ ତାଙ୍କ ସାମ୍ରାଜ୍ୟ ପୂର୍ବବତ ସକ୍ରିୟ ରହିଥିଲା।

ହତ୍ୟା ଓ ଅପହରଣ ଭଳି ୧୦୦ରୁ ଅଧିକ ମାମଲା ତାଙ୍କ ନାଁରେ ଥିଲା। ନିକଟରେ ଉମେଶ ପାଲ ଅପହରଣ ମାମଲାରେ ତାଙ୍କୁ ଆଜୀନବ ଜେଲଦଣ୍ଡ ମିଳିଥିଲା। ଅପରାଧ ଜଗତର ବେତାଜ ବାଦଶାହ ଭାବେ ପରିଚିତ ଅହମଦ ୫ ଥର ବିଧାନସଭା ଓ ସମାଜବାଦୀ ପାର୍ଟିରୁ ଥରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Advertisment

୬୨ ବର୍ଷୀୟ ଅତିକଙ୍କ ନାଁରେ ପ୍ରଥମ ଅପରାଧିକ ମାମଲା ୪୪ ବର୍ଷ ତଳେ ଅର୍ଥାତ ୧୯୭୯ରେ ରୁଜୁ ହୋଇଥିଲା। ବୟସ ୧୮ ହୋଇଥିବା ବେଳେ ତାଙ୍କ ନାଁରେ ରୁଜୁ ହୋଇଥିଲା ହତ୍ୟା ମାମଲା। ୯୦ ଦଶକ ଓ ୨୦୦ ମସିହାର ପ୍ରଥମ ଭାଗରେ ତାଙ୍କ ଦବଦବା ଅଧିକ ରହିଥିଲା। ଉତ୍ତର ପ୍ରଦେଶ ରାଜନୀତିକ ଅସ୍ଥିରତା ଓ ଏକାଧିକ ରାଷ୍ଟ୍ରପତି ଶାସନର ମୁଖସାଖୀ ବନିଥିବା ବେଳେ ଅତିକ ତାଙ୍କ ସାମ୍ରାଜ୍ୟକୁ ବିସ୍ତାର କରିବାରେ ଲାଗିଥିଲେ।

ପ୍ରୟାଗରାଜରେ ଲୁଟ,ବଟି ଆଦାୟକ ଓ ଜମି ଜବରଦଖଲ କରିବା କାମ କରୁଥିବା ଗ୍ୟାଙ୍ଗର ବସ୍‌ ବନି ଯାଇଥିଲେ ଅତିକ। ପୂର୍ବ ୟୁପିରେ ଅତିକଙ୍କ ଆତଙ୍କରାଜ ଚାଲିଥିଲା। ନିଜର ଗୁଣ୍ଡାଗର୍ଦ୍ଦି ଜରିଆରେ ପରିଚୟ ସୃଷ୍ଟି କରିଥିବା ଅତିକ ସେହି ସମୟରେ ରାଜନୀତିରେ ପ୍ରବେଶ କରିଥିଲେ।

୧୯୮୯ରେ ସେ ଆହ୍ଲାବାଦ ପଶ୍ଚିମ ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଜିତିଥିଲେ। ପରବର୍ତ୍ତୀ ଅବସ୍ଥାରେ ସମାଜବାଦୀ ପାର୍ଟି ଓ ଆପନା ଦଳ ପକ୍ଷରୁ ସେ ୪ଥର ଏହି ଆସନରୁ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ସେ ଫୁଲପୁର ଲୋକସଭା ଆସନରୁ ସପା ଟିକେଟରେ ନିର୍ବାଚନ ଲଢ଼ି ବିଜୟୀ ମଧ୍ୟ ହୋଇଥିଲା।

୨୦୦୫ରେ ଅତିକ ଅହମଦ ତତ୍କାଳୀନ ବିଏସପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡରେ ଛନ୍ଦି ହୋଇଯାଇଥିଲେ। ତାଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ପୁଲିସ୍‌ ଦର୍ଶାଇଥିଲା। ୨୦୦୬ରେ ରାଜୁ ପାଲ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ରାଜୁ ପାଲଙ୍କ ଅପହରଣ ମାମଲା ତାଙ୍କ ନାଁରେ ଯୋଡ଼ି ହୋଇଥିଲା।

ଏହାର ୨ ବର୍ଷ ପରେ ଅର୍ଥାତ ୨୦୦୮ରେ ଅତିକ ଉତ୍ତର ପ୍ରଦେଶ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଥିଲେ ଓ ସମାଜବାଦୀ ପାର୍ଟି ତାଙ୍କୁ ଦଳରୁ ବହିଷ୍କୃତ କରିଥିଲା। ଜାମିନରେ ମୁକୁଳିବା ପରେ ଅତିକ ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିଲେ। କିନ୍ତୁ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

୨୦୧୭ରେ ଗୋଟିଏ ମାରପିଟ ଘଟଣାରେ ଅତିକ ଗିରଫ ହୋଇଥିଲେ। ଗିରଫ ପରେ ତାଙ୍କୁ ଜେଲରେ ରହିବାକୁ ପଡ଼ିଥିଲା। ଜେଲରେ ରହି ମଧ୍ୟ ସେ ଗୋଟିଏ ଅପହରଣ ଘଟଣାକୁ କାର୍ଯ୍ୟକାରୀ କରିଥିବାରୁ ୨୦୧୯ରେ ସୁପ୍ରିମକୋର୍ଟ ତାଙ୍କୁ ଗୁଜରାଟର ସାବରମତୀ ଜେଲକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ସେ ଜେଲରେ ରହି ନିଜ ସାମ୍ରାଜ୍ୟ କଥା ବୁଝୁଥିଲେ।

ଅତିକ ନାଁରେ ୧୦୦ଟି ଏଫଆଇଆର ରୁଜୁ ହୋଇଥିବା ବେଳେ ୫୪ଟି ମାମଲାର ଟ୍ରାଏଲ ଚାଲିଥିଲା। ତେବେ ସବୁ ମାମଲାର ସାକ୍ଷୀମାନେ ମୁହଁ ବନ୍ଦ କରି ଦେଉଥିବାରୁ ଅତିକର ବିଚାର ପ୍ରଭାବିତ ହେଉଥିଲା।

ଅହମଦଙ୍କ ଗ୍ୟାଙ୍ଗରେ ୧୪୪ ଜଣ ସଦସ୍ୟ ରହିଥିଲେ। ସେହିପରି ଅତିକର ମାମଲା ଶୁଣାଣି କରିବାକୁ ହାଇକୋର୍ଟର ୧୦ ଜଣ ଜଜ୍‌ ମଧ୍ୟ ନିଜ ଆଡ଼ୁ ଓହରି ଯାଇଥିଲେ।

ଅତିକର ସମ୍ପତ୍ତି ମଧ୍ୟ ସମସ୍ତଙ୍କୁ ଚକିତ କରିଛି। ତାଙ୍କ ନାଁରେ ମୋଟ ୧୧ ହଜାର କୋଟି ଟଙ୍କାର ସମ୍ପତ୍ତି ରହିଥିଲା। ହେଲେ ଶନିବାର ପୁଲିସ୍‌ ଗାଡ଼ିରୁ ଓହ୍ଲାଇବାରୁ ୪୦ ସେକେଣ୍ଡ ମଧ୍ୟରେ ୩ ଜଣ ଯୁବକ ଆଖିବୁଜା ଗୁଳିମାଡ଼ କରି ଅତିକ ସାମ୍ରାଜ୍ୟରେ ସବୁଦିପ ପାଇଁ ପୂର୍ଣ୍ଣଚ୍ଛେଦ ଟାଣି ଦେଇଛନ୍ତି।

Uttar Pradesh Atiq Ahmed