Advertisment

ଇଦିରେ ବିଫ୍‌ ନେଉଥିବା ସନ୍ଦେହରେ ବଜରଙ୍ଗ ଦଳର ଗୁଣ୍ଡାଗିରି, ୨ ଜଣଙ୍କୁ ପ୍ରବଳ ପିଟିଲେ

ବିଚ୍‌ ରାସ୍ତାରେ କାଠ ଫାଳିଆରେ ଦୁଇ ମୁସଲିମ ବ୍ୟକ୍ତିଙ୍କୁ ସେମାନେ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ମଧ୍ୟପ୍ରଦେଶର ଖଣ୍ଡୱାରେ ବୁଧବାର ଏପରି ଏକ ସାଂଘାତିକ ଘଟଣା ଘଟିଥିଲା।

author-image
Hemant Lenka
Police

Police

ବିଚ୍‌ ରାସ୍ତାରେ ଓ ସର୍ବସମ୍ମୁଖରେ ଗୁଣ୍ଡାଗିରି କରିଛନ୍ତି ବଜରଙ୍ଗ ଦଳର ଏକାଧିକ କର୍ମୀ। ସେମାନେ ୨ ଜଣଙ୍କ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଇଦ ଅଲ ଆଦାରେ ବିଫ ନେଉଥିବା ସନ୍ଦେହ କରି ସେମାନଙ୍କ ଉପରେ ନିଜର ହୁକୁମାତି ଦେଖାଇଛନ୍ତି।

Advertisment

ବିଚ୍‌ ରାସ୍ତାରେ କାଠ ଫାଳିଆରେ ଦୁଇ ମୁସଲିମ ବ୍ୟକ୍ତିଙ୍କୁ ସେମାନେ ପ୍ରବଳ ମାଡ଼ ମାରି ଲହୁଲୁହାଣ କରିଛନ୍ତି। ମଧ୍ୟପ୍ରଦେଶର ଖଣ୍ଡୱାରେ ବୁଧବାର ଏପରି ଏକ ସାଂଘାତିକ ଘଟଣା ଘଟିଥିଲା।

ବୁଧବାର ଦୁଇ ଜଣ ମୁସଲିମ ବ୍ୟକ୍ତି ବାଇକ୍‌ରେ ଇଲିମପୁରାରୁ ମାଂସ ଧରି ସିହଡା ଗାଁକୁ ଯାଉଥିଲା। ତେବେ ଖଣ୍ଡୱାର ପଲିଟେକନିକ କଲେଜ ନିକଟରେ ବଜରଙ୍ଗ ଦଳର କିଛି କର୍ମୀ ସେମାନଙ୍କୁ ବଳପୂର୍ବକ ଅଟକାଇ ଥିଲେ। ସେମାନେ ବିଫ ବା ଗୋ-ମାଂସ ନେଉଥିବା ବଜରଙ୍ଗ ଦଳର କର୍ମୀମାନେ ଅଭିଯୋଗ କରିଥିଲେ।

Advertisment

କିନ୍ତୁ ଦୁଇ ମୁସଲିମ ବ୍ୟକ୍ତି ବେଶ ନମ୍ର ଭାବେ ଏହା ବିଫ ନୁହେଁ ବରଂ ମଟନ ବୋଲି କହିଥିଲେ। ହେଲେ ଗୁଣ୍ଡାଗିରି କରୁଥିବା ବଜରଙ୍ଗ ଦଳର କର୍ମୀମାନେ ଆଦୌ କିଛି ବି ବୁଝି ନଥିଲେ। ସେମାନଙ୍କୁ ପ୍ରବଳ ମାଡ଼ ମାରିବା ସହ ଉଭୟଙ୍କ କପଡ଼ା ଚିରି ଦେଇଥିଲେ।

ବିଚ୍‌ ରାସ୍ତାରେ ବେଶ କିଛି ସମୟ ବଜରଙ୍ଗ ଦଳର ଆତଙ୍କରାଜ ଚାଲିଥିବା ବେଳେ ଖବର ପାଇ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ପୁଲିସ୍‌ ଆକ୍ରମଣକାରୀଙ୍କ ବଦଳରେ ମାଡ଼ ଖାଇ ଲହୁଲୁହାଣ ହୋଇଥିବା ଦୁଇ ମୁସଲିମ ବ୍ୟକ୍ତିଙ୍କୁ ସେଠାରୁ ଉଠାଇ ଥାନାକୁ ଆଣିଥିଲା। ବଜରଙ୍ଗ ଦଳର କର୍ମୀମାନେ ସେମିତି ରାସ୍ତା ଉପରେ ବେଧଡ଼କ ବୁଲିବା ସହ ବିଫକୁ ବିରୋଧ କରି ବିକ୍ଷୋଭ ମଧ୍ୟ ଆରମ୍ଭ କରି ଦେଇଥିଲେ।

ସହରର କାଜି(ଶରିଆ କୋର୍ଟର ମାଜିଷ୍ଟ୍ରେଟ ବା ଜଜ୍‌) ସୟିଦ ନିସାର କହିଛନ୍ତି, “ପ୍ରଶାସନ ଖଣ୍ଡୱାର କଂସେଇ ଖାନାଗୁଡ଼ିକ ଉପରେ ତୀକ୍ଷ୍ଣ ନଜର ରଖିଛି। ତେଣୁ ଏଠାରୁ ବିଫ ଆଣିବା ଆଦୌ ସମ୍ଭବ ନୁହେଁ। କିଛି ସଂଗଠନ ଷଡ଼ଯନ୍ତ୍ର କରି ମିଛ ଅଭିଯୋଗ ଦ୍ୱାରା ପରିବେଶକୁ ବିଗାଡ଼ିବାକୁ ଚେଷ୍ଟା କରୁଛନ୍ତି।”

ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଆଦିତ୍ୟ ମେହେଟା ସଫେଇ ଦେଇ କହିଛନ୍ତି ଯେ ଆମ କର୍ମୀମାନେ ଦୁଇ ଜଣ ବିଫ ଆଣୁଥିବା କଥା ଜାଣି ପାରିଥିଲେ। ସେମାନେ ଉଭୟଙ୍କୁ ଧରିବା ସହ ରାମେଶ୍ୱର ଚୌକୁ ଆଣିଥିଲେ। ସେମାନେ କାହାକୁ ମାଡ଼ ମାରି ନାହାନ୍ତି।”

ଅନ୍ୟପକ୍ଷରେ ଏସ୍‌ପି ସତ୍ୟେନ୍ଦ୍ର ଶୁକ୍ଳା ଘଟଣାରେ ଦୁଇଟି ମାମଲା ରୁଜୁ ହୋଇଥିବା କହିଛନ୍ତି। ସେ କହିଛନ୍ତି, “ମୁସଲିମ ସଂପ୍ରଦାୟର କିଛି ଲୋକ ଆମକୁ ଆସି ଭେଟିଛନ୍ତି। ସେମାନେ ଆମକୁ ଗୋଟିଏ ଭିଡିଓ ଦେଖାଇଛନ୍ତି।

ଆମେ ଏହି ଭିଡିଓକୁ ସିଏସ୍‌ପି ଓ ଷ୍ଟେସନ ଇନଚାର୍ଜଙ୍କୁ ଦେଉଛି। ସବୁ ପରିସ୍ଥିତିର ସମୀକ୍ଷା କରାଯାଉଛି। ତଦନ୍ତ ସରିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦୁଇଟି ମାମଲା ରୁଜୁ ହୋଇଛି।

ଗୋଟିଏ ମାମଲା ଦୁଇ ଜଣ ମୁସଲିମ ବ୍ୟକ୍ତିଙ୍କ ବିରୋଧରେ ହୋଇଛି। କାରଣ ସେମାନଙ୍କ ଠାରୁ ମିଳିଥିବା ମାଂସର କୌଣସି ରସିଦ ସେମାନେ ଦେଖାଇ ପାରିନାହାନ୍ତି। ଅବଶ୍ୟ ଲ୍ୟାବକୁ ଏହାର ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଆଉ ଗୋଟିଏ ମାମଲା ସେମାନଙ୍କୁ ମାଡ଼ ମାରିଥିବା ଲୋକଙ୍କ ବିରୋଧରେ ହୋଇଛି।”

Madhya Pradesh