Advertisment

ଗ୍ରାହକଙ୍କ ଏଫଡିରୁ କୋଟି କୋଟି ଟଙ୍କା ଲୁଟ କରୁଥିଲେ ବ୍ୟାଙ୍କ ଅଧିକାରୀ, ଆଉ ତା’ ପରେ...

୪୧ ଜଣ ଗ୍ରାହକଙ୍କ ଆକାଉଣ୍ଟରୁ ମହିଳା ଜଣଙ୍କ ଏପରି ଲୁଟ କରିଛନ୍ତି। ଦୀର୍ଘ ୨ ବର୍ଷ ଧରି ମହିଳା ଅଧିକାରୀ ଜଣଙ୍କ ଏପରି ଖେଳ କରି ଚାଲିଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ଟଙ୍କା ଜମା କରିଥିବା ଗ୍ରାହକ ଏ ସମ୍ପର୍କରେ ଜାଣି ନଥିଲେ।

author-image
Hemant Lenka
ICICI

ICICI

ସମସ୍ତେ ଜାଣନ୍ତି ବ୍ୟାଙ୍କରେ ସେମାନଙ୍କ କଷ୍ଟ ଉପାର୍ଜିତ ଅର୍ଥ ସୁରକ୍ଷିତ। ସେମାନେ ଏହାକୁ ନିଜର ଜରୁରୀ କାମ ବେଳେ ବ୍ୟବହାର କରିପାରିବେ। ବ୍ୟାଙ୍କରେ ଟଙ୍କା ଅଛି ମାନେ ଏହା ସଂପୂର୍ଣ୍ଣ ସୁରକ୍ଷିତ। କିନ୍ତୁ ବ୍ୟାଙ୍କରେ ମଧ୍ୟ ଟଙ୍କା ସୁରକ୍ଷିତ ନୁହେଁ। ଏହାର ଜ୍ୱଳନ୍ତ ଉଦାହରଣ ଏବେ ସାମ୍ନାକୁ ଆସିଛି।

Advertisment

ବ୍ୟାଙ୍କ ଉପରେ ରହିଥିବା ଗ୍ରାହକଙ୍କ ବିଶ୍ୱାସ ଭାଙ୍ଗି ଯାଇଛି। ବ୍ୟାଙ୍କରେ କାମ କରୁଥିବା ଜଣେ ମହିଳା ଅଧିକାରୀ ଗ୍ରାହକଙ୍କ ବିଶ୍ୱାସରେ ବିଷ ଦେଇଛନ୍ତି। ମହିଳା ବ୍ୟାଙ୍କ ଅଧିକାରୀ ଜଣଙ୍କ ଗ୍ରାହକଙ୍କ ୪ କୋଟିରୁ ଅଧିକ ଟଙ୍କା ଲୁଟ କରିଛନ୍ତି। ଏହାର କାରଣ ହେଲା ଅଳ୍ପ ସମୟରେ ବଡ଼ ଲୋକ ଓ ଅଧିକ ଲାଭ ପାଇବାର ଆଶା ତାଙ୍କୁ ଘାରିଥିଲା। ସେ ଗ୍ରାହକଙ୍କ ଟଙ୍କାକୁ ବ୍ୟାଙ୍କରୁ ଲୁଟ କରି ଷ୍ଟକ ମାର୍କେଟରେ ଲଗାଉଥିଲେ।

୪୧ ଜଣ ଗ୍ରାହକଙ୍କ ଆକାଉଣ୍ଟରୁ ମହିଳା ଜଣଙ୍କ ଏପରି ଲୁଟ କରିଛନ୍ତି। ଦୀର୍ଘ ୨ ବର୍ଷ ଧରି ମହିଳା ଅଧିକାରୀ ଜଣଙ୍କ ଏପରି ଖେଳ କରି ଚାଲିଥିଲେ ହେଁ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ଟଙ୍କା ଜମା କରିଥିବା ଗ୍ରାହକ ଏ ସମ୍ପର୍କରେ ଜାଣି ନଥିଲେ। ରାଜସ୍ଥାନର କୋଟାରୁ ଏଭଳି ଏକ ସାଂଘାତିକ ଘଟଣା ଘଟିଛି।

Advertisment

କୋଟାରେ ଥିବା ଆଇସିଆଇସିଆଇ ବ୍ୟାଙ୍କର ରିଲେଶନଶିପ ମ୍ୟାନେଜର ଭାବେ କାମ କରୁଥିବା ସାକ୍ଷୀ ଗୁପ୍ତା ଗ୍ରାହକଙ୍କ ଫିକ୍ସଡ ଜମା ବା ଏଫଡିର ଅପବ୍ୟବହାର କରିଛନ୍ତି। ସେ ଏଫଡି ଲିଙ୍କର ଅପ୍ୟବହାର କରି ବେଆଇନ ଭାବେ ୪୧ ଜଣ ଗ୍ରାହକଙ୍କ ୧୧୦ଟି ଆକାଉଣ୍ଟରୁ ୪.୫୮ କୋଟି ଟଙ୍କା ଉଠାଇଥିଲେ। ୨୦୨୦ରୁ ୨୦୨୩ ମଧ୍ୟରେ ସାକ୍ଷୀ ଟଙ୍କା ଉଠାଣ କରିଥିଲେ।

ଗ୍ରାହକଙ୍କ ଟଙ୍କାକୁ ସେ ଷ୍ଟକ ମାର୍କେଟରେ ଲଗାଇଥିଲେ। ତାଙ୍କର ଆଶା ଥିଲା ଯେ ଷ୍ଟକ ମାର୍କେଟରୁ ଲାଭ ପାଇବା ପରେ ଗ୍ରାହକଙ୍କ ଟଙ୍କା ପୁଣି ସେମାନଙ୍କ ଆଉଣ୍ଟରେ ଜମା କରି ଦେବେ। ସେମାନଙ୍କ ଟଙ୍କାକୁ ଷ୍ଟକ ମାର୍କେଟରେ ଲଗାଇ ପାଇଥିବା ଲାଭକୁ ନିଜେ ଚଳୁ କରି ଦେବେ।

କିନ୍ତୁ ଅଧିକ ଲୋଭ ତାଙ୍କୁ ମହଙ୍ଗା ପଡ଼ିଥିଲା। ସେ ଷ୍ଟକ ମାର୍କେଟରେ ବ୍ୟାପକ କ୍ଷତି ସହିବାରୁ ଗ୍ରାହକଙ୍କ ଟଙ୍କା ଜମା କରିବାରେ ଅକ୍ଷମ ହୋଇଥିଲେ। ତଥାପି ଏକଥା କାହାକୁ ଜଣା ନଥିଲା। ନିକଟରେ ଜଣେ ଗ୍ରାହକ ନିଜର ଏଫଡି ଚେକ କରିବାକୁ ବ୍ୟାଙ୍କକୁ ଆସିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ଯାଞ୍ଚ କରିବା ବେଳେ ଟଙ୍କା ନଥିବା ଜଣାପଡ଼ିଥିଲା। ଏହାପରେ ବ୍ୟାଙ୍କ ପକ୍ଷରୁ ଫେବୃଆରୀ ୧୮ରେ ପୁଲିସ୍‌ରେ ଅଭିଯୋଗ କରାଯାଇଥିଲା। ।

ପୁଲିସ୍‌ ଘଟଣାର ତଦନ୍ତ କରି ବୁଧବାର ରାତିରେ ସାକ୍ଷୀଙ୍କୁ ତାଙ୍କ ଭଉଣୀଙ୍କ ବାହାଘର ମଣ୍ଡପରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।ତଦନ୍ତରୁ ଜଣାପଡ଼ିଛି ଯେ ଗ୍ରାହକଙ୍କ ଆକାଉଣ୍ଟ ସହ ଲିଙ୍କ ହୋଇଥିବା ମୋବାଇଲ ନମ୍ବରକୁ ମଧ୍ୟ ସାକ୍ଷୀ କୌଶଳକ୍ରମେ ବଦଳାଇ ଦେଇଥିଲେ। ଏଥିଯୋଗୁ ଟଙ୍କା ଉଠାଣର ମେସେଜ ପ୍ରକୃତ ଗ୍ରାହକଙ୍କ ପାଖରେ ପହଞ୍ଚି ପାରି ନଥିଲା।

ତଦନ୍ତକାରୀ ଅଧିକାରୀ ଇବ୍ରାହିମ ଖାନ କହିଛନ୍ତି, “ସାକ୍ଷୀ ବେଶ କୌଶଳକ୍ରମେ ନିଜ ପରିବାର ଲୋକଙ୍କ ଫୋନ ନମ୍ବରକୁ ଗ୍ରାହକମାନଙ୍କ ଆକାଉଣ୍ଟରେ ଲିଙ୍କ କରି ଦେଇଥିଲେ। ଏପରି କରି ସେ ବିଭିନ୍ନ ଆକାଉଣ୍ଟରୁ ୪ କୋଟିରୁ ଅଧିକ ଟଙ୍କା ଉଠାଣ କରିଥିଲେ। ଠକେଇକୁ ସଂପୂର୍ଣ୍ଣ ଗୋପନ ରଖିବା ପାଇଁ ସେ ନିଜ କମ୍ପ୍ୟୁଟରରେ ହିଁ ଓଟିପି ଜେନେରେଟେଡ ବ୍ୟବସ୍ଥାକୁ ଲିଙ୍କ କରି ଦେଇଥିଲେ।” ଆଇସିଆଇସିଆ ବ୍ୟାଙ୍କ ପକ୍ଷରୁ ଏଯାଏ ଘଟଣା ସମ୍ପର୍କରେ କୌଣସି ବିବୃତି ଜାରି କରାଯାଇ ନାହିଁ। ହେଲେ ବ୍ୟାଙ୍କ ଗ୍ରାହକମାନେ ସହି ଥିବା କ୍ଷତିକୁ ନିଜ ତରଫରୁ ଭରଣ କରିବ ବୋଲି ରାଜି ଅଛି।

Online Fraud Fraud ICICI Bank