Advertisment

ଦିଲ୍ଲୀ ମନ୍ତ୍ରୀ ଆଣିଲେ ସାଂଘାତିକ ଅଭିଯୋଗ, ନାଲି ଆଖି ଦେଖାଇଲା ଇଡି

ଆତିଶିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଧମକ ମଧ୍ୟ ଇଡି ଦେଇଛି।

author-image
Hemant Lenka
AAP

AAP

ଆପ୍‌ ନେତ୍ରୀ ତଥା ଦିଲ୍ଲୀ ସରକାରରେ ମନ୍ତ୍ରୀ ଥିବା ଆତିଶି ଆଜି ତଦନ୍ତକାରୀ ସଂସ୍ଥା ଇଡି ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଇଡି ସମସ୍ତଙ୍କ ଉପରେ ଚାପ ପକାଇବା ସହ ପ୍ରମାଣରେ ହେରଫେର କରୁଥିବା ଆତିଶି ଅଭିଯୋଗ କରିଛନ୍ତି।

Advertisment

ତେବେ ତାଙ୍କର ଏପରି ଅଭିଯୋଗକୁ ନେଇ ତାତିଛି ଇଡି। ଆତିଶିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଧମକ ମଧ୍ୟ ଇଡି ଦେଇଛି। ଆତିଶିଙ୍କ ଅଭିଯୋଗକୁ ମିଛ, ଅମୂଳକ ଓ ବିଦ୍ୱେଷପୂର୍ଣ୍ଣ ବୋଲି ଇଡି କହିଛି।

ଇଡିର ଜଣେ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଅଭିଯୁକ୍ତମାନଙ୍କର ସବୁ ବୟାନ ସିସିଟିଭି ସର୍ଭେଲାନ୍ସରେ କଏଦ ହୋଇଛି। ସେମାନଙ୍କୁ ମଧ୍ୟ ଏହାର କପି ପଠାଯାଇଛି। ଟ୍ରାଏଲ କୋର୍ଟଙ୍କୁ ଫୁଟେଜ ଦିଆଯାଇଛି।”

Advertisment

ତେବେ ଅଧିକାରୀଙ୍କ କହିବା କଥା ଯେ ଉକ୍ତ ଫୁଟେଜରେ ଅଡିଓ ନାହିଁ। କାରଣ ପୁରୁଣା ଟେକ୍ନୋଲୋଜିରେ ସବୁ କିଛି ରେକର୍ଡ ହୋଇଛି। ଅଡିଓ ରେକର୍ଡିଂ ଜେରା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। ଏହା ମଧ୍ୟରୁ କିଛି ବି ଇଡି ଅଫିସରୁ ହଟାଯାଇ ନାହିଁ ବୋଲି ସେ କହିଛନ୍ତି।

୨୦୨୩ ଅକ୍ଟୋବର ମାସରେ ହିଁ ଇଡି ଅଫିସର ସିସିଟିଭି ବ୍ୟବସ୍ଥାକୁ ଆଧୁନିକରଣ କରାଯାଇଥିଲା। ହେଲେ ତା’ ପୂର୍ବରୁ ସବୁ ପୁରୁଣା ବ୍ୟବସ୍ଥା ରହିଥିଲା।

ଅଧିକାରୀ ଜଣଙ୍କ ମନ୍ତ୍ରୀ ଆତିଶି ଓ ଆପ୍‌କୁ ଟାର୍ଗେଟ କରି କହିଛନ୍ତି, “ରାଜନେତାମାନେ ଆପଣମାନଙ୍କ ବିରୋଧରେ ଆଣିଥିବା ଅଭିଯୋଗରୁ ଧ୍ୟାନଚ୍ୟୁତ କରିବା ପାଇଁ ଆପଣ ଦୈନିକ ଅମୂଳ କଥା ସବୁ କହି ଚାଲିଛନ୍ତି। ବାରମ୍ବାର ମିଛ ଅଭିଯୋଗ ସବୁ ଆଣୁଥିବାରୁ ଆପଣଙ୍କ ବିରୋଧରେ ଇଡି ଆଇନଗତ ପଦକ୍ଷେପ ନେଇପାରେ।”

ଆଜି ଆତିଶି ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ସାକ୍ଷୀମାନଙ୍କ ଉପରେ ଇଡି ଚାପ ପକାଇ ସେମାନଙ୍କୁ ଆପ୍‌ ବିରୋଧରେ ରାଜସାକ୍ଷୀ କରୁଛି। ଏଥିସହ ବିକୃତ ପ୍ରମାଣ ସବୁ କୋର୍ଟରେ ଇଡି ଉପସ୍ଥାପନ କରୁଛି ବୋଲି ସେ କହିଥିଲେ।

ଆତିଶି କହିଛନ୍ତି, “ଜଣେ ଅଭିଯୁକ୍ତ ଆବେଦନ କରି ଜେରା ବେଳର ସିସିଟିଭି ଫୁଟେଜ ଇଡି ଠାରୁ ମାଗିଥିଲେ। କାରଣ ସେ ଜେରା ବେଳେ ଗୋଟିଏ କଥା କହିଥିବା ବେଳେ ଇଡି କୋର୍ଟରେ ଆଉ କିଛି ଉପସ୍ଥାପନ କରିଥିଲା। ତେଣୁ ସେ ସିସିଟିଭି ଫୁଟେଜ ମାଗିଥିଲେ।

କିନ୍ତୁ ଇଡି ଦେଇଥିବା ଫୁଟେଜରେ ଅଡିଓ ବ୍ୟବସ୍ଥା ହିଁ ନାହିଁ। ଦିଲ୍ଲୀ ଅବକାରୀ ନୀତି ମାମଲାର ତଦନ୍ତ ଆରମ୍ଭ କରିବା ଦିନ ଠାରୁ ଇଡି ପ୍ରତିଟି ଜେରା ସେସନ୍ସର ଅଡିଓକୁ ଡିଲିଟ କରି ଚାଲିଛି। ଏହାର ଅର୍ଥ ଯେ ଇଡି ଦେଉଥିବା ପ୍ରମାଣ ନକଲି। ଇଡି ତଦନ୍ତରେ ଘୋଟାଲା ହୋଇଛି।”

ସୁପ୍ରିମକୋର୍ଟ ସବୁ ଜେରାର ଭିଡିଓଗ୍ରାଫି କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଇଡି ଜାଣିଶୁଣି ଅଡିଓ ଡିଲିଟ କରି ଦେଇଥିବା ଆପ ଅଭିଯୋଗ କରିଛି।

Bjp AAP Delhi Liquor Policy Case