Advertisment

Madvi Hidma Killed: କୁଖ୍ୟାତ ମାଓବାଦୀ ହିଡମାର ନିହତ ପଛର କାହାଣୀ, କେମିତି ଥିଲା ପୂରା ଅପରେସନ?

ସୁରକ୍ଷାକର୍ମୀଙ୍କ ଘନଘନ ଅପରେସନ ଯୋଗୁ ବିପୁଳ ସଂଖ୍ୟାରେ ମାଓବାଦୀମାନେ ଆତ୍ମସମର୍ପଣ କରିବା ଆରମ୍ଭ କରିଥିଲେ। ସେମାନଙ୍କ ମନରେ କେବଳ ମୃତ୍ୟୁର ଭୟ ନଥିଲା, ବରଂ ସେମାନେ ଏମିତି ଏକ ବିପ୍ଳବର ଅଂଶବିଶେଷ ହୋଇଛନ୍ତି ଯାହା ଆଉ କେବେ ବି ନିଜର ଲକ୍ଷ୍ୟ ହାସଲ କରିପାରିବ ନାହିଁ ବୋଲି ଭଲ ଭାବେ ବୁଝି ଯାଇଥିଲେ।

author-image
Hemant Lenka
PlGA

ହିଡମା

ଭାରତର ଅନ୍ୟତମ କୁଖ୍ୟାତ ମାଓବାଦୀ(Naxal) କମାଣ୍ଡର ମାଡଭୀ ହିଡମା ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ହିଡମାର ମୃତ୍ୟୁ ସହ ଦେଶରେ ସକ୍ରିୟ ଥିବା ନକ୍ସଲବାଦ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚି ଯାଇଛି। ଏହା ମାଓବାଦୀ ସଂଗଠନ ପାଇଁ ଶକ୍ତ ଝଟକା। କାରଣ ଏହାପୂର୍ବରୁ ମେ’ ମାସରେ ଏନ କେଶବ ରାଓ ଓରଫ ବାସବରାଜ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଥିଲା। ସେହିପରି ଅକ୍ଟୋବର ମାସରେ ଏମ ଭେନୁଗୋପାଳ ରାଓ ଓରଫ ଭୂପତି ଆତ୍ମସମର୍ପଣ କରିଥିଲା। ସଂଗଠନର ଟପ୍‌ ୩ ନେତାଙ୍କ ମଧ୍ୟରୁ ୨ ଜଣ ନିହତ ହେବା ଓ ଜଣେ ଆତ୍ମସର୍ପଣ କରିବା ଅନ୍ୟ ସଦସ୍ୟଙ୍କ ମେରୁଦଣ୍ଡକୁ ଭାଙ୍ଗି ଦେଇଛି। 

Advertisment

ଆଜି ଆନ୍ଧ୍ର ପ୍ରଦେଶର ଆଲ୍ଲୁରି ସୀତାରାମରାଜୁ ଜିଲ୍ଲାରେ ହୋଇଥିବା ଏନକାଉଣ୍ଟର(Encounter)ରେ ହିଡାମ ସମେତ ତା’ ପତ୍ନୀ ରାଜେ ଓ କିଛି ଘନିଷ୍ଠ ସହଯୋଗୀଙ୍କୁ ମିଶାଇ ୬ ଜଣ  ନିହତ ହୋଇଛନ୍ତି। ବାସ୍ତବରେ ଭାରତରେ ଲେଫ୍ଟ ୱିଙ୍ଗ ଏକ୍ସଟ୍ରେମିସିମ(LWE)ର ପତନ ୨୦୨୧ ମସିହା ମିଲିନ୍ଦ ତେଲତୁମ୍ବଡେର ମୃତ୍ୟୁରୁ ଆରମ୍ଭ ହୋଇଥିଲା। ମିଲିନ୍ଦ ଥିଲା ସିପିଆଇ(ମାଓବାଦୀ) କେନ୍ଦ୍ରୀୟ କମିଟିର ସଦସ୍ୟ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକ୍ତ ଭାରତ ରଣହୁଙ୍କାର ପରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ବ୍ୟାକ ଟୁ ବ୍ୟାକ ଅପରେସନ ଆରମ୍ଭ ହୋଇଥିଲା। 

ସୁରକ୍ଷାକର୍ମୀଙ୍କ ଘନଘନ ଅପରେସନ ଯୋଗୁ ବିପୁଳ ସଂଖ୍ୟାରେ ମାଓବାଦୀମାନେ ଆତ୍ମସମର୍ପଣ କରିବା ଆରମ୍ଭ କରିଥିଲେ। ସେମାନଙ୍କ ମନରେ କେବଳ ମୃତ୍ୟୁର ଭୟ ନଥିଲା, ବରଂ ସେମାନେ ଏମିତି ଏକ ବିପ୍ଳବର ଅଂଶବିଶେଷ ହୋଇଛନ୍ତି ଯାହା ଆଉ କେବେ ବି ନିଜର ଲକ୍ଷ୍ୟ ହାସଲ କରିପାରିବ ନାହିଁ ବୋଲି ଭଲ ଭାବେ ବୁଝି ଯାଇଥିଲେ। ତେଣୁ ସେମାନେ ଆତ୍ମସମର୍ପଣ କରିଥିଲେ। 

Advertisment

ମାଓବାଦୀ ସଂଗଠନରେ ଆରମ୍ଭ ହୋଇଥିଲା ବିବାଦ

ପୂର୍ବତନ ସାଧାରଣ ସମ୍ପାଦକ ବାସବରାଜର ମୃତ୍ୟୁ ପରେ ସିପିଆଇ(ମାଓବାଦୀ)ରେ ଦେଖାଯାଇଥିଲା ନେତୃତ୍ୱ ସଙ୍କଟ। ଏଥିଯୋଗୁ ସଂଗଠନର ଅନ୍ୟତମ ସଦସ୍ୟ ଭୂପତି ଆତ୍ମସମର୍ପଣ କରିଥିଲା। ଅକ୍ଟୋବର ୧୪ରେ ସେ ମହାରାଷ୍ଟ୍ରର ଗଡ଼ଚିରୋଲି ଜିଲ୍ଲାରେ ଭୂପତି ୬୦ ଜଣ କ୍ୟାଡର ମାଓବାଦୀଙ୍କ ସହ ଆତ୍ମସମର୍ପଣ କରିବା ସଂଗଠନରେ ଥିବା ବିବାଦକୁ ଦର୍ଶାଇଥିଲା। 

ଜେରା ବେଳେ ଭୂପତି ସିପିଆଇ(ମାଓବାଦୀ)ର ଭିତିରି ବିବାଦ ସମ୍ପର୍କରେ ମତ ରଖିଥିଲା। ଏଥିସହ ସଂଗଠନକୁ ଆଉ ଲୋକଙ୍କ ସମର୍ଥନ ମିଳୁନାହିଁ ଓ କିଛି ମାଓବାଦୀ ସଂଗଠନର ଲିଙ୍କ ତେଲଙ୍ଗାନା ରାଜନେତାଙ୍କ ସହ ରହିଥିବା ମଧ୍ୟ ସେ ଖୁଲାସା କରିଥିଲା। ସେହିପରି ହିଡମା ଓ ତା’ର କିଛି ବିଶ୍ୱସ୍ତ କ୍ୟାଡର ସଂଗଠନକୁ ଦଖଲ କରିବାକୁ ଚାହୁଁଥିବା ମଧ୍ୟ ସେ କହିଥିଲା। 

କେମିତି ହିଡମାର ଗତିବିଧିର ଖୁଲାସା କରିଥିଲା ସହଯୋଗୀ? 

ଅକ୍ଟୋବର ମାସରେ ହିଡମାର ସହଯୋଗୀ ଓୟାମ ଲାଖମୁ ଆତ୍ମସମର୍ପଣ କରିଥିଲା। ଲାଖମୁ ଏକଦା ପିପୁଲ୍ସ  ଲିବେରେସନ ଗରିଲା ଆର୍ମି(ପିଏଲଜିଏ) ବାଟାଲିୟନ ନମ୍ବର ୧ର ସଦସ୍ୟ ଭାବେ କାମ କରୁଥିଲା। ଜେରା ବେଳେ ସେ କହିଥିଲା ଯେ ଚଳିତ ବର୍ଷର ବଡ଼ ଅପରେସନ ପରେ ହିଡମା ତା’ର ପ୍ରାୟ ୨୫୦ ଜଣ ବିଶ୍ୱସ୍ତ ସହଯୋଗୀଙ୍କୁ ଧରି ତେଲଙ୍ଗାନାରେ ପ୍ରବେଶ କରିଛି।

ଏହାପରେ ଗୁଇନ୍ଦା ବିଭାଗ ହିଡମାର ଗିତିବିଧିକୁ ଜାଣିବା ପାଇଁ ଫୁଲଦମରେ ଲାଗି ପଡ଼ିଥିଲା। ଏକଥା ହିଡମା ପାଖରେ ପହଞ୍ଚିବାରୁ ସେ ଆତଙ୍କିତ ହୋଇ ଛତିଶଗଡ଼ ସୀମାର ଗୋଟିଏ ଉପାନ୍ତ ଅଞ୍ଚଳକୁ ଆସିବାକୁ ବାଧ୍ୟ ହୋଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ଆଜି ତା’ର ମୁଣ୍ଡ ଗଡ଼ାଇବାରେ ସକ୍ଷମ ହୋଇଛନ୍ତି। 

ସୁକମା ଏସ୍‌ପି କିରଣ ଚୌହାନ ଅକ୍ଟୋବରରେ କହିଥିଲେ ଯେ ହିଡମାକୁ ଦଣ୍ଡକାରଣ୍ୟ-ଦକ୍ଷିଣ ବସ୍ତର ଜୋନର ସବୁଠାରୁ ପ୍ରଭାବୀ ଫିଲ୍ଡ କମାଣ୍ଡର ଭାବେ ବିବେଚନା କରାଯାଉଥିଲା। 

ଗୁଇନ୍ଦା ସୂଚନା ପରେ ଆରମ୍ଭ ହୋଇଥିଲା ଅପରେସନ 

ଆନ୍ଧ୍ର ପ୍ରଦେଶର ଗୁଇନ୍ଦା ବିଭାଗ ଏଡିଜି ମହେଶ ଚନ୍ଦ୍ର ଲାଧା ପୂରା ଅପରେସନର ନେତୃତ୍ୱ ନେଉଥିଲେ। ସେ କହିଛନ୍ତି, “ନିଜର ସଂଗଠନ ଓ କାର୍ଯ୍ୟକଳାପକୁ ସକ୍ରିୟ କରିବା ପାଇଁ ବରିଷ୍ଠ ମାଓବାଦୀମାନେ ଆନ୍ଧ୍ର ପ୍ରଦେଶରେ ପ୍ରବେଶ କରିଥିବା ଗୁଇନ୍ଦା ସୂଚନା ମିଳିଥିଲା।  ମାଓବାଦୀ ନେତାମାନେ ଆନ୍ଧ୍ରରେ ଆଶ୍ରୟ ନେବାକୁ ଯୋଜନା କରିଥିଲେ।

ଏହି ତଥ୍ୟ ପରେ ସେମାନଙ୍କ ଗତିବିଧି ଉପରେ ପୂରା ନଜର ରଖାଯାଇଥିଲା। ଆମେ ଉପଯୁକ୍ତ ସୁଯୋଗ ଅପେକ୍ଷାରେ ରହିଥିଲୁ। ଆଜି ପୂରା ଅପରେସନ କରାଯାଇଥିଲା। ଏନକାଉଣ୍ଟର ସ୍ଥଳରୁ କିଛି ମାଓବାଦୀ ଛତ୍ରଭଙ୍ଗ ଦେଇଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳରେ କମ୍ବିଂ ଅପରେସନ ଜାରି ରହିଛି। ଖସି ଯାଇଥିବା ମାଓବାଦୀମାନଙ୍କୁ ଖୁବଶୀଘ୍ର ଧରାଯିବ।” 

ଏନକାଉଣ୍ଟର ସ୍ଥଳରୁ ସୁରକ୍ଷାକର୍ମୀ ହିଡମା ଓ ତା’ ପତ୍ନୀ ସମେତ ୬ ଜଣଙ୍କ ମୃତଦେହ ଜବତ କରିଛନ୍ତି। ଏଥିସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି।

ଲାଧା କହିଛନ୍ତି, “ଆମେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଠାବ କରିଛୁ। ଏହା ମଧ୍ୟରେ ୨ଟି ଏକେ ୪୭, ଗୋଟିଏ ପିସ୍ତଲ, ଗୋଟିଏ ରିଭଲଭର, ଗୋଟିଏ ସିଙ୍ଗଲ ବୋର ଅସ୍ତ୍ର ଓ କିଟ ବ୍ୟାଗ ସହ ଅନ୍ୟାନ୍ୟ ଜିନିଷ ରହିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ଏହାପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।” 

Naxal Encounter