Advertisment

ଏମ୍‌.ଟେକ୍‌ କରିବାକୁ ଲଣ୍ଡନ ଯାଉଥିଲେ ଅଟୋ ଚାଳକଙ୍କ ଝିଅ, ବିମାନ ଦୁର୍ଘଟଣାରେ ଚାଲିଗଲା ଜୀବନ

ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି।

Payal Khatik (2nd from R) and her family

Payal Khatik (2nd from R) and her family

Advertisment

ଗୁଜରାଟର ସାବରକାଣ୍ଠା ଜିଲ୍ଲାର ହିମ୍ମତନଗରରେ ରହନ୍ତି ସୁରେଶ ଖଟିକ। ହିମ୍ମତନଗର ହେଉଛି ତାଙ୍କ କର୍ମଭୂମି। ତାଙ୍କ ଜନ୍ମଭୂମି ହେଉଛି ରାଜସ୍ଥାନର ଉଦୟପୁରର ଗୋଗୁନ୍ଦା। ମାଲବାହୀ ଅଟୋ ଚଲାଉଥିବା ସୁରେଶ ଖଟିକଙ୍କର ତିନି ଜଣ ସନ୍ତାନ ସନ୍ତତି। ଗତ ଗୁରୁବାର ଅହମଦାବାଦରେ ହୋଇଥିବା ବିମାନ ଦୁର୍ଘଟଣାରେ ସେ ତାଙ୍କ ବଡ଼ ଝିଅଙ୍କୁ ହରାଇଛନ୍ତି। ତାଙ୍କ ବଡ଼ ଝିଅଙ୍କ ନାଁ ପାୟଲ ଖଟିକ। ସେ ବି.ଟେକ୍ କରିଥିଲେ। ଏମ୍‌.ଟେକ୍‌ କରିବା ପାଇଁ ଲଣ୍ଡନ ଯାଉଥିଲେ।

Advertisment

ପାୟଲ ଜଣେ ଭଲ ଛାତ୍ରୀ ଥିଲେ। ହିମ୍ମତନଗରରେ ସେ ଯୁକ୍ତ ଦୁଇ ପର୍ଯ୍ୟନ୍ତ ପଢ଼ିଥିଲେ। ତା’ପରେ ବି.ଟେକ କରିବା ପାଇଁ ସେ ରାଜସ୍ଥାନର ଉଦୟପୁର ସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ନାଁ ଲେଖାଇଥିଲେ। ବି.ଟେକ୍ ଡିଗ୍ରୀ ହାସଲ କରିବା ପରେ ସେ ହିମ୍ମତନଗର ଚାଲିଆସି ପରିବାର ଲୋକଙ୍କ ସହିତ ରହୁଥିଲେ। ହିମ୍ମତନଗରରେ ରହଣୀ କାଳରେ ସେ ଏମ୍‌.ଟେକ କରିବାକୁ ସ୍ଥିର କରିଥିଲେ। ଲଣ୍ଡନରେ ଏମ୍‌.ଟେକ କରିବା ପାଇଁ ତାଙ୍କୁ ସୁଯୋଗ ମିଳିଥିଲା। ଘରର ଆର୍ଥିକ ସ୍ଥିତି ଭଲ ନଥିବା ସତ୍ତ୍ୱେ ତାଙ୍କ ବାପା ପାୟଲଙ୍କ କଥାରେ ରାଜି ହୋଇଯାଇଥିଲେ। କାରଣ ଝିଅ ଉପରେ ତାଙ୍କର ଖୁବ୍ ବିଶ୍ୱାସ ଥିଲା। ଝିଅ ତା’ ସ୍ୱପ୍ନ ପୂରଣ କରିବା ସହିତ ରୋଜଗାରକ୍ଷମ ହେଲେ ପରିବାରର ଆର୍ଥିକ ସ୍ଥିତିକୁ ସୁଧାରି ପାରିବ ବୋଲି ତାଙ୍କର ଆଶା ଥିଲା। ପାୟଲଙ୍କୁ ଲଣ୍ଡନ ପଠାଇବା ପାଇଁ ଲୋନ୍ କରିଥିଲେ ସୁରେଶ ଖଟିକ। ତା’ ସହିତ ବନ୍ଧୁବାନ୍ଧବ ଓ ପରିଚିତ ଲୋକଙ୍କଠାରୁ ଧାର କରିଥିଲେ।

Payal with her mother ପାୟଲ ତାଙ୍କ ମା’ଙ୍କ ସହିତ

ପାୟଲ ପାଠ ପଢ଼ିବାକୁ ଲଣ୍ଡନ ଯାଉଥିବା କଥା ଶୁଣି ତାଙ୍କର ସମସ୍ତ ବନ୍ଧୁବାନ୍ଧବ ବେଶ୍ ଖୁସି ଥିଲେ। କାରଣ କେବଳ ସୁରେଶ ଖଟିକଙ୍କ ପରିବାର ନୁହେଁ, ତାଙ୍କ ବନ୍ଧୁବାନ୍ଧବଙ୍କ ମଧ୍ୟରୁ କେବେ କେହି ବିଦେଶ ଯାଇନଥିଲେ। ପାୟଲ ମଧ୍ୟ ପ୍ରଥମ ଥର ପାଇଁ ବିଦେଶ ଯାଉଥିଲେ। ଗୁରୁବାର ଦିନ ପ୍ରାୟ ୧୦ଟା ବେଳେ ଅହମଦାବାଦ ବିମାନ ବନ୍ଦରରେ ପାୟଲଙ୍କୁ ବିଦାୟ ଦେଇ ଘରକୁ ଫେରିଯାଇଥିଲେ ତାଙ୍କ ବାପା, ମା’, ଭାଇଭଉଣୀ ଓ ଅନ୍ୟ ସଂପର୍କୀୟ। ସେମାନେ ଆଶା କରିଥିଲେ ପାୟଲ ସୁରକ୍ଷିତ ଭାବେ ଲଣ୍ଡନରେ ପହଞ୍ଚିବେ ଓ ପାଠପଢ଼ାରେ ଭଲ କରିବେ। ଅପରାହ୍ନ ପ୍ରାୟ ୧ଟା ୧୦ ବେଳେ ପାୟଲ ତାଙ୍କ ପରିବାର ଲୋକଙ୍କୁ ଭିଡିଓ କଲ୍ କରିଥିଲେ ଓ ସେ ବିମାନରେ ବସି ସାରିଛନ୍ତି ବୋଲି କହିଥିଲେ। ତେବେ ତା’ର କିଛି ସମୟ ପରେ ପାୟଲଙ୍କ ପରିବାର ଲୋକେ ପାଇଥିଲେ ସେହି ଦୁଃସମ୍ବାଦ। ଅହମଦାବାଦରୁ ଲଣ୍ଡନ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ବିମାନ ୧୭୧ ଦୁର୍ଘଟଣାଗ୍ରସ୍ତ ହୋଇଯାଇଛି।

Advertisment

ପାୟଲଙ୍କ ମୃତଦେହ ପାଇବା ପାଇଁ ତାଙ୍କ ବାପା ଡିଏନ୍‌ଏ ନମୁନା ଦେଇଛନ୍ତି। ତାଙ୍କୁ ମନେ ପକେଇ କେବଳ ତାଙ୍କ ପରିବାର ଲୋକେ ନୁହନ୍ତି, ବନ୍ଧୁବାନ୍ଧବ ଓ ପଡ଼ୋଶୀମାନେ ବି ଝୁରି ହେଉଛନ୍ତି।

ସୁରେଶ ଖଟିକଙ୍କ ସଂପର୍କୀୟ ଅଶୋକ ଖଟିକ କହିଛନ୍ତି ଯେ ପାୟଲଙ୍କ ପରିବାରର ଆର୍ଥିକ ସ୍ଥିତି ଭଲ ନୁହେଁ। ସୁରେଶ ଖଟିକ ମାଲବାହୀ ଅଟୋ ଚଲାଇ ପରିବାର ଚଳାନ୍ତି। ଘରର ଆର୍ଥିକ ଅବସ୍ଥାକୁ ଦୃଷ୍ଟିରେ ରଖି ପାୟଲ ଟ୍ୟୁସନ କରୁଥିଲେ। ଫଳରେ ସେ ତାଙ୍କ ବାପାଙ୍କୁ ଆର୍ଥିକ ସହାୟତା କରିପାରୁଥିଲେ। ସେଥିପାଇଁ ସୁରେଶଙ୍କ ପାଇଁ ପାୟଲ ଥିଲେ ଆଶାଭରସା। ଲୋନ୍‌ କରି ସେ ପାୟଲଙ୍କୁ ଲଣ୍ଡନ ପଠାଇବାକୁ ବ୍ୟବସ୍ଥା କରିଥିଲେ। କିନ୍ତୁ ବିମାନ ଦୁର୍ଘଟଣା ସବୁ ସାରିଦେଲା।

ସୁରେଶଙ୍କ ପଡ଼ୋଶୀ ସୁଶୀଲା ପାଠକ କହିଛନ୍ତି ଯେ ତାଙ୍କ ଛୁଆକୁ ପାୟଲ ଟ୍ୟୁସନ କରୁଥିଲେ। ସେ ଜଣେ ଖୁବ୍ ଭଲ ଝିଅ ଥିଲେ। ଭଲ ପଢୁଥିଲେ ଓ ଭଲ ପଢ଼ାଉଥିଲେ। ଲଣ୍ଡନ ଯିବାକୁ ଥିବାରୁ ୧୦ ଦିନ ପୂର୍ବରୁ ସେ ଟ୍ୟୁସନ ବନ୍ଦ କରି ଦେଇଥିଲେ।

ସୂଚନାଯୋଗ୍ୟ, ଏହି ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୭୦କୁ ବୃଦ୍ଧି ପାଇଛି। ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ଜଣେ ସୁରକ୍ଷିତ ଥିବା ବେଳେ ବାକିମାନେ ଦୁର୍ଘଟଣା ଘଟିଥିବା ଜନବସତି ଅଞ୍ଚଳର। ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଛାତରେ ମାଡ଼ ହେବା ପରେ କ୍ରାଶ ହୋଇଥିଲା। ଏଥିରେ ୬ ଜଣ ଡାକ୍ତରୀ ଛାତ୍ରଙ୍କର ମଧ୍ୟ ମୃତ୍ୟୁ ଘଟିଛି।

Plane Crash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe