/odisha-reporter/media/post_attachments/uploadimage/library/16_9/16_9_0/Atishi_1688106727.jpg)
Atishi
ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ ଜେଲ ଯିବା ପରେ ମନ୍ତ୍ରୀ ପଦ ପାଇଥିବା ଆପ୍ର ବରିଷ୍ଠ ନେତ୍ରୀ ଆତିଶୀଙ୍କୁ ଦିଲ୍ଲୀ ସରକାରରେ ଆଉ ୩ ବିଭାଗର ଅତିରିକ୍ତ ଦାୟିତ୍ୱ ମିଳିଛି।
ଅର୍ଥ, ଯୋଜନା ଓ ରାଜସ୍ୱ ବିଭାଗର ମନ୍ତ୍ରୀ ଭାବେ ସେ ଦାୟିତ୍ୱ ପାଇଛନ୍ତି। ପୂର୍ବରୁ ଏହି ୩ ବିଭାଗ ଦାୟିତ୍ୱ କୈଳାସ ଗେହଲଟଙ୍କ ପାଖରେ ଥିଲା। କିନ୍ତୁ ଆଜି ଆତିଶୀଙ୍କୁ ଏହି ବିଭାଗ ଗୁଡ଼ିକର ଅତିରିକ୍ତ ଦାୟିତ୍ୱ ହସ୍ତାନ୍ତର କରାଯାଇଛି।
ଏହାକୁ ମିଶାଇ ଆତିଶୀ ଏକାକୀ ଦିଲ୍ଲୀ ସରକାରଙ୍କ ୧୦ ବିଭାଗର ମନ୍ତ୍ରୀ ହୋଇଛନ୍ତି। ପୂର୍ବରୁ ତାଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ବିଜୁଳି, ଶିକ୍ଷା, କଳା, ସଂସ୍କୃତି ଓ ଭାଷା, ପର୍ଯ୍ୟଟନ, ଉଚ୍ଚ ଶିକ୍ଷା, ତାଲିମ ଓ ବୈଷୟିକ ଶିକ୍ଷା ଏବଂ ପବ୍ଲିକ ରିଲେସନ ବିଭାଗ ଥିଲା। ଏବେ ଏଥିରେ ଆଉ ୩ଟି ବଡ଼ ବିଭାଗକୁ ସାମିଲ କରାଯାଇଛି।
ମନୀଷ ସିସୋଦିଆ ଗିରଫ ହେବା ପୂର୍ବରୁ ଏହି ସବୁ ବିଭାଗଗୁଡ଼ିକର ଦାୟିତ୍ୱରେ ଥିଲେ। ତେବେ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସିବିଆଇ ଓ ଇଡି ତାଙ୍କୁ ଗିରଫ କରିବା ପରେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ସେହିପରି ସତ୍ୟେନ୍ଦ୍ର ଜୈନ ମଧ୍ୟ ଇଡି ଦ୍ୱାରା ଗିରଫ ହୋଇ ଜେଲରେ ଅଛନ୍ତି। ଆପ୍ର ଏହି ଦୁଇ ବରିଷ୍ଠ ନେତାଙ୍କ ବଦଳରେ ଆତିଶୀ ଓ ସୌରଭ ଭରଦ୍ୱାଜାଙ୍କୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଥିଲେ। ମାର୍ଚ୍ଚ ମାସରେ ଉଭୟ ମନ୍ତ୍ରୀ ଭାବେ ଶପଥ ନେଇଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
