Advertisment

ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଜଳମଗ୍ନ ହେଲା ପୂଜା ସ୍ଥଳ

ପ୍ରଥମ ବର୍ଷାରେ ହିଁ ମନ୍ଦିର ଅବସ୍ଥା ବେହାଲ ହୋଇ ଗଲାଣି। ଗର୍ଭ ଗୃହରେ ମନ୍ଦିର ଛାତରୁ ପ୍ରବଳ ମାତ୍ରାରେ ପାଣି ଗଳୁଛି।

Ram Mandir

Ram Mandir

Advertisment

ଅଯୋଧ୍ୟାରେ ନବ ନିର୍ମିତ ଭବ୍ୟ ରାମ ମନ୍ଦିରରୁ ଗଳୁଛି ପାଣି । ପ୍ରଥମ ବର୍ଷାରେ ହିଁ ମନ୍ଦିର ଅବସ୍ଥା ବେହାଲ ହୋଇ ଗଲାଣି। ଗର୍ଭ ଗୃହରେ ମନ୍ଦିର ଛାତରୁ ପ୍ରବଳ ମାତ୍ରାରେ ପାଣି ଗଳୁଛି। ଏପରିକି ଏଥିପାଇଁ ରାମ ଲଲାଙ୍କ ପୂଜାର୍ଚ୍ଚନା କରିବା ବି କଷ୍ଟକର ହୋଇପଡ଼ିଲା। ଏପରି କହି ପ୍ରବଳ ଅସନ୍ତୋଷ ପ୍ରକାଶ କରିଛନ୍ତି ରାମ ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ।

Advertisment

ଗତ ଶନିବାର ରାତିରେ ଅଯୋଧ୍ୟାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷାରେ ରାସ୍ତାଘାଟ ଜଳମଗ୍ନ ହୋଇ ଯାଇଥିବା ବେଳେ ବିଶ୍ୱ ପ୍ରସିଦ୍ଧ ରାମ ମନ୍ଦିର ବି ଜଳମଗ୍ନ ହୋଇ ଯାଇଥିଲା।

ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ କହିବାନୁଯାୟୀ, ରାମଲାଲାଙ୍କ ସମ୍ମୁଖରେ ପୂଜାରୀଙ୍କ ବସିବା ନିମନ୍ତେ ବ୍ୟବସ୍ଥା ହୋଇଛି। ଏଥି ସହ ଆସୁଥିବା ଭିଆଇପିଙ୍କ ଦର୍ଶନ ନିମନ୍ତେ ବ୍ୟବସ୍ଥା ହୋଇଛି। ମାତ୍ର ଶନିବାର ବିଳମ୍ବିତ ରାତିରେ ହୋଇଥିବା ପ୍ରଥମ ବର୍ଷାରେ ହିଁ ଗର୍ଭ ଗୃହ ଜଳମଗ୍ନ ହୋଇ ଯାଇଥିଲା।

Advertisment

ଛାତରୁ ଅନବରତ ଗଳୁଥିବା ପାଣି ଯୋଗୁ ପୂଜା ସ୍ଥଳରେ ପାଣି ଭର୍ତ୍ତି ହୋଇ ଯାଇଥିଲା। ଏପରିକି ସକାଳେ ପୂଜାର୍ଚ୍ଚନା ନିମନ୍ତେ ଯିବା ସମୟରେ ଏପରି ଦେଖିବାକୁ ମିଳିଥିଲା। ଗର୍ଭ ଗୃହରୁ ପାଣି ନିଷ୍କାସନର ସୁବ୍ୟବସ୍ଥା ହୋଇ ନ ଥିବା ବେଳେ ଉକ୍ତ ପାଣିକୁ ନିଷ୍କାସନ କରିବା ନିମନ୍ତେ ବହୁ ପରିଶ୍ରମ କରିବାକୁ ପଡ଼ିଥିଲା। ଏହାପରେ ପୂଜାର୍ଚ୍ଚନା ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ବର୍ଷା ଆରମ୍ଭରୁ ମନ୍ଦିରର ଏପରି ଅବସ୍ଥା ହେଲେ ଆଗକୁ ଲଗାଣ ବର୍ଷାରେ ପରିସ୍ଥିତି ଅସମ୍ଭାଳ ହୋଇ ପଡ଼ିବ ବୋଲି ଚେତାଇ ଦେଇଛନ୍ତି ମୁଖ୍ୟ ପୂଜକ । ଏଥିସହ ସେ କହିଛନ୍ତି, ଦେଶର ବିଭିନ୍ନ ସ୍ଥାନରୁ ଆସିଥିବା ସୁଦକ୍ଷ ଇଞ୍ଜିନିୟରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହାର ନିର୍ମାଣ ହୋଇଛି। ଏହାପରେ ବି କିପରି ଏପରି ସାଂଘାତିକ ତ୍ରୁଟି ରହିଗଲା ବୋଲି ସେ ପ୍ରଶ୍ନ କରିବା ସହ ତୁରନ୍ତ ଏହାର ସମାଧାନ କରିବାକୁ ସେ ଦାବି କରିଛନ୍ତି।

ଏନେଇ ମନ୍ଦିର ପ୍ରଶାସନକୁ ଅବଗତ କରାଯିବା ପରେ ମନ୍ଦିର ନିର୍ମାଣ ସମିତି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ମନ୍ଦିରରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ଏଥିସହ ତୁରନ୍ତ ଛାତର ମରାମତି ତଥା ୱାଟର ପ୍ରୁଫିଂ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଯୋଗ୍ୟ ଗତ ଜାନୁୟାରୀ ୨୨ରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇଥିଲା। ମୁଖ୍ୟ ଯଜମାନ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କରାଇଥିଲେ। ଏହି ଅବସରରେ ଦେଶ ବିଦେଶରୁ ହଜାର ହଜାର ଭିଭିଆଇପି ଅଯୋଧ୍ୟାରେ ପହଞ୍ଚି ରାମ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମର ଅଂଶବିଶେଷ ପାଲଟିଥିଲେ।

Uttar Pradesh Ayodhya Ram Mandir Ram Mandir Ayodhya
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe