Advertisment

ଉପ-ରାଜ୍ୟପାଳ ଦେଲେ ପ୍ରସ୍ତାବ, ୨୧ରେ ଶପଥ ନେଇପାରନ୍ତି ଆତିଶୀ

ଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରିବାକୁ ଆତିଶୀ ଉପ-ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ।

author-image
Jitendra Garnayak
Atishi

Atishi

ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବେ ସେପ୍ଟେମ୍ବର ୨୧ ତାରିଖରେ ଶପଥ ନେଇପାରନ୍ତି ଆପ୍ ବିଧାୟକ ଦଳ ନେତା ଆତିଶୀ (ଆତିଶୀ ମାର୍ଲେନ ସିଂହ)। କାରଣ ଦିଲ୍ଲୀ ଉପ-ରାଜ୍ୟପାଳ ଭିକେ ସକ୍ସେନା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ପଠାଇଥିବା ଚିଠିରେ ଆତିଶୀଙ୍କ ଶପଥ ଗ୍ରହଣ ପାଇଁ ଏହି ତାରିଖ ପ୍ରସ୍ତାବ ଦେଇଛନ୍ତି।

Advertisment

ଗତକାଲି ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଦେଇଥିଲେ। ସେହିଭଳି ତାଙ୍କ ସହିତ ଉପ-ରାଜ୍ୟପାଳଙ୍କୁ ଭେଟିବାକୁ ଯାଇଥିବା ଆତିଶୀ ନୂଆ ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ।

ଅରବିନ୍ଦ କେଜ୍ରିୱାଲ ତାଙ୍କ ଇସ୍ତଫାପତ୍ର ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ପରିବର୍ତ୍ତେ ରାଷ୍ଟ୍ରପତିଙ୍କୁ ସମ୍ବୋଧିତ କରି ପ୍ରଦାନ କରିଥିଲେ। କେଜ୍ରିୱାଲ ସେଥିରେ ଲେଖିଥିଲେ ଯେ ସେ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଇସ୍ତଫା ଦେଉଛନ୍ତି। ଏହାକୁ ଦୟାକରି ଗ୍ରହଣ କରାଯାଉ। ଆଉ ଏହି ଇସ୍ତଫାପତ୍ରକୁ ସେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ପ୍ରଦାନ କରିଥିଲେ। ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲଙ୍କ ଇସ୍ତଫାପତ୍ରକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି ଦିଲ୍ଲୀ ଉପ-ରାଜ୍ୟପାଳ।

Advertisment

ଆତିଶୀ ଆନୁଷ୍ଠାନିକ ଭାବେ ଦିଲ୍ଲୀ ଉପ-ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବା ପାଇଁ ଦାବି ଜଣାଇଥିଲେ ହେଁ କେଉଁ ଦିନ ଶପଥ ନେବା ପାଇଁ ଚାହୁଁଛନ୍ତି, ସେ ନେଇ କୌଣସି ତାରିଖ ଦାବିପତ୍ରରେ ଉଲ୍ଲେଖ କରି ନଥିଲେ। ଶପଥ ଗ୍ରହଣ ଉତ୍ସବ ପାଇଁ ଦିନ ଧାର୍ଯ୍ୟ କରିବାକୁ ସେ ଉପ-ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ। ଏହା ପରେ ଉପ-ରାଜ୍ୟପାଳ ସେପ୍ଟେମ୍ବର ୨୧ ତାରିଖରେ ଶପଥ ଗ୍ରହଣ ପାଇଁ ପ୍ରସ୍ତାବ ଦେଇଛନ୍ତି।

ନୂଆ ସରକାର ଗଠନ କରିବା ପାଇଁ ଗତକାଲି ଦିଲ୍ଲୀ ଉପ-ରାଜ୍ୟପାଳଙ୍କ ନିକଟରେ ଦାବି ଜଣାଇଥିବା ଆତିଶୀ ତାଙ୍କ ସହିତ କେଉଁମାନେ ମନ୍ତ୍ରୀ ଭାବେ ଶପଥ ନେବେ, ସେ ନେଇ କିଛି ଉଲ୍ଲେଖ କରି ନଥିଲେ। ସେ ଲେଖିଥିଲେ ଯେ ଶପଥ ନେବାକୁ ଥିବା ଅନ୍ୟ ମନ୍ତ୍ରୀଙ୍କ ନାଁ ସେ ପରବର୍ତ୍ତୀ ସମୟରେ ଜଣାଇବେ। ଏଥିରୁ ଜଣାପଡ଼ୁଛି ଯେ ଆତିଶୀ ଏକୁଟିଆ ଶପଥ ନେବେ। ପରବର୍ତ୍ତୀ ସମୟରେ ତାଙ୍କର ମନ୍ତ୍ରୀମାନେ ଶପଥ ନେବେ। କେଉଁମାନଙ୍କୁ ଆପ୍ ମନ୍ତ୍ରୀ କରିବ, ତାହା ସ୍ଥିର ହୋଇପାରି ନଥିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କୁହାଯାଉଛି।

AAP Atishi Delhi CM