West Bengal
ବିଚ୍ ରାସ୍ତାରେ ଜଣେ କାର୍ଯ୍ୟରତ ଆଇପିଏସ୍ ଅଫିସରଙ୍କୁ ବିଜେପି ନେତା ଅପମାନିତ କରିଛନ୍ତି। ଆଇପିଏସ ଅଫିସର ଜଣଙ୍କ ପଗଡ଼ି ପିନ୍ଧିଥିବାରୁ ତାଙ୍କୁ ବିଜେପି ନେତା ଖଲିସ୍ତାନୀ କହି କଟାକ୍ଷ କରିଥିବା ଅଭିଯୋଗ ହୋଇଛି।
ନିର୍ଦ୍ଦିଷ୍ଟ ଭାବେ କେଉଁ ବିଜେପି ନେତା ଏପରି ଶବ୍ଦ ପ୍ରୟୋଗ କରିଛନ୍ତି, ସେକଥା ଜଣାପଡ଼ିନି। କିନ୍ତୁ ପଶ୍ଚିମବଙ୍ଗର ସନ୍ଦେଶଖାଲି ଅଭିମୁଖେ ଯାଉଥିବା ବିଜେପି ନେତାମାନଙ୍କ ମଧ୍ୟରୁ କେହି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କରିଛନ୍ତି। ଏହାକୁ ନେଇ ଆଇପିଏସ ଅଫିସର ଜଣଙ୍କ ବିଚ୍ ରାସ୍ତାରେ ବିଜେପି ନେତା ଓ କର୍ମୀଙ୍କ ସହ ଯୁକ୍ତିତର୍କ କରୁଥିବା ଭିଡିଓ ସାମ୍ନାକୁ ଆସିଛି।
ଅବଶ୍ୟ ଭିଡିଓରେ ଖଲିସ୍ତାନୀ ଶବ୍ଦ ପ୍ରୟୋଗ ବେଳର ଦୃଶ୍ୟ ନାହିଁ। କିନ୍ତୁ ଆଇପିଏସ୍ ଅଫିସର ଜଣଙ୍କ ବିଜେପି ନେତାମାନଙ୍କ ସହ ଉକ୍ତ ଶବ୍ଦକୁ ନେଇ ଯୁକ୍ତିତର୍କ କରୁଥିବା ବେଳର ପୂରା ଘଟଣା ରହିଛି।
ଅଫିସର ଯଶପ୍ରୀତ ସିଂହ ବିଜେପି ନେତାମାନଙ୍କୁ କହୁଛନ୍ତି ଯେ “ମୁଁ ପଗଡ଼ି ପିନ୍ଧିଥିବାରୁ ଆପଣମାନେ ଏମିତି କହୁଛନ୍ତି। ଯଦି ମୁଁ ପଗଡ଼ି ପିନ୍ଧି ନଥାଆନ୍ତି, ତା’ହେଲେ ଆପଣ କ’ଣ ମୋତେ ଖଲିସ୍ତାନୀ କହି ଥାଆନ୍ତେ? ଆପଣ ପୁଲିସ୍ ସମ୍ପର୍କରେ ଯାହା ଇଚ୍ଛା ସେଇଆ କହିପାରିବେ। କିନ୍ତୁ ଆପଣ ମୋ ଧର୍ମକୁ ନେଇ ଏପରି ଶବ୍ଦ ବ୍ୟବହାର କରିପାରିବେ ନାହିଁ।”
ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିକୁ ଆଜି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଶୋଭାଯାତ୍ରା ବାହାରିଥିଲା। ଏହାକୁ ପୁଲିସ୍ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିଜେପି ବିଧାୟକ ଅଗ୍ନିମିତ୍ରା ପଲ ଆଇପିଏସ୍ ଯଶପ୍ରୀତଙ୍କ ସହ ଧାମାଖାଲି ନିକଟରେ ଯୁକ୍ତିତର୍କ କରିଥିଲେ।
ଅଫିସର ଜଣଙ୍କ ରାଗରେ କାହିଁକି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କଲେ ବୋଲି ପ୍ରଶ୍ନ କରୁଥିବା ବେଳେ ଜଣେ ବିଜେପି ନେତା ଆମେ କିଛି କହି ନାହୁଁ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ଯଶପ୍ରୀତ ହେଉଛନ୍ତି ୨୦୧୬ ମସିହା ଆଇପିଏସ ବ୍ୟାଚର ଅଧିକାରୀ। ସେ ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସ୍ରେ ସ୍ୱତନ୍ତ୍ର ଏସ୍ପି (ଗୁଇନ୍ଦା ବିଭାଗ) ଭାବେ କାର୍ଯ୍ୟ କରୁଛନ୍ତି।
ପୁଲିସ୍ ଅଫିସରଙ୍କ ପ୍ରତି ବିଜେପି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କରିଥିବା ଅଭିଯୋଗ କରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।
ମମତା କହିଛନ୍ତି, “ଆମ ଶିଖ ଭାଇ ଓ ଭଉଣୀମାନଙ୍କ ସମ୍ମାନକୁ କ୍ଷତି ପହଞ୍ଚାଇବା ପାଇଁ ବିଜେପି କରୁଥିବା ଉଦ୍ୟମକୁ ମୁଁ ନିନ୍ଦା କରୁଛି। ଆଜି ବିଜେପିର ବିଭାଜନ ରାଜନୀତି ଲଜ୍ଜାଜନକ ଭାବେ ସାମ୍ବିଧାନିକ ସୀମାକୁ ଅତିକ୍ରମ କରିଯାଇଛି। ବିଜେପି ମତରେ ପ୍ରତିଟି ପଗଡ଼ି ପିନ୍ଧିଥିବା ଲୋକ ଖଲିସ୍ତାନୀ।
ବେଙ୍ଗଲରେ ଜାରି ରହିଥିବା ସୌହାର୍ଦ୍ଦ୍ୟକୁ ଅକ୍ଷୁଣ୍ଣ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ବିଶୃଙ୍ଖଳା ପାଇଁ ଉଦ୍ୟମ କରୁଥିବା ପ୍ରତିଟି ଲୋକ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।”
କଂଗ୍ରେସ ମଧ୍ୟ ଏହି ଘଟଣାକୁ ନେଇ ବିଜେପିକୁ ସମାଲୋଚନା କରିଛି। କଂଗ୍ରେସ କହିଛି ଯେ “ବିଜେପିର ନିଚ ବ୍ୟବହାର ଦେଖନ୍ତୁ। ଦିନ ରାତି ଦେଶର ସେବା କରୁଥିବା ଜଣେ ପୁଲିସ୍ ଅଫିସରଙ୍କୁ ବିଜେପି ଖଲିସ୍ତାନୀ କହୁଛି। କାରଣ ସେ ପଗଡ଼ି ପିନ୍ଧିଥିଲେ। ଏହା ଅତ୍ୟନ୍ତ ନିଚ ମାନସିକତା।”
ତେବେ ବିଜେପି ସଫେଇ ଦେଇଛି ଯେ ଶୋଭାଯାତ୍ରାରେ ସାମିଲ ଥିବା କୌଣସି ଦଳୀୟ କର୍ମୀ କିମ୍ବା ନେତା ଖଲିସ୍ତାନୀ ଶବ୍ଦର ପ୍ରୟୋଗ କରି ନାହାନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1708432080.jpg)