Advertisment

ଉପ-ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀଙ୍କୁ ଏକ କୋଟି ଲାଞ୍ଚ ଯାଚିଲେ ଡିଜାଇନର୍‌, ମାମଲା ରୁଜୁ

ଡିଜାଇନର୍‌ ଗତ ୧୬ ମାସ ହେବ ଅମୃତାଙ୍କ ସମ୍ପର୍କରେ ଥିଲେ।

author-image
Madhupriya Mistry
ଅଦ୍ୟତନ ହୋଇଛି
Amruta Fadnavis

Amruta Fadnavis

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ପତ୍ନୀ ଅମୃତା ଫଡନାଭିସଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଯାଚି ଅଡୁଆରେ ଫସିଛନ୍ତି ଡିଜାଇନର।  ମୁମ୍ବାଇର ଜଣେ ଡ୍ରେସ୍ ଡିଜାଇନରଙ୍କ ବିରୋଧରେ ଅମୃତା ଆଣିଛନ୍ତି ସାଂଘାତିକ ଅଭିଯୋଗ। ତାଙ୍କୁ ଡିଜାଇନର ଜଣକ କୁଆଡେ ଲାଞ୍ଚ ଯାଚିବା ସହ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଅମୃତାଙ୍କ ଅଭିଯୋଗ ମୁତାବକ, ମୁମ୍ବାଇର ଡିଜାଇନର୍ ଅନୀକ୍ଷା ତାଙ୍କ ପିତାଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ରଫାଦଫା କରିବା ପାଇଁ ଏକ କୋଟି ଟଙ୍କା ଲାଞ୍ଚ ଯାଚିଛନ୍ତି। କେବଳ ସେତିକି ନୁହେଁ ଅମୃତା ଫଡନାଭିସଙ୍କୁ ଡିଜାଇନରଙ୍କର ବାପା ମଧ୍ୟ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଏହି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏପର୍ଯ୍ୟନ୍ତ ଏହି ମାମଲାରେ କୌଣସି ଗିରଫଦାରୀ ହୋଇନାହିଁ। 

ରିପୋର୍ଟ ଅନୁଯାୟୀ ଅମୃତା ଫଡନାଭିସ ଫେବୃଆରୀ ୨୦ ରେ ଏନେଇ ଅଭିଯୋଗ କରିଥିଲେ। ଅନୀକ୍ଷା ଜଣେ ଅଳଙ୍କାର ଏବଂ ଫୁଟୱେର ଡିଜାଇନର୍। ୨୦୨୧ରେ ଏକ ସାଧାରଣ କାର୍ଯ୍ୟକ୍ରମରେ ସେ ତାଙ୍କୁ ଭେଟିଥିଲେ। ସର୍ବସାଧାରଣ କାର୍ଯ୍ୟକ୍ରମରେ ତାଙ୍କ ଉତ୍ପାଦକୁ ପ୍ରୋତ୍ସାହିତ କରିବାକୁ ଅନୀକ୍ଷା ତାଙ୍କୁ ନିବେଦନ କରିଥିଲେ। ଏହା ପରେ ଦୁହେଁ ଅନେକ ସାଧାରଣ କାର୍ଯ୍ୟକ୍ରମରେ ପରସ୍ପରକୁ ଭେଟିଥିଲେ। ଅନୀକ୍ଷା ଗତ ୧୬ ମାସ ହେବ ଅମୃତାଙ୍କ ସମ୍ପର୍କରେ ଥିଲେ।

Advertisment

ପୁଲିସ ଅଧିକାରୀଙ୍କ କହିବା ମୁତାବକ, ଅମୃତାଙ୍କ ବିଶ୍ୱାସ ହାସଲ କରିବା ପରେ ଅନୀକ୍ଷା ଏଥିରୁ ଟଙ୍କା ରୋଜଗାର କରିପାରିବେ ବୋଲି ଦାବି କରି କିଛି ବୁକି ବିଷୟରେ ସୂଚନା ଦେବାକୁ ପ୍ରସ୍ତାବ ଦେଇଥିଲେ। ଏହା ପରେ ସେ ଅମୃତାଙ୍କୁ ପୁଲିସ ମାମଲାରେ ବଞ୍ଚାଇବା ପାଇଁ ସିଧାସଳଖ ଏକ କୋଟି ଟଙ୍କା ଅଫର୍ କରିଥିଲେ। ଅନୀକ୍ଷାଙ୍କ ଏହି ଆଚରଣରେ ବିରକ୍ତ ହୋଇ ଅମୃତା ତାଙ୍କ ନମ୍ବରକୁ ବ୍ଲକ କରିଥିଲେ।

ଏହା ପରେ ମହିଳା ଜଣକ ଅଜଣା ନମ୍ବରରୁ ଅମୃତାଙ୍କୁ ଭିଡିଓ କ୍ଲିପ୍, ଭଏସ୍ ମେସେଜ୍ ଏବଂ ଅନେକ ମେସେଜ୍ ପଠାଇଥିବା ଅଭିଯୋଗ ହୋଇଛି। ଅନୀକ୍ଷା ଏବଂ ତାଙ୍କ ବାପା ପରୋକ୍ଷରେ ଅମୃତାଙ୍କୁ ଧମକ ଦେଇଥିଲେ ଏବଂ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଥିଲେ। ଏନେଇ ପୁଲିସ ଏବେ ଅନୀକ୍ଷା ଓ ତାଙ୍କ ବାପାଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । 

Devendra Fadnavis Maharashtra Amrita Fadnavis