Advertisment

ୱାକଫ ହିଂସା ପଛରେ ବାଂଲାଦେଶୀ ଦୁର୍ବୃତ୍ତ!

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ବାରମ୍ବାର ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିବା ସହ ରାଜ୍ୟରେ ୱାକଫ ଆଇନ ଲାଗୁ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

author-image
Hemant Lenka
 Bengal Waqf violence

Bengal Waqf violence

ବିରୋଧୀଙ୍କ ବିରୋଧ ସତ୍ତ୍ୱେ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ସମଗ୍ର ଦେଶରେ ୱାକଫ ଆଇନ ଲାଗୁ କରିଛନ୍ତି। ସଂସଦରେ ଉଭୟ ଗୃହରେ ଏହା ପାରିତ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଲ ଉପରେ ମୋହର ଲଗାଇଥିଲେ। ଏବେ ସାରା ଦେଶରେ ୱାକଫ ଆଇନ ୨୦୨୫ ଲାଗୁ ହୋଇଛି। ତେବେ ଏହି ଆଇନକୁ ବିରୋଧ କରି ପଶ୍ଚିମବଙ୍ଗରେ ବ୍ୟାପକ ହିଂସା କାଣ୍ଡ ଦେଖାଯାଇଥିଲା। ପୋଡ଼ା ଜଳା ଠାରୁ ଆରମ୍ଭ କରି ଭଙ୍ଗାରୁଜା ଓ ଲୁଟପାଟ ହୋଇଥିଲା। ଏପରି ହିଂସାକାଣ୍ଡ ପଛରେ ବାଂଲାଦେଶୀ ଦୁର୍ବୃତ୍ତ ରହିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ବି ରିପୋର୍ଟ ଦିଆଯାଇଛି।

Advertisment

ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ ବେଙ୍ଗଲରେ କ୍ଷମତାସୀନ ମମତା ବାନାର୍ଜୀ ସରକାର ମୁର୍ଶିଦାବାଦ ଓ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାରେ ୱାକଫ ଯୋଗୁ ବିକ୍ଷୋଭ ହେଉଥିବା ବେଳେ ଅନୁପ୍ରବେଶକାରୀଙ୍କୁ ରୋକିବାରେ ବିଫଳ ହୋଇଛନ୍ତି। ବାଂଲାଦେଶୀ ଦୁର୍ବୃତ୍ତ ୱାକଫ ଆଇନ ବିରୋଧରେ ଚାଲିଥିବା ବିକ୍ଷୋଭର ଫାଇଦା ଉଠାଇ ମୁର୍ଶିଦାବାଦରେ ପ୍ରବେଶ କରିବା ସହ ହିଂସାକାଣ୍ଡ ଘଟାଇଛନ୍ତି। ଏଥିରେ ୩ ଜଣ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି।

ବାଂଲାଦେଶ ଓ ଭାରତ ସୀମାକୁ ବିଏସ୍‌ଏଫ ଯବାନମାନେ ଜଗି ରହିଛନ୍ତି। ଏପରି ସ୍ଥିତିରେ କେମିତି ବାଂଲାଦେଶୀ ଦୁର୍ବୃତ୍ତ ଅନୁପ୍ରବେଶ କଲେ, ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ୱାକଫ ଆଇନ ବିରୋଧରେ ବିକ୍ଷୋଭ କରୁଥିବା ଲୋକମାନଙ୍କୁ ବଦନାମ କରିବା ପାଇଁ ଏହା ଏକ ଷଡ଼ଯନ୍ତ୍ର କି ବୋଲି ମଧ୍ୟ ପ୍ରଶ୍ନ ଉଠିଛି। ପଶ୍ଚିମବଙ୍ଗରେ ୮୦,୪୮୦ ୱାକଫ ସମ୍ପତ୍ତି ରହିଛି।

Advertisment

ଉତ୍ତର ପ୍ରଦେଶରେ ସର୍ବାଧିକ ୨.୨ ଲକ୍ଷ ୱାକଫ ସମ୍ପତ୍ତି ରହିଥିବା ବେଳେ ଦ୍ୱିତୀୟରେ ବେଙ୍ଗଲ ରହିଛି। ନିକଟରେ ଲାଗୁ ହୋଇଥିବା ଆଇନରେ ୱାକଫ ସମ୍ପତ୍ତିରେ ସରକାରଙ୍କ ହସ୍ତକ୍ଷେପ ବୃଦ୍ଧିକୁ ଗୁରୁତ୍ୱ ଦିଆଯାଇଛି। ସରକାର ସେମାନଙ୍କ ସମ୍ପତ୍ତି ନେଇ ଯିବାକୁ ଏପରି ଆଇନ ଆଣିଥିବା ବିରୋଧୀ ଅଭିଯୋଗ କରିଛନ୍ତି। କିନ୍ତୁ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଛନ୍ତି। ତଥାପି ଆଇନ ବିରୋଧରେ ମୁର୍ଶିଦାବାଦ ଓ ଦକ୍ଷିଣ ୨୪ ପ୍ରଗଣାରେ ହିଂସା ଦେଖାଯାଇଥିଲା।

ବେଙ୍ଗଲରେ କେମିତି ଘଟିଲା ହିଂସା?

ୱାକଫ ଆଇନ ବିରୋଧରେ ଚାଲିଥିବା ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହଠାତ୍‌ ହିଂସାତ୍ମକ ରୂପ ନେଇଥିଲା। ଦୋକାନ ଓ ଗାଡ଼ି ପୋଡ଼ା ଜଳା କରାଯିବା ସହ ଲୋକଙ୍କ ଘରେ ଭଙ୍ଗାରୁଜା କରାଯାଇଥିଲା। ମୁର୍ଶିଦାବାଦର ସୁତି ଓ ସମସେରଗଞ୍ଜରେ ଏପରି ଘଟଣା ଘଟିଥିଲା। ଏପ୍ରିଲ ୧୧ରେ ମୁସଲିମ ବହୁଳ ମୁର୍ଶିଦାବାଦରେ ହିଂସା ଦେଖାଯିବାରୁ ଅନେକ ଲୋକ ଭୟରେ ଅନ୍ୟତ୍ର ଚାଲିଯିବାକୁ ବାଧ୍ୟ ହୋଇଥିଲେ। ଏବେ ଜଣାପଡ଼ିଛି ଯେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଭଣ୍ଡୁର କରିବା ସହ ଗୋଟିଏ ଭିନ୍ନ ଧାରଣା ସୃଷ୍ଟି କରିବାକୁ ବାଂଲାଦେଶୀ ଦୁର୍ବୃତ୍ତ ହିଂସାକାଣ୍ଡ ଘଟାଇଥିଲେ।

ବାଂଲାଦେଶ ସୀମାକୁ ମୁର୍ଶିଦାବାଦ ଲାଗିଛି। ୨୦୧୧ ଜନଗଣନା ଅନୁସାରେ ଏଠାରେ ମୁସଲିମଙ୍କ ସଂଖ୍ୟା ୬୬%। ପ୍ରଥମେ ମୁର୍ଶିଦାବାଦରେ ଏପ୍ରିଲ ୧୧ରେ ଆରମ୍ଭ ହୋଇଥିବା ହିଂସା ରବିବାର ସୁଦ୍ଧା ଥମି ଯାଇଥିଲା। ଦୋକାନ ଖୋଲିବା ସହ ସ୍ଥିତି ସ୍ୱାଭାବିକ ହୋଇଥିଲା। କିନ୍ତୁ ସୋମବାର ଦକ୍ଷିଣ ୨୪ ପ୍ରଗଣାରେ ଥିବା ଭାଙ୍ଗରରେ ପୁଣି ହିଂସା ଦେଖାଯାଇଛି। ଏଠାରେ ଇଣ୍ଡିଆନ ସେକ୍ୟୁଲାର ଫ୍ରଣ୍ଟ ବା ଆଇଏସଏଫ ପକ୍ଷରୁ ୱାକଫ ଆଇନ ବିରୋଧରେ ବିକ୍ଷୋଭ କରାଯାଉଥିଲା।

କିନ୍ତୁ ଏଠାରେ ମଧ୍ୟ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହଠାତ୍‌ ହିଂସାତ୍ମକ ରୂପ ନେଇଥିଲା। ବିକ୍ଷୋଭକାରୀ କୋଲକାତା ଅଭିମୁଖେ ଯିବାକୁ ଚେଷ୍ଟା କରିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଫଳରେ ପୁଲିସ୍‌ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ। ଏକାଧିକ ଗାଡ଼ିରେ ବିକ୍ଷୋଭକାରୀ ନିଆଁ ଲଗାଇ ଦେଇଥିଲେ।

ବେଙ୍ଗଲରେ ହିଂସା ବଢ଼ୁଥିବାରୁ ରାଜ୍ୟପାଳ ସିଭି ଆନନ୍ଦ ବୋଷ କ୍ଷମତାସୀନ ଟିଏମସିକୁ ବିସ୍ତୃତ ରିପୋର୍ଟ ମାଗିଛନ୍ତି। କ୍ୟାଲକାଟା ହାଇକୋର୍ଟ ମଧ୍ୟ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମସ୍ତଙ୍କୁ ବାରମ୍ବାର ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିବା ସହ ରାଜ୍ୟରେ ୱାକଫ ଆଇନ ଲାଗୁ ହେବନି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ମୁର୍ଶିଦାବାଦ ହିଂସା ଘଟଣାରେ ପୁଲିସ୍‌ ଇତି ମଧ୍ୟରେ ୨୧୦ ଜଣଙ୍କୁ ଗିରଫ କରିସାରିଲାଣି।

Waqf Act Waqf Board Amendment Bill Bengal Waqf Violence