Advertisment

ହାଥରସ ଦଳାଚକଟା ଘଟଣାରେ ଆସିଲା SIT ରିପୋର୍ଟ; ଆୟୋଜକ କମିଟିକୁ ଟାର୍ଗେଟ, କିନ୍ତୁ ବାବାଙ୍କ ନାଁ ନାହିଁ

ଏହି ରିପୋର୍ଟରେ ସତତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ ଉଦାସୀନତାକୁ ଟାର୍ଗେଟ କରାଯାଇଛି । ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କ ନାଁ ଥରେ ବି ଉଲ୍ଲେଖ ହୋଇନାହିଁ।

author-image
Niharika Rout
hathras-incident

hathras-incident

ଉତ୍ତର ପ୍ରଦେଶର ହାଥରସରେ ଆୟୋଜିତ ସତସଙ୍ଗରେ ଘଟିଥିବା ଦଳାଚକଟା ଘଟଣାରେ ଆସିଛି SIT ରିପୋର୍ଟ। SIT ନିଜ ୩ଶହ ପୃଷ୍ଠାର ରିପୋର୍ଟ ଦାଖଲ କରିଛି। ଏହି ରିପୋର୍ଟରେ ସତତସଙ୍ଗ ଆୟୋଜନ କରିଥିବା କମିଟି ଓ ଅଫିସରଙ୍କ ଉଦାସୀନତାକୁ ଟାର୍ଗେଟ କରାଯାଇଛି । ମାତ୍ର ଏହି ୩ଶହ ପୃଷ୍ଠାର ରିପୋର୍ଟରେ ଭୋଲେ ବାବାଙ୍କ ନାଁ ଥରେ ବି ଉଲ୍ଲେଖ ହୋଇନାହିଁ।

Advertisment

SIT ନିଜ ୩ଶହ ପୃଷ୍ଠାର ରିପୋର୍ଟରେ ୧୧୯ ଜଣଙ୍କ ବୟାନ ରେକର୍ଡ କରିଛି। ଏଥିରେ ହାଥରସର ଡିଏମ୍‌, ଏସ୍‌ପି, ସତସଙ୍ଗ ଅନୁମତି ଦେଇଥିବା ଏସ୍‌ଡିଏମ୍‌, ସତସଙ୍ଗରେ ମୁତୟନ ପୁଲିସ୍‌ କର୍ମୀଙ୍କ ବୟାନ ରେକର୍ଡ କରାଯାଇଛି। ଏହାକୁ ବାଦ ଦେଲେ ମୃତକଙ୍କ ପରିବାରବର୍ଗ ଓ ଗୁରୁତର ହୋଇଥିବା ଶ୍ରଦ୍ଧାଳୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି।

ଏହି ସତସଙ୍ଗ ନିମନ୍ତେ ୮୦ ହଜାର ଲୋକଙ୍କ ସମାଗମ ନିମନ୍ତେ ଆୟୋଜକଙ୍କୁ ଅନୁମତି ମିଳିଥିଲା। ମାତ୍ର ଏଥିରେ ପ୍ରାୟ ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ। ଆୟୋଜକ କମିଟି ଏଥିନିମନ୍ତେ ପୂର୍ବ ପ୍ରସ୍ତୁତି କରି ନ ଥିବା ବେଳେ ଅତ୍ୟଧିକ ଭିଡ଼ ହେତୁ ପରିସ୍ଥିତି ଅସମ୍ଭାଳ ହୋଇଥିଲା। ଏହାସତ୍ତ୍ୱେ ଘଟଣାସ୍ଥଳରେ ଉପସ୍ଥିତ ଅଧିକାରୀ ଓ ପୁଲିସ୍‌ କର୍ମୀ ଏହାକୁ ଗୁରୁତର ସହ ନେଇ ନ ଥିଲେ କି ଭିଡ଼କୁ ନିୟନ୍ତ୍ରଣ ପାଇଁ କୌଣସି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲେ ବୋଲି SIT ନିଜ ରିପୋର୍ଟରେ ଉଲ୍ଲେଖ କରିଛି। SIT ନିଜ ରିପୋର୍ଟ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରିଛି।

Advertisment

ଏହାପୂର୍ବରୁ ଭୋଲେ ବାବାଙ୍କ ଓକିଲ ନିଜ ମହକିଲଙ୍କୁ ବଞ୍ଚାଇବା ପାଇଁ ଏକ ନୂଆ କାହାଣୀ ଶୁଣାଇଥିଲେ। ସେ କହିଥିଲେ, ସତସଙ୍ଗ ଚାଲିଥିବା ବେଳେ ୧୦ରୁ ଊର୍ଦ୍ଧ୍ୱ ଲୋକ ବିଷାକ୍ତ ସ୍ପ୍ରେ କରିଥିଲେ। ଏହାପରେ ସେମାନେ ଗାଡ଼ିରେ ଫେରାର ହୋଇ ଯାଇଥିଲେ। ଫଳରେ ବହୁ ଲୋକ ବେହୋସ ହୋଇ ଯାଇଥିଲେ। ତେଣୁ ସିସିଟିଭି ସିଜ୍‌ କରି ଯାଞ୍ଚ କରିବାକୁ ସେ କହିଥିଲେ।

ଏହି ଘଟଣାରେ ପୁଲିସ୍‌ ମୁଖ୍ୟ ଅଭିଯୁକ୍ତ ଦେବ ପ୍ରକାଶ ମଧୁକରଙ୍କ ସମେତ ୭ ଜଣଙ୍କୁ ସମୁଦାୟ ଗିରଫ କରିଛି। ସମସ୍ତେ ସତସଙ୍ଗ ଆୟୋଜନ ସମିତିର ସଦସ୍ୟ ବୋଲି ଜଣାଯାଇଛି। ଦେବ ପ୍ରକାଶ ଭୋଲେ ବାବାଙ୍କ ଖାସ ଲୋକ ଥିଲେ ବୋଲି ଜଣାଯାଇଛି।

ଏହି ଦଳଚକଟା ଘଟଣା ପରେ ଉତ୍ତରପ୍ରଦେଶର ଜୁଡିସିଆଲ କମିଶନ ଟିମ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବହୁ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ କରିଥିଲେ। ଏହାପରେ ଗତ ୬ ତାରିଖରେ ଭୋଲେ ବାବାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିବା ବେଳେ ସେ ଏକ ଭିଡିଓ ମେସେଜ ଛାଡ଼ିଥିଲେ। ଏହି ଅପ୍ରତ୍ୟାଶିତ ଘଟଣା ତାଙ୍କୁ ଶକ୍ତ ଧକ୍କା ଦେଇଥିବା ବେଳେ ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ରଖିବାକୁ ସେ ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଆଶ୍ୱାସନା ଦେଇଥିଲେ।

ଉତ୍ତରପ୍ରଦେଶର  ହାଥରସ୍ ଫୁଲୁରୀ ଗାଁରେ ମାନବ ମଙ୍ଗଳ ମିଳନ ସଦଭାବନା ସମାଗମ କମିଟି ପକ୍ଷରୁ ବିଶ୍ୱହରି ବାବା ଓରଫ ଭୋଲେ ବାବାଙ୍କ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ। ତେବେ ସତସଙ୍ଗ ସରିବା ପରେ, ଅଣଓସାରିଆ ବାଟରେ ଏକାଥରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ବାହାରିବାକୁ ଚେଷ୍ଟା କରିଥିଲେ। ଫଳରେ ଦୌଡାଦୌଡି ଓ ଦଳଚକଟା ସ୍ଥିତି ଉପୁଜିଥିଲା। ହାଥରସ ସତସଙ୍ଗ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ଲଗାତର ବୃଦ୍ଧି ପାଇବାରେ ଲାଗିଛି।  ଏହି ଘଟଣାରେ ୧୨୧ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଅଛନ୍ତି।  

Hathras Stampede UP Stampede