Advertisment

୬୦ ବର୍ଷ ବୟସରେ କାହିଁକି ଦଳୀୟ ନେତ୍ରୀଙ୍କୁ ବିବାହ କଲେ ବରିଷ୍ଠ ବିଜେପି ନେତା?

ରିଙ୍କୁ କହିଛନ୍ତି, ଆରମ୍ଭରୁ ଦିଲୀପ ଏହାକୁ ଗ୍ରହଣ କରି ନଥିଲେ। ଉତ୍ତର ଦେବା ପୂର୍ବରୁ ସେ ନିଜ ମା’ଙ୍କ ସହ କଥା ହୋଇଥିଲେ। ପ୍ରାୟ ୩ ମାସ ପରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ମୋତେ ଜଣାଇଥିଲେ।

author-image
Hemant Lenka
Dilip

Dilip

ପଶ୍ଚିମବଙ୍ଗର ପୂର୍ବତନ ବିଜେପି ସଭାପତି ତଥା ବରିଷ୍ଠ ରାଜନେତା ଦିଲୀପ ଘୋଷ ନିଜ ଦଳର ନେତ୍ରୀ ରିଙ୍କୁ ମଜୁମଦାରଙ୍କୁ ବିବାହ କରିଛନ୍ତି। ଉଭୟ ଦୀର୍ଘ ବର୍ଷ ହେଲା ଏକାଠି ବିଜେପି ପାଇଁ କାମ କରୁଥିବା ବେଳେ ଏବେ ପରସ୍ପରର ହାତକୁ ସୁବିଦିନ ପାଇଁ ଧରି ନେଇଛନ୍ତି। ଶୁକ୍ରବାର ଏହି ବାହାଘର ଶେଷ ହୋଇଛି। ବାହାଘର ପରେ ଦିଲୀପ ଓ ତାଙ୍କ ପତ୍ନୀ ରିଙ୍କୁ ଗଣମାଧ୍ୟମ ଆଗକୁ ଆସି ସମସ୍ତଙ୍କ ଆଶୀର୍ବାଦ କାମନା କରିଛନ୍ତି।

Advertisment

କୋଲକାତା ନିକଟ ନ୍ୟୁ ଟାଉନ ସ୍ଥିତ ଘର ବାହାରେ ଦିଲୀପ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ “ମୁଁ ଶୁଭେଚ୍ଛା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ। ତାଙ୍କୁ ମଧ୍ୟ ଧନ୍ୟବାଦ। ମୋର ବ୍ୟକ୍ତିଗତ ଜୀବନ ରାଜନୀତିକ କ୍ୟାରିୟରକୁ ପ୍ରଭାବିତ କରିବ ନାହିଁ।”

୬୦ ବର୍ଷ ହେଲା ଅବିବାହିତ ଥିବା ଦିଲୀପ ହଠାତ୍‌ ନିଜ ଦଳର ଜଣେ ନେତ୍ରୀଙ୍କୁ ବିବାହ କରିବା ଚର୍ଚ୍ଚାର ବିଷୟ ପାଲଟିଛି। ଯଦି ସେ ବାହା ହେବାର ଥିଲା, ତା’ହେଲେ କାହିଁକି ଆଗରୁ ଏପରି ପଦକ୍ଷେପ ନେଲେ ନାହିଁ ବୋଲି ପ୍ରଶ୍ନ ଉଠିଛି। ତେବେ ଦିଲୀପଙ୍କ କହିବା କଥା ଯେ ସେ ବାହା ହେବାକୁ ଚାହୁଁ ନଥିଲେ। କିନ୍ତୁ ମା’ଙ୍କ ଇଚ୍ଛା ପୂରଣ କରିବା ପାଇଁ ସେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦିଲୀପ ଏଯାଏ ବ୍ୟାଚେଲର ଥିବା ବେଳେ ରିଙ୍କୁ ମଜୁମଦାରଙ୍କ ଏହା ଦ୍ୱିତୀୟ ବିବାହ। ରିଙ୍କୁ ମଜୁମଦାରଙ୍କ ଜଣେ ପୁଅ ବି ଅଛନ୍ତି। 

Advertisment

ଦିଲୀପ ଘୋଷ ବେଙ୍ଗଲରେ ବିଜେପିର ଅତି ପରିଚିତ ଚେହେରା। ସେ ଯୁବାବସ୍ଥାରୁ ଆରଏସଏସ ସହ ଜଡ଼ିତ ହୋଇ ରହିଥିଲେ। ୨୦୧୫ରେ ରାଜ୍ୟ ବିଜେପିର ସଭାପତି ହେବା ପୂର୍ବରୁ ଦେଶର ବିଭିନ୍ନ ସ୍ଥାନରେ ସେ ଦଳ ପାଇଁ କାମ କରିଥିଲେ। ଦିଲୀପ ରାଜ୍ୟ ବିଜେପି ସଭାପତି ଥିବା ବେଳେ ଦଳକୁ ପ୍ରମୁଖ ବିରୋଧୀ ଦଳ ଭାଗେ ଗଢ଼ି ତୋଳିଥିଲେ। ପୂର୍ବରୁ ବାମପନ୍ଥୀ ଦଳ ପ୍ରମୁଖ ବିରୋଧୀ ଭାବେ ବେଙ୍ଗଲରେ କାମ କରୁଥିଲା।

୨୦୨୧ରେ ଦିଲୀପ ଓ ରିଙ୍କୁ ଇକୋ ପାର୍କ ନିକଟରେ ମର୍ଣ୍ଣିଂ ୱାକ କରୁଥିବା ବେଳେ ପରସ୍ପର ସହ ଦେଖା ହୋଇଥିଲେ। ସମୟକ୍ରମେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢ଼ିଥିଲା। ସେମାନେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ। ନିକଟରେ କୋଲକାତାର ଇଡେନ ଗାର୍ଡେନ୍ସରେ ଗୋଟିଏ ଆଇପିଏଲ ମ୍ୟାଚ୍‌ ବେଳେ ଉଭୟ ନିଜ ସମ୍ପର୍କକୁ ବିବାହର ରୂପ ଦେବାକୁ ନିଷ୍ପତ୍ତି ନେଇଥିଲେ। ବାହାଘର ପ୍ରସ୍ତାବ ପ୍ରଥମେ ରିଙ୍କୁ ମଜୁମଦାରଙ୍କ ପକ୍ଷରୁ ଆସିଥିଲା। ଦିଲୀପ ୩ ମାସ ପରେ ଏଥିରେ ହଁ ଭରିଥିଲେ।

୫୧ ବର୍ଷୀୟ ରିଙ୍କୁ ମଜୁମଦାର କହିଛନ୍ତି, “ଦିଲୀପ ଘୋଷ ମୋ ପ୍ରସ୍ତାବକୁ ଗ୍ରହଣ କରିଥିବାରୁ ମୁଁ ବେଶ ଖୁସି ଓ ଗର୍ବିତ। କାରଣ ଆରମ୍ଭରୁ ସେ ଏହି ସମ୍ପର୍କ ପ୍ରତି ଆଦୌ ଆକୃଷ୍ଟ ନଥିଲେ।” ବାହାଘର କାର୍ଯ୍ୟକ୍ରମେ ରାଜ୍ୟ ବିଜେପି ସଭାପତି ସୁକାନ୍ତ ମଜୁମଦାରଙ୍କ ଠାରୁ ଆରମ୍ଭ କରି ଦଳର ବରିଷ୍ଠ ନେତାମାନେ ଦିଲୀପଙ୍କ ଘରେ ପହଞ୍ଚି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ମୁଖ୍ୟମନ୍ତ୍ରୀ ମମତା ମଧ୍ୟ ମଧ୍ୟାହ୍ନ ସମୟରେ ଦିଲୀପ ଓ ରିଙ୍କୁ ମଜୁମଦାରଙ୍କ ପାଇଁ ଫୁଲତୋଡ଼ା ଓ ଶୁଭେଚ୍ଛା ପତ୍ର ପଠାଇଥିଲେ। କିନ୍ତୁ ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଏହି ବାହାଘରକୁ ନେଇ କେବଳ ନୀରବତା ଅବଲମ୍ବନ କରିଛନ୍ତି। ସେ ଦିଲୀପଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇ ନାହାନ୍ତି।

ରିପୋର୍ଟ ଅନୁସାରେ, ବାହାଘର ନୀତିକାନ୍ତି ବୈଦିକ ପରମ୍ପରା ଅନୁସାରେ ଶେଷ ହୋଇଛି। କେବଳ ଦମ୍ପତିଙ୍କ ଘନିଷ୍ଠ ବ୍ୟକ୍ତିବିଶେଷ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଦିଲୀପ ଘୋଷ ୨୦୧୯ରୁ ୨୦୨୪ ଯାଏ ଖଡ଼କପୁର ଲୋକସଭାରୁ ଆସନରୁ ନିର୍ବାଚିତ ହୋଇଥିଲେ। ଶୁକ୍ରବାର ସେ ବାହା ହୋଇଥିବା ବେଳେ ଶନିବାର ଖଡ଼କପୁର ଯିବେ ବୋଲି କହିଛନ୍ତି। ସେହିପରି ଦମଦମରେ ଆୟୋଜିତ ରାଜନୀତିକ କାର୍ଯ୍ୟକ୍ରମରେ ବି ସେ ସାମିଲ ହେବେ।

ରିଙ୍କୁ ମଜୁମଦାର କିଏ?

ପଶ୍ଚିମବଙ୍ଗରେ ବିଜେପି ମହିଳା ମୋର୍ଚ୍ଚାର ଦାୟିତ୍ୱ ରିଙ୍କୁ ମଜୁମଦାରଙ୍କ ଉପରେ ରହିଛି। ସେ ଦଳର ଓବିସି ୟୁନିଟ, ହ୍ୟାଣ୍ଡେଲୁମ ସେଲ ଓ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଛନ୍ତି। ରିଙ୍କୁ ମଜୁମଦାର ଓ ତାଙ୍କ ପ୍ରଥମ ସ୍ୱାମୀଙ୍କ ମଧ୍ୟରେ ଛାଡ଼ପତ୍ର ହୋଇ ସାରିଛି। ରିଙ୍କୁ ମଜୁମଦାରଙ୍କ ପୁଅ ଏବେ କୋଲକାତାର ସଲ୍ଟ ଲେକରେ ଥିବା ଗୋଟିଏ ଆଇଟି କମ୍ପାନୀରେ କାମ କରୁଛନ୍ତି। ଏପ୍ରିଲରେ ଇଡେନ ଗାର୍ଡେନ୍ସରେ ଆୟୋଜିତ ଆଇପିଏଲ ମ୍ୟାଚ୍‌ ବେଳେ ଦିଲୀପ ଓ ରିଙ୍କୁ ମଜୁମଦାର ଏକାଠି ନଜର ଆସିଥିଲେ। ଏହି ସମୟରେ ରିଙ୍କୁ ନିଜ ତରଫରୁ ଦିଲୀପଙ୍କ ମା’ ପୁଷ୍ପଲତା ଘୋଷଙ୍କ ସହ କଥା ହେବା ସହ ବାହାଘର ପାଇଁ ତାଙ୍କୁ ରାଜି କରାଇଥିଲେ।

ରିଙ୍କୁ କହିଛନ୍ତି, “୨୦୧୩ରୁ ମୁଁ ବିଜେପି ସହ ଜଡ଼ିତ ହୋଇ ରହିଛି। ଯେତେବେଳେ ଦିଲୀପ ବିଧାୟକ ଓ ସାଂସଦ ଥିଲେ ସେତେବେଳେ ମୁଁ ତାଙ୍କ ସହ ଆଦୌ କଥା ହୋଇ ନଥିଲି। ସେହି ସମୟରେ ମୁଁ ବ୍ଲକ ସ୍ତରରେ କାମ କରୁଥିଲି। ୨୦୨୧ ନିର୍ବାଚନ ପୂର୍ବରୁ ଆମେ ପ୍ରଥମ ଥର ଇକୋ ପାର୍କ ନିକଟରେ ପରସ୍ପର ସହ କଥା ହୋଇଥିଲୁ। ଲୋକସଭା ନିର୍ବାଚନ ବେଳେ ଆମ କଥାବାର୍ତ୍ତା ସାମାନ୍ୟ ବଢ଼ିଥିଲା। ସେପ୍ଟେମ୍ବର ମାସ ବେଳକୁ ମୁଁ ନୂଆ ଇନିଂସ ଆରମ୍ଭ କରିବାକୁ ନିଷ୍ପତ୍ତି ନେବାରୁ ତାଙ୍କୁ ପ୍ରସ୍ତାବ ଦେଇଥିଲି।

ମୋର ସର୍ତ୍ତ ଥିଲା ଯେ ମୁଁ ଯାହାଙ୍କୁ ଜୀବନ ସାଥୀ ଭାବେ ବାଛିବି ସେ ନ୍ୟୁ ଟାଉନର ହୋଇଥିବେ ଓ ସେ ମୋର ରାଜନୀତିକ କ୍ୟାରିୟରକୁ ଗ୍ରହଣ କରୁଥିଲେ। ମୁଁ ଯେତେବେଳେ ଏକଥା ଭାବିବା ଆରମ୍ଭ କଲି ସେତେବେଳେ ଦିଲୀପ ଘୋଷ ମୋ ମନକୁ ଆସିଥିଲେ। ମୋ ନିର୍ବାଚନ ମଣ୍ଡଳୀରେ ସେ ସବୁଠାରୁ ଯୋଗ୍ୟ ଅବିବାହିତ ରହିଥିଲେ। ସେ ଜଣେ ଭଲ ମଣିଷ, ବେଶ ସ୍ୱଚ୍ଛ ଓ ମାନସିକ ସ୍ତରରେ ଦୃଢ଼। ମୁଁ ତାଙ୍କର ଏହି ଗୁଣକୁ ବେଶ ପସନ୍ଦ କରୁଥିଲି। ତେଣୁ ତାଙ୍କୁ ମୁଁ କାହିଁକି ପ୍ରପୋଜ କରିବି ନାହିଁ ବୋଲି ଭାବିଥିଲି।”

କ’ଣ ଦିଲୀପ ଘୋଷ ତୁରନ୍ତ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନେଇଥିଲେ ବୋଲି ପ୍ରଶ୍ନରେ ରିଙ୍କୁ କହିଛନ୍ତି, ଆରମ୍ଭରୁ ସେ ଏହାକୁ ଗ୍ରହଣ କରି ନଥିଲେ। ଉତ୍ତର ଦେବା ପୂର୍ବରୁ ସେ ନିଜ ମା’ଙ୍କ ସହ କଥା ହୋଇଥିଲେ। ପ୍ରାୟ ୩ ମାସ ପରେ ସେ ନିଜର ନିଷ୍ପତ୍ତି ସମ୍ପର୍କରେ ମୋତେ ଜଣାଇଥିଲେ।

ରିଙ୍କୁ କହିଛନ୍ତି, “ସେପ୍ଟେମ୍ବର ମାସରେ ଯେତେବେଳେ ମୁଁ ମୋ ଭବିଷ୍ୟତ କଥା ଚିନ୍ତା କରିଥିଲି ସେତେବେଳେ ଜଣେ ଭଲ ଲୋକଙ୍କୁ ସମ୍ପର୍କରେ ଭାବିଥିଲି। ମୁଁ ୧୭ ବର୍ଷ କାଳ ଅପେକ୍ଷା କରିଥିଲି। ମୁଁ ମୋର ସମସ୍ତ ଦାୟିତ୍ୱ ଓ କର୍ତ୍ତବ୍ୟ ପୂରଣ କରିଥିଲି। ଏବେ ମୋ ବିଷୟରେ ଚିନ୍ତା କରିବାର ସମୟ ଆସିଛି ବୋଲି ଅନୁଭବ କରିଥିଲି। ଏଥିପାଇଁ ମୋତେ ଜଣେ ଉପଯୁକ୍ତ ବ୍ୟକ୍ତିଙ୍କ ଆବଶ୍ୟକ ଥିଲା।

ଏହି ସମୟରେ ଦିଲୀପ ଘୋଷ ମୋ ମନକୁ ଆସିଥିଲେ। ୨୦୧୩ରୁ ବ୍ଲକ ସ୍ତରରେ କାମ କରୁଥିବା ବେଳେ ମୁଁ ଧୀରେଧୀରେ ମହିଳା ମୋର୍ଚ୍ଚାକୁ ଯାଇଥିଲି। ମୁଁ ସେବେ ଠାରୁ ତାଙ୍କୁ ଜାଣିଥିଲି। ସେ ଯେତେବେଳେ ନିର୍ବାଚନ ହାରିଥିଲେ ସେତେବେଳେ ଭାଙ୍ଗି ପଡ଼ିଥିଲେ। ଏହି ସମୟରେ ସେ ଇକୋ ପାର୍କ ଯାଉଥିଲେ। ସେତେବେଳେ ତାଙ୍କ ସହ ମୋର ଦେଖା ହୋଇଥିଲା। ସେପ୍ଟେମ୍ବର ମାସରେ ମୁଁ ତାଙ୍କୁ ପ୍ରସ୍ତାବ ଦେଇଥିଲି। ଏବେ ଆମ ସମ୍ପର୍କ ବିବାହର ରୂପ ନେଇଛି।”

Bjp West Bengal Dilip Ghosh