Advertisment

ପୂର୍ବରୁ ବି ଦୁଇ ଥର ହମଲା କରିଥିଲେ ପହଲଗାମ ଆକ୍ରମଣକାରୀ

ଲସ୍କର ଆତଙ୍କୀ ଆଦିଲ ହୁସେନ, ହାସିମ ମୁସା ଓ ଅଲୀ ଭାଇ ଓରଫ ତଲାହକୁ ଧରିବା ପାଇଁ ପୁରସ୍କାର ଘୋଷଣା କରାଯାଇଛି।

Pahalgam

Pahalgam

Advertisment

ଜମ୍ମୁ-କଶ୍ମୀର ପୁଲିସ୍‌ ପହଲଗାମ ହମଲା ପଛରେ ଥିବା ୩ ଲସ୍କର ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ହାସଲ କରିବା ପାଇଁ ୨୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ଘୋଷଣା କରିଛି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ହେଉଥିବା ବେଳେ ତଦନ୍ତକାରୀ ଅଧିକାରୀ ପହଲଗାମ ନରସଂହାର ଓ ଆଉ ୨ଟି ଆତଙ୍କୀ ହମଲା ମଧ୍ୟରେ କୌଣସି ଲିଙ୍କ ଅଛି କି ନାହିଁ, ତା’ର ଯାଞ୍ଚ କରୁଛନ୍ତି।

Advertisment

ଲସ୍କର ଆତଙ୍କୀ ଆଦିଲ ହୁସେନ, ହାସିମ ମୁସା ଓ ଅଲୀ ଭାଇ ଓରଫ ତଲାହକୁ ଧରିବା ପାଇଁ ପୁରସ୍କାର ଘୋଷଣା କରାଯାଇଛି। ପୁରସ୍କାରର ଘୋଷଣାର ଗୋଟିଏ ଦିନ ପରେ ଆଜି ସକାଳୁ ସୁରକ୍ଷାକର୍ମୀ ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଥିବା ଆଦିଲର ଘରକୁ ବିସ୍ଫୋରଣରେ ଉଡ଼ାଇ ଦେଇଛନ୍ତି। ସେହିପରି ପହଲଗାମ ଆତଙ୍କବାଦୀ ହମଲାରେ ସହଯୋଗ କରିଥିବା ଆସିଫ ଶେଖର ଘରକୁ ମଧ୍ୟ ଧ୍ୱଂସ କରିଛନ୍ତି ସୁରକ୍ଷାକର୍ମୀ। ତେବେ ହାସିମ ଓ ଅଲୀ ଭାଇ ହେଉଛନ୍ତି ପାକିସ୍ତାନୀ ନାଗରିକ। ସେମାନଙ୍କ ସହ ଆଦିଲ ଓ ଆସିଫ ଶେଖ ମିଳିତ ଭାବେ ପହଲଗାମ ଆକ୍ରମଣକୁ କାର୍ଯ୍ୟକାରୀ କରିଥିଲେ।

ପହଲଗାମ ହମଲା ପୂର୍ବରୁ ୨୦୨୪ ଅକ୍ଟୋବରରେ ଗାନ୍ଦେରବଲର ଗଗନଗିର ଓ ବାରମୁଲ୍ଲାର ବୁଟା ପାଥରିରେ ଆକ୍ରମଣ ହୋଇଥିଲା। ଗାନ୍ଦେରବଲରେ ହୋଇଥିବା ଆକ୍ରମଣରେ ୬ ପ୍ରବାସୀ ଶ୍ରମିକ ଓ ଜଣେ ଡାକ୍ତର ପ୍ରାଣ ହରାଇଥିଲେ। ସେହିପରି ବାରମୁଲ୍ଲା ହମଲାରେ ୨ ଜଣ ଯବାନ ଓ ୨ ଜଣ ସେନା ସହାୟକଙ୍କ ଜୀବନ ଯାଇଥିଲା। ଏହାର ଲିଙ୍କ ପହଲଗାମ ସହ ରହିଥିବା କୁହାଯାଉଛି। କାରଣ ୩ଟି ଯାକ ଆକ୍ରମଣର ଶୈଳୀ ପ୍ରାୟ ସମାନ। କଶ୍ମୀରରେ ଅଣ କଶ୍ମିରୀଙ୍କୁ ଟାର୍ଗେଟ କରି ୩ଟି ଯାକ ଆକ୍ରମଣ କରାଯାଇଥିବା ବେଳେ ପାକିସ୍ତାନୀ ଆତଙ୍କୀଙ୍କୁ ଏଥିରେ ସ୍ଥାନୀୟ ଆତଙ୍କୀମାନେ ସହଯୋଗ କରିଛନ୍ତି।

Advertisment

୩ଟି ଯାକ ଆକ୍ରମଣରେ ହାସିମ ମୁସାର ନାଁ ସାମ୍ନାକୁ ଆସିଛି। ଅରବାଜ ମିର ଓ ଜୁନେଦ ଭଟ ୨୦୨୪ ଅକ୍ଟୋବର ମାସରେ ହୋଇଥିବା ଡବଲ ଆଟାକରେ ସାମିଲ ଥିଲେ। ଏମାନଙ୍କ ଘର କୁଲଗାମରେ ହୋଇଥିବା ବେଳେ ସେମାନେ ପାକିସ୍ତାନରେ ଆତଙ୍କବାଦର ତାଲିମ ନେଇଥିଲେ। ଏମାନଙ୍କ ସହାୟତାରେ ମୁସା ଆକ୍ରମଣକୁ କାର୍ଯ୍ୟକାରୀ କରିଥିଲା। ଅରବାଜ ଓ ଜୁନେଦ ଅକ୍ଟୋବର ଓ ନଭେମ୍ବର ମାସରେ ହୋଇଥିବା ଏନକାଉଣ୍ଟରରେ ନିହତ ହୋଇଛନ୍ତି। ମୁସା ମଧ୍ୟ ସୋପର ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ହାବୁଡ଼ରେ ପଡ଼ିଥିଲା। କିନ୍ତୁ ସେ ଖସି ଯିବାକୁ ସକ୍ଷମ ହୋଇଥିଲା।

ସୂତ୍ର ଅନୁସାରେ, ଅରବାଜ ୨୦୧୮ରେ ପାକିସ୍ତାନକୁ ଯାଇଥିବା ବେଳେ ଟେରର ତାଲିମ ନେଇ ୨୦୨୨-୨୩ରେ କଶ୍ମୀରକୁ ଫେରିଥିଲା। କିନ୍ତୁ ଅକ୍ଟୋବର ମାସରେ ହୋଇଥିବା ଏନକାଉଣ୍ଟରରେ ଅରବାଜ ସହ ବିଜବେହାରାର ଆତଙ୍କୀ ଜାହିଦ ରାଶିଦ ନିହତ ହୋଇଥିଲେ। ସୁରକ୍ଷାକର୍ମୀମାନେ ସେମାନଙ୍କ ନିକଟରୁ ଗୋଟିଏ ମୋବାଇଲ ସହ ଏମ ୪ , ଏକେ ୪୭ ରାଇଫଲ, ଗ୍ରେନେଡ ଓ ଆଇଇଡି ଜବତ କରିଥିଲେ। ଜବତ ମୋବାଇଲରୁ ଜଣାପଡ଼ିଥିଲା ଯେ ଗଗନଗିର ଓ ବୁଟା ପାଥରି ଆକ୍ରମଣ ବେଳେ ଆତଙ୍କବାଦୀଙ୍କୁ ପାକିସ୍ତାନରେ ରହିଥିବା ସେମାନଙ୍କ ଆକ୍କା ସବୁ ନିର୍ଦ୍ଦେଶ ଦେଇଥିଲା।

ଏବେ ସମାନ ଷ୍ଟାଇଲରେ ପହଲଗାମରେ ଆକ୍ରମଣ କରାଯାଇଛି। ତେଣୁ ଏହା ପଛରେ ମଧ୍ୟ ପାକିସ୍ତାନରେ ଥିବା ଆତଙ୍କୀ ଆକ୍କା ମାନଙ୍କର ହାତ ଥିବା ସ୍ପଷ୍ଟ ହୋଇଛି। ଅରବାଜ ଫୋନରୁ ମିଳିଥିବା ଗୋଟିଏ ଫଟୋରୁ ୪ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ମଧ୍ୟରେ ମୁସା, ଦ୍ୱିତୀୟ ପାକିସ୍ତାନ ଆତଙ୍କୀ ଅଲୀ ତାଲହା, ଅନନ୍ତନାଗର ଆଦିଲ ରହିଛନ୍ତି। ଅବନ୍ତିପୁରାର ସ୍ଥାନୀୟ ଆତଙ୍କବାଦୀ ଆସିଫ ଶେଖ ମଧ୍ୟ ବୈସାରନ ଅଞ୍ଚଳରେ ସକ୍ରିୟ ଥିଲା। ସେ ପହଲଗାମ ଆତଙ୍କବାଦୀଙ୍କୁ ଆକ୍ରମଣରେ ସମସ୍ତ ପ୍ରକାରର ସହାୟତା କରିଥିଲା।

ପହଲଗାମ ନରସଂହାର ଘଟଣାର ବଦଲା ନେବାକୁ ଉପ ରାଜ୍ୟପାଳ ମନୋଜ ସିହ୍ନା ଯେଉଁ ଦିନ ନିର୍ଦ୍ଦେଶ ଦେଇଥିଲେ ସେହି ଦିନ ସୁରକ୍ଷାକର୍ମୀ ବିଭିନ୍ନ ତଥ୍ୟକୁ ଯାଞ୍ଚ କରିଥିଲେ। ଏତିକି ବେଳେ ଆକ୍ରମଣ ସ୍ଥଳରେ ଏପ୍ରିଲ ୨୨ରେ ପ୍ରାୟ ୨ ଲକ୍ଷ କଲ ଆସିଥିବା କିମ୍ବା ଗ୍ରହଣ କରାଯାଇଥିଲା ବୋଲି ଜଣାପଡ଼ିଛି। ସୁରକ୍ଷାକର୍ମୀମାନେ ଆଦିଲର ଜଣେ ସମ୍ପର୍କୀୟ ଓ କିଛି ଓଭର ଗ୍ରାଉଣ୍ଡ ୱାର୍କସଙ୍କୁ ଜେରା କରୁଛନ୍ତି। ସେମାନଙ୍କ ଠାରୁ ଆଦିଲ ଓ ଅନ୍ୟ ଆତଙ୍କବାଦୀଙ୍କ ସମ୍ପର୍କରେ ସୂଚନା ହାସଲ କରିବାକୁ ଉଦ୍ୟମ ଚାଲିଛି।

Terror Attack Jammu Kashmir Pahalgam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe