/odisha-reporter/media/media_files/2025/11/28/bapi-2025-11-28-14-23-15.jpg)
କହ୍ନୈୟାଲାଲ
ମହଣ ମହଣ ସୁନା ଅଳଙ୍କାର ପିନ୍ଧୁଥିବା ରାଜସ୍ଥାନ(Rajasthan)ର ଚିତ୍ତୋରଗଡ଼ ସ୍ଥିତ ବ୍ୟବସାୟୀ କହ୍ନୈୟାଲାଲ ଖାଟିକଙ୍କୁ ମିଳିଛି ଧମକ। କିଛି ଲୋକ ତାଙ୍କୁ ଫୋନ କରି ୫ କୋଟି ଟଙ୍କାର ବଟି ଦେବାକୁ କହିଛନ୍ତି। ବଟି ମାଗିଥିବା ଲୋକମାନେ ନିଜକୁ କୁଖ୍ୟାତ ଗ୍ୟାଙ୍ଗଷ୍ଟର ରୋହିତ ଗୋଦରା ଗ୍ୟାଙ୍ଗର ସଦସ୍ୟ ବୋଲି ମଧ୍ୟ କହ୍ନୈୟାଲାଲଙ୍କୁ କହିଛନ୍ତି।
ବାସ୍ତବରେ କହ୍ନୈୟାଲାଲ ଜଣେ ଫଳ ବ୍ୟବସାୟୀ। କିନ୍ତୁ ସୁନା ପ୍ରତି ତାଙ୍କର ବେଶ ଦୁର୍ବଳତା ରହିଛି। ସେ ସବୁବେଳେ ବେକ ଠାରୁ ଆରମ୍ଭ କରି ହାତ ଓ ଆଙ୍ଗୁଳିରେ ସୁନା ଅଳଙ୍କାର ପିନ୍ଧି ବୁଲନ୍ତି। ବଲିଉଡ କଣ୍ଠଶିଳ୍ପୀ ବାପି ଲହରୀଙ୍କ ଭଳି ସେ ସୁନା ପିନ୍ଧୁଥିବାରୁ ତାଙ୍କୁ ଚିତ୍ତୋରଗଡ଼ର ବାପି ଲାହାରୀ ମଧ୍ୟ କୁହାଯାଏ।
ପୁଲିସ୍ର କହିବା କଥା ଯେ କହ୍ନୈୟାଲାଲ ଦୁଇ ଦିନ ତଳେ ଗୋଟିଏ ମିସ କଲ ପାଇଥିଲେ। ଏହାପରେ ସମାନ ନମ୍ବରରୁ ତାଙ୍କ ପାଖକୁ ହ୍ୱାଟସଆପରେ କଲ ଆସିଥିଲା। ଅଜଣା ନମ୍ବର ହୋଇଥିବାରୁ କହ୍ନୈୟାଲାଲ ଏହାକୁ ଉଠାଇ ନଥିଲେ। ସେ ଉତ୍ତର ନ ଦେବାରୁ ତାଙ୍କ ପାଖକୁ ଆସିଥିଲା ଗୋଟିଏ ଅଡିଓ ବାର୍ତ୍ତା। ଏହି ବାର୍ତ୍ତା ଜରିଆରେ ତାଙ୍କୁ ୫ କୋଟି ଟଙ୍କାର ବଟି ଦେବାକୁ ଧମକ ଦିଆଯାଇଛି।
ଯଦି ସେ ୫ କୋଟି ଟଙ୍କା ନ ଦେବେ, ତା’ହେଲେ ସୁନା ପିନ୍ଧିବା ଅବସ୍ଥାରେ ଆଉ ରହିବେ ନାହିଁ। ପୁଲିସ୍କୁ ନ ଜଣାଇ ଚୁପଚାପ ମାମଲାକୁ ରଫାଦଫା କରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି। ପ୍ରଥମେ ଅଡିଓ ବାର୍ତ୍ତା ଆସିଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ତାଙ୍କୁ ଫୋନ କଲ ଆସିଥିଲା।
ଫୋନ କରିଥିବା ବ୍ୟକ୍ତି ତାଙ୍କୁ ସମାନ ପରିମାଣର ବଟି ତୁରନ୍ତ ଦେବାକୁ କହିଛି। ଏନେଇ କହ୍ନୈୟାଲାଲ ପୁଲିସ୍ର ଦ୍ୱାରସ୍ଥ ହୋଇଛନ୍ତି। ସିଟି କୋଟୱାଲି ପୁଲିସ୍ ଷ୍ଟେସନରେ ଏନେଇ ଗୋଟିଏ ମାମଲା ମଧ୍ୟ ରୁଜୁ ହୋଇଛି।
କହ୍ନୈୟାଲାଲ ଖାଟିକ: ଚିତ୍ତୋରଗଡ଼ର ଗୋଲ୍ଡମ୍ୟାନ
୫୦ ବର୍ଷୀୟ କହ୍ନୈୟାଲାଲ ପ୍ରଥମେ ଠେଲା ଗାଡ଼ିରେ ପରିବା ବ୍ୟବସାୟ କରୁଥିଲେ। ଏହାପରେ ସେ ଫଳ ବ୍ୟବସାୟ ଆରମ୍ଭ କରିଥିଲେ। ଫଳ ବ୍ୟବସାୟ କରିବା ସମୟରେ ତାଙ୍କ ଭାଗ୍ୟ ବଦଳି ଯାଇଥିଲା। ସେ ସେଓ ବ୍ୟବସାୟ କରି ବେଶ ଲାଭ ପାଇବାରେ ଲାଗିଥିଲେ। ବେଶ କିଛି ବର୍ଷ ଲାଭରେ ରହିବା ପରେ ସେ ସୁନା ପ୍ରତି ଥିବା ତାଙ୍କ ଦୁର୍ବଳତା ସମସ୍ତଙ୍କୁ ଜଣାଇଥିଲେ।
ସେ ଫଳ ବ୍ୟବସାୟ କରୁଥିଲେ ହେଁ ୩.୫ କେଜି ଓଜନର ସୁନା ଅଳଙ୍କାର ପନ୍ଧନ୍ତି। ତେଣୁ ତାଙ୍କୁ ସମସ୍ତେ ଚିତ୍ତୋରଗଡ଼ର ଗୋଲ୍ଡମ୍ୟାନ ବୋଲି କହିବାକୁ ଲାଗିଥିଲେ। ଏହି ନାଁରେ ସେ ବେଶ ପରିଚିତ।
ରୋହିତ ଗୋଦରା କିଏ?
ରୋହିତ ହେଉଛି ବିକେନାରର ଲୁନାକରଣର ମୂଳବାସିନ୍ଦା। ଏବେ ସେ କାନାଡାରେ ରହୁଛି। ତା’ ନାଁରେ ଭାରତର ବିଭିନ୍ନ ଥାନାରେ ୩୨ରୁ ଅଧିକ ମାମଲା ରହିଛି। ରାଜସ୍ଥାନର ବଡ଼ବଡ଼ ବ୍ୟବସାୟୀଙ୍କୁ ଧମକ ଦେଇ ରୋହିତ ଗୋଦରା ଗ୍ୟାଙ୍ଗର ସଦସ୍ୟମାନେ ବଟି ଆଦାୟ କରନ୍ତି। ରାପ୍ପର ସିଦ୍ଧୁ ମୁସେ ୱାଲାଙ୍କ ହତ୍ୟାକାଣ୍ଡର ଅନ୍ୟତମ ପ୍ରମୁଖ ଅଭିଯୁକ୍ତ ହେଉଛି ରୋହିତ।
୨୦୨୨ ଜୁନ ୧୩ରେ ରୋହିତ ଗୋଦରା ନକଲି ପାସପୋର୍ଟ ଜରିଆରେ ଦିଲ୍ଲୀରୁ ଦୁବାଇ ଚାଲି ଯାଇଥିଲା। ଏହାପରେ ସେ କାନାଡାରେ ରହି ନିଜ ନେଟୱର୍କ ଭାରତରେ ଚଳାଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
