Advertisment

ଅତିକ ଓ ଅଶରଫଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ସଂପର୍କରେ ପୁଲିସର ସୂଚନା, ସମସ୍ତେ ଅଭ୍ୟାସଗତ ଅପରାଧୀ

କିଏ ଜେଲରୁ ଫେରିଛି ତ କିଏ ହତ୍ୟା ମାମଲାରେ ଫସିଛି। ଜଣଙ୍କ ନାଁରେ ୧୪ଟି ମାମଲା ରହିଛି।

author-image
Jitendra Garnayak
Accused

Accused

ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ଅହମଦଙ୍କୁ ହତ୍ୟା କରିଥିବା ୩ ଯୁବକଙ୍କ ସଂପର୍କରେ ସୂଚନା ଦେଇଛି ଉତ୍ତର ପ୍ରଦେଶର ପ୍ରୟାଗରାଜ ପୁଲିସ।

Advertisment

ଗିରଫ ହୋଇଥିବା ଏହି ୩ ଯୁବକ ହେଉଛନ୍ତି- ଲବଲେଶ ତିୱାରୀ, ସନ୍ନି ସିଂହ ଓ ଅରୁଣ ମୌର୍ଯ୍ୟ। ସେମାନଙ୍କ ନାଁରେ ପୂର୍ବରୁ ମଧ୍ୟ ଅପରାଧିକ ମାମଲା ରହିଛି। ଲବଲେଶ ପୂର୍ବରୁ ଜେଲ ଯାଇ ସାରିଛି। ସନ୍ନି ନାଁରେ ୧୪ଟି ମାମଲା ରହିଛି। ସେ ଫେରାର ଥିଲା। ସେହିପରି ଅରୁଣ ମୌର୍ଯ୍ୟ ଜଣେ ପୁଲିସ୍ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଅଭିଯୋଗ ରହିଛି। ୨୦୧୦ରେ ଏକ ଟ୍ରେନ୍‌ରେ ଏହି ଘଟଣା ଘଟିଥିଲା।

ଅପରାଧ ପୃଷ୍ଠଭୂମି ସହିତ ଏହି ତିନି ଜଣଙ୍କ ମଧ୍ୟରେ ଆଉ ଏକ ସାମଞ୍ଜସ୍ୟ ରହିଛି। ସୂଚନା ଅନୁଯାୟୀ, ପରିବାର ସହିତ ଏମାନଙ୍କର ଏକ ପ୍ରକାର ସଂପର୍କ ନଥିଲା କହିଲେ ଚଳେ।

Advertisment

ଲବଲେଶର ଘର ଉତ୍ତର ପ୍ରଦେଶର ବାନ୍ଦାରେ। ସେ କେବେ କେମିତି ଘରକୁ ଯାଏ। ଶେଷ ଥର ପାଇଁ ପ୍ରାୟ ସପ୍ତାହେ ତଳେ ସେ ଘରକୁ ଯାଇଥିଲା। ତା’ ବାପା ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସେ ଘରେ ରହେ ନାହିଁ। ପରିବାରର କୌଣସି କଥାରେ ସେ ମୁଣ୍ଡ ପୂରାଏ ନାହିଁ। ସେ ଆମକୁ କିଛି କୁହେ ନାହିଁ। ବେଶ୍ କିଛି ବର୍ଷ ହେଲାଣି ଆମେ ତା’ ସହିତ ଭଲ ଭାବେ କଥା ମଧ୍ୟ ହୋଇନାହୁଁ। ଶେଷ ଥର ପାଇଁ ୫/୬ ଦିନ ତଳେ ଘରକୁ ଆସିଥିଲା। ତା’ ନାଁରେ ପୂର୍ବରୁ ବି ଥାନାରେ ମାମଲା ରହିଛି। ସେହି ମାମଲାରେ ସେ ଜେଲ ଯାଇଥିଲା। ସେ କିଛି କାମ ଧନ୍ଦା କରେ ନାହିଁ। ନିଶା ସେବନ କରେ। ଏବେ ଯେଉଁ ଘଟଣା ଘଟିଯାଇଛି, ସେଥିରେ ଆମର କିଛି ସଂପୃକ୍ତି ନାହିଁ।

ଅନ୍ୟତମ ଅଭିଯୁକ୍ତ ସନ୍ନିର ବାପା ନାହାନ୍ତି। ତା’ର ମା ଓ ଭାଇ ଅଛନ୍ତି। କିନ୍ତୁ ୫ ବର୍ଷରୁ ଅଧିକ ସମୟ ହେଲାଣି ସେ ଘରକୁ ଯାଇନି କି ମା’ ଓ ଭାଇଙ୍କୁ ଦେଖା କରିନି। ସନ୍ନି ପୈତୃକ ସଂପତ୍ତିରୁ ତା’ ଭାଗକୁ ବିକ୍ରି କରି ଘର ଛାଡ଼ି ଦେଇଛି।

ସନ୍ନିର ଭାଇ ପିଣ୍ଟୁ ସିଂହ କହିଛନ୍ତି, ମୁଁ ଜାଣିବାରେ ସେ କାମଧନ୍ଦା କିଛି କରେ ନାହିଁ। ଏଣେତେଣେ ବୁଲାବୁଲି କରେ। ଆମେ ଅଲଗା ଅଲଗା ରହୁ। ସେ କେମିତି ଅପରାଧୀ ହୋଇଗଲା ମୁଁ ଜାଣିନି। ଏବେ ଯେଉଁ ଘଟଣା ଘଟିଗଲା ସେ ବିଷୟରେ ଆମକୁ କିଛି ଜଣାନାହିଁ।

ସୂଚନାଯୋଗ୍ୟ, ସନ୍ନିର ଭାଇ ପିଣ୍ଟୁ ସିଂହ ଏକ ଚା’ ଦୋକାନ କରି ପରିବାର ଚଳାଉଛନ୍ତି।

ସେହିଭଳି ତୃତୀୟ ଅଭିଯୁକ୍ତ ଅରୁଣ ଛୁଆ ବେଳୁ ଘର ଛାଡ଼ି ପଳାଇ ଆସିଥିଲା। ସେ ଦିଲ୍ଲୀରେ ଏକ ଫ୍ୟାକ୍ଟ୍ରିରେ କାମ କରୁଥିଲା। ତା’ର ବି ଘର ଲୋକଙ୍କ ସହିତ କୌଣସି ସଂପର୍କ ନାହିଁ।

ପଚରାଉଚରା ବେଳେ ଏହି ତିନି ଅଭିଯୁକ୍ତ ପୁଲିସକୁ କହିଛନ୍ତି ଯେ ସେମାନେ ଦୁର୍ଦ୍ଦାନ୍ତ ଅପରାଧୀ ହେବାକୁ ଚାହୁଁଥିଲେ। ତେଣୁ ଅତିକ ଅହମଦ ଓ ତାଙ୍କ ଭାଇଙ୍କୁ ହତ୍ୟା କଲେ। ତେବେ ପୁଲିସ ସେମାନଙ୍କ ବୟାନକୁ ବିଶ୍ୱାସକୁ ନେଇ ନାହିଁ। ସେମାନଙ୍କୁ ଅଧିକ ପଚରାଉଚରା କରାଯାଉଛି। ସେମାନଙ୍କ କଥାବାର୍ତ୍ତାରେ ତାଳମେଳ ରହୁ ନାହିଁ।

ଏହି ଘଟଣା ପରେ ଉତ୍ତର ପ୍ରଦେଶ ପୁଲିସ୍‌କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ପୁଲିସ୍ ହେପାଜତରେ ଥିବା ଦୁଇ ଅପରାଧୀଙ୍କୁ କେମିତି ଗୁଳି କରି ହତ୍ୟା କରାଗଲା, ସେ ନେଇ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି। ଗତକାଲିର ଏହି ଘଟଣା ନେଇ ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ଗୃହମନ୍ତ୍ରଣାଳୟକୁ ଏକ ରିପୋର୍ଟ ଦେଇଥିବା ବେଳେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବି ନିର୍ଦ୍ଦେଶ ଦେଇଛନ୍ତି।

Atiq Ahmed