Advertisment

ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ଲରେନ୍ସ ଗ୍ୟାଙ୍ଗ!

ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଲରେନ୍ସ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି।

author-image
Madhupriya Mistry
baba-siddique-shot-dead

baba-siddique-shot-dead

ମହାରାଷ୍ଟ୍ରରେ ଚାଞ୍ଚଲ୍ୟ । ବରିଷ୍ଠ NCP ନେତା ତଥା ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା । ମୁମ୍ବାଇର ବାନ୍ଦ୍ରା ଇଷ୍ଟରେ ତାଙ୍କ ଉପରକୁ ଗୁଳି ଚଳାଇଲେ ଅଜଣା ଦୁର୍ବୃତ୍ତ। ପେଟ ଓ ଛାତିରେ ବାଜିଲା ୨ରୁ ୩ ରାଉଣ୍ଡ୍ ଗୁଳି । ଗୁଳିମାଡ଼ ପରେ ତାଙ୍କୁ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତେବେ ତାଙ୍କର ହତ୍ୟା ପଛରେ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇର ହାତ ଥିବା ଦାବି କରାଯାଉଛି।

Advertisment

କ୍ରାଇମବ୍ରାଞ୍ଚର ସୁତ୍ର ଅନୁସାରେ ପୁଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଗିରଫ କରିଛି। ଜଣେ ଫେରାର ଥିବା ଜଣାପଡିଛି। ଗିରଫ ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ ଲରେନ୍ସ ଗ୍ୟାଙ୍ଗର ବୋଲି ଦାବି କରିଛନ୍ତି। ଗିରଫ ଦୁଇ ଅଭିଯୁକ୍ତ ହେଲେ କରନୈଲ ସିଂହ ଓ ଧର୍ମରାଜ କଶ୍ୟପ। କରନୈଲ ସିଂହ ହରିୟାଣାର ହୋଇଥିବା ବେଳେ ଧର୍ମରାଜ କଶ୍ୟପ ଉତ୍ତର ପ୍ରଦେଶ ବାସିନ୍ଦା ହୋଇଥିବା ଜଣାପଡିଛି।

ସୂଚନାନୁସାରେ, ଅଭିଯୁକ୍ତମାନେ ଗତ ୨୫ରୁ ୩୦ ଦିନ ଧରି ସେହି ଅଞ୍ଚଳର ରେକି କରୁଥିଲେ। ତିନି ଜଣ ଅଭିଯୁକ୍ତ ପ୍ରଥମେ ଅଟୋ ରିକ୍ସା ଦ୍ୱାରା ବାନ୍ଦ୍ରା ଇଷ୍ଟ ଶୁଟିଂ ସ୍ଥାନକୁ ଆସିଥିଲେ (ଯେଉଁଠାରେ ଗୁଳିମାଡ଼ ହୋଇଥିଲା)। ସୂତ୍ରରୁ ପ୍ରକାଶ ଯେ ବାବା ସିଦ୍ଧିକିଙ୍କ ଉପରକୁ ଗୁଳିମାଡ଼ କରିବା ପୂର୍ବରୁ ତିନିଜଣ ସେଠାରେ କିଛି ସମୟ ଅପେକ୍ଷା ମଧ୍ୟ କରିଥିଲେ। ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ମଧ୍ୟ ସାମିଲ ଥିବା ପୁଲିସ ସନ୍ଦେହ କରୁଛି।

Advertisment

ଶନିବାର ବାବା ଜିଆଉଦ୍ଦିନ ସିଦ୍ଦିକି ଓରଫ୍ ବାବା ସିଦ୍ଦିକି ନିଜ ପୁଅ ଜିଶାନ ସିଦ୍ଦିକିଙ୍କ ଅଫିସକୁ ଯାଇଥିଲେ। ସେତେବେଳେ ଅଚାନକ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ ହୋଇଥିଲା। କାର୍‌ ଭିତରେ ବସିବା ପରେ ହିଁ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳିମାଡ଼ କରାଯାଇଥିଲା। ତେବେ କାହିଁକି ତାଙ୍କୁ ହତ୍ୟା କରାଗଲା, ତାହା ସ୍ପଷ୍ଟ ହୋଇପାରିନି। ଏହା ପଛରେ କାହାର ହାତ ରହିଛି ତାକୁ ନେଇ ତଦନ୍ତ ଚାଲିଛି।

ଦୀର୍ଘ ୪୮ ବର୍ଷ ଧରି କଂଗ୍ରେସରେ ଥିଲେ ବାବା ସିଦ୍ଦିକି। ଫେବୃଆରୀରେ ଇସ୍ତଫା ଦେଇ NCP ଅଜିତ ପାୱାର ଗୋଷ୍ଠୀରେ ମିଶିଥିଲେ। ସେ ବାନ୍ଦ୍ରା ୱେଷ୍ଟରୁ ୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୯, ୨୦୦୪ ଓ ୨୦୦୯ରେ ଜିତିବା ପରେ ୨୦୧୪ରେ ତାଙ୍କୁ ପରାସ୍ତ ହେବାକୁ ପଡ଼ିଥିଲା।

୨୦୦୪ ରୁ ୨୦୦୮ ଯାଏଁ ସେ ମହାରାଷ୍ଟ୍ର ଶ୍ରମ ଏବଂ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଥିଲେ। ତାଙ୍କ କର୍ମଭୂମି ବାନ୍ଦ୍ରାରେ ବହୁ ଫିଲ୍ମ ତାରକା ରହୁଥିବାରୁ ସେମାନଙ୍କ ସହ ବାବା ସିଦ୍ଦିକିଙ୍କର ଖୁବ୍ ଘନିଷ୍ଠତା ଥିଲା। ତେବେ ଚଳିତବର୍ଷ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ, ତାରିଖ ଘୋଷଣା ପୂର୍ବରୁ NCP ଅଜିତ ପାୱାର ଗୋଷ୍ଠୀ ନେତାଙ୍କୁ ହତ୍ୟା ମହାରାଷ୍ଟ୍ର ରାଜନୀତିରେ ହଇଚଇ ସୃଷ୍ଟି କରିଛି ।

Mumbai Police Baba Siddique Lawrence Bishnoi Gang Baba Siddique Dead