Advertisment

ନାତିକୁ ପାଇବାକୁ ସୁପ୍ରିମକୋର୍ଟରେ ଅତୁଲ ସୁଭାଷଙ୍କ ମାଆ

ଅତୁଲ ସୁଭାଷଙ୍କ ସାଢ଼େ ୪ ବର୍ଷର ପୁଅ ଏବେ କେଉଁଠାରେ ଅଛି କାହାକୁ ମଧ୍ୟ ଜଣାନାହିଁ। ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି ଅତୁଲଙ୍କ ମାଆ।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Atul Subhash's Family

Atul Subhash's Family

ଯୁବ ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାରେ ରହିଛି। ଏହାରି ଭିତରେ ଅତୁଲଙ୍କ ମାଆ ଏବେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅତୁଲଙ୍କ ପୁଅ ତଥା ନିଜ ସାଢ଼େ ୪ ବର୍ଷର ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ମାଗି ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ଅତୁଲ ସୁଭାଷଙ୍କ ମାଆ ଅଞ୍ଜୁ ମୋଦି। ଏହି ମାମଲାରେ ମଧ୍ୟ ସୁପ୍ରିମକୋର୍ଟ ତୁରନ୍ତ ହସ୍ତକ୍ଷେପ କରି ଉତ୍ତର ପ୍ରଦେଶ, ହରିୟାଣା ଓ କର୍ଣ୍ଣାଟକ ସରକାରଙ୍କୁ ଜବାବ ତଲବ କରିଛନ୍ତି।

Advertisment

ଆବେଦନକାରୀ ତଥା ଅତୁଲଙ୍କ ମାଆ ନିଜ ଅଭିଯୋଗରେ ଲେଖିଛନ୍ତି ଯେ ତାଙ୍କ ନାତି ଏବେ କେଉଁଠାରେ ଅଛି, ଏହା କାହାକୁ ମଧ୍ୟ ଜଣାନାହିଁ। ମାମଲାର ମୁଖ୍ୟ ଅଭିଯୁକ୍ତ ନିକିତାଙ୍କଠାରୁ ପଚରାଉଚରା କରି ନାତିର ରକ୍ଷଣାବେକ୍ଷଣ ଦାୟିତ୍ୱ ସେମାନଙ୍କୁ ଅର୍ଥାତ ଜେଜେ ବାପା ଓ ଜେଜେ ମାଆଙ୍କୁ ଦିଆଯାଉ ବୋଲି ସେ ଆବେଦନ କରିଛନ୍ତି। ଗିରଫ ହୋଇଥିବା ଅତୁଲଙ୍କ ପତ୍ନୀ ନିକିତା ପୁଲିସକୁ କହିଥିଲେ ଯେ ତାଙ୍କ ପୁଅ ଏବେ ହରିୟାଣାର ଫରିଦାବାଦସ୍ଥିତ ଏକ ବୋର୍ଡିଂ ସ୍କୁଲରେ ପଢ଼ୁଛି। ପୁଅର ରକ୍ଷଣାବେକ୍ଷଣ ଦାୟିତ୍ୱ ଏବେ ନିକିତାଙ୍କ ବଡ଼ବାପା ସୁଶୀଲ ସିଂଘାନିଆଙ୍କ ପାଖରେ ଥିବା ସେ କହିଥିଲେ। ଅନ୍ୟପଟେ ସୁଶୀଲ ସିଂଘାନିଆ ପୁଅ ବିଷୟରେ କିଛି ଜାଣିନଥିବା ପୁଲିସକୁ କହିଥିଲେ। 

ଯେହେତୁ ଏହି ମାମଲା ସହ ଉତ୍ତର ପ୍ରଦେଶ, ହରିୟାଣା ଓ କର୍ଣ୍ଣାଟକ ତିନୋଟି ରାଜ୍ୟର ସମ୍ପର୍କ ଅଛି, ସେଥିପାଇଁ ଏଥିରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ଅତୁଲଙ୍କ ମାଆ। ନାତିକୁ ଉଦ୍ଧାର କରି କୋର୍ଟ ଆଗରେ ଉପସ୍ଥିତ କରିବା ପାଇଁ ସେ ଦାବି କରିଛନ୍ତି। ଏହା ସହ ନାତିର ସମସ୍ତ ରକ୍ଷଣାବେକ୍ଷଣ ଦାୟିତ୍ୱ ନିଜେ ବହନ କରିବାକୁ ସେ କୋର୍ଟରେ ଆବେଦନ କରିଛନ୍ତି। ସୁପ୍ରିମକୋର୍ଟରେ ଜଷ୍ଟିସ ବି.ଭି ନାଗରତ୍ନା ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ମାମଲାର ଶୁଣାଣି କରି ତିନି ରାଜ୍ୟକୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରୀରେ ହେବ।

Advertisment

ଏହି ଘଟଣାରେ ବର୍ତ୍ତମାନ ଅତୁଲଙ୍କ ପତ୍ନୀ ନିକିତା, ନିକିତାଙ୍କ ଭାଇ ଓ ମାଆ ପୁଲିସ ହେପାଜତରେ ଅଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି, ଅତୁଲ ଓ ନିକିତାଙ୍କ ସାଢ଼େ ୪ ବର୍ଷର ପୁଅ ଏବେ କାହା ପାଖରେ ଅଛି? ତାର ଦାୟିତ୍ୱ କିଏ ନେଉଛି? ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଗିରଫ ହେବା ପୂର୍ବରୁ ନିକିତା ନିଜ ପୁଅକୁ କାହା ପାଖରେ ଛାଡ଼ିଛନ୍ତି ନା କେଉଁଠି ଲୁଚାଇ ରଖିଛନ୍ତି, ତାହା କାହାକୁ ଜଣାନାହିଁ। ଆତ୍ମହତ୍ୟା କରିବା ପୂର୍ବରୁ ଅତୁଲ ସୁଭାଷ ଲେଖିଥିବା ୨୩ ପୃଷ୍ଠାର ନୋଟ ଓ ଜାରି କରିଥିବା ୧ ଘଣ୍ଟା ୨୧ ମିନିଟର ଭିଡିଓରେ ସେ ନିଜ ଇଚ୍ଛା ବିଷୟରେ କହିଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କ ପୁଅର ସମସ୍ତ ଦାୟିତ୍ୱ ତାଙ୍କ ମାଆ ବାପାଙ୍କୁ ଦିଆଯାଉ। ସେପଟେ ଅତୁଲଙ୍କ ବାପା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ପୁଅର ଶେଷ ଇଚ୍ଛା ଅନୁସାରେ ତାଙ୍କ ନାତିର ଭରଣପୋଷଣ ଦାୟିତ୍ୱ ତାଙ୍କୁ ଦିଆଯାଉ।

Software Engineer Suicide Atul Subhash Suicide Case Atul Subhash Mother