Advertisment

କୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର! ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କଲେନି ବେଙ୍ଗଲ ସରକାର

ଇଡି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଶାହଜାହାଁ ଏବେ ବେଙ୍ଗଲ ପୁଲିସ୍‌ର ସିଆଇଡି ହେପାଜତରେ ଅଛନ୍ତି।

author-image
Hemant Lenka
shahjahan

shahjahan

ପଶ୍ଚିମବଙ୍ଗରେ ହାଇଡ୍ରାମା। କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିଲମ୍ବିତ ଟିଏମସି ନେତା ଶେଖ ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିବାକୁ ମନା କରି ଦେଇଛନ୍ତି ରାଜ୍ୟ ସରକାର।

Advertisment

ଇଡି ଅଧିକାରୀଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଶାହଜାହାଁ ଏବେ ବେଙ୍ଗଲ ପୁଲିସ୍‌ର ସିଆଇଡି ହେପାଜତରେ ଅଛନ୍ତି। ଉକ୍ତ ମାମଲାର ତଦନ୍ତ ଦାୟିତ୍ୱ ହାଇକୋର୍ଟ ସିବିଆଇକୁ ଦେବା ସହ ଶାହଜାହାଁଙ୍କୁ ଦିନ ୪.୩୦ ସୁଦ୍ଧା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରିବାକୁ କହିଥିଲେ। ତଥାପି ବେଙ୍ଗଲ ସରକାର କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିର କରି ନାହାନ୍ତି।

ଶାହଜାହାଁ ଓ ଘଟଣା ସହ ଜଡ଼ିତ ସମସ୍ତ ଦସ୍ତାବିଜକୁ ଦିନ ୪.୩୦ ସୁଦ୍ଧା ସିବିଆଇକୁ ହସ୍ତାନ୍ତର କରିବା ପାଇଁ କୋର୍ଟ କହିଥିଲେ। ସିବିଆଇ ଟିମ ମଧ୍ୟ କୋଲକାତାରେ ଥିବା ପୁଲିସ୍‌ ମୁଖ୍ୟାଳୟରେ ପହଞ୍ଚିଥିଲା। କିନ୍ତୁ ସରକାର ଶାହଜାହାଁଙ୍କୁ ହସ୍ତାନ୍ତର କରିବାକୁ ମନା କରି ଦେଇଥିଲେ। ତେଣୁ ସିବିଆଇ ଟିମ ଖାଲି ହାତରେ ସନ୍ଧ୍ୟା ୭.୩୦ ବେଳକୁ ମୁଖ୍ୟାଳୟରୁ ବାହାରି ଯାଇଛି।

Advertisment

ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ତେଣୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ ପୂର୍ବରୁ ରାଜ୍ୟ ସରକାର ଶାହଜାହାଁଙ୍କୁ ସିବିଆଇକୁ ହସ୍ତାନ୍ତର କରିପାରିବେ ନାହିଁ ବୋଲି କହିଛନ୍ତି। 

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଶାହଜାହାଁଙ୍କ ଘଟଣାର ତଦନ୍ତ କରିବାକୁ ଉଭୟ ଇଡି ଓ ରାଜ୍ୟ ସରକାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇଡି ଘଟଣାର ତଦନ୍ତ କେବଳ ସିବିଆଇ କରୁ ବୋଲି ଦାବି କରିଥିଲା।

ସେହିପରି ରାଜ୍ୟ ସରକାର ପୁଲିସ୍‌ ତଦନ୍ତ ଦାବି କରିଥିଲେ। ତେବେ କୋର୍ଟ ଇଡିର ଆବେଦନ ଅନୁସାରେ ଶାହଜାହାଁଙ୍କ ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରିଥିଲେ।

ଏହା ବିରୋଧରେ ରାଜ୍ୟ ସରକାର ତୁରନ୍ତ ସୁପ୍ରିମକୋର୍ଟରେ ଆବେଦନ କରି ଜରୁରୀ ଶୁଣାଣି ପାଇଁ ଦାବି କରିଥିଲେ। ହେଲେ ଜରୁରୀ ଶୁଣାଣିକୁ କୋର୍ଟ ମନା କରି ଦେଇଛନ୍ତି। ସେହିପରି ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରେ ଆବେଦନକୁ ଲିଷ୍ଟିଂ କରିବାକୁ କହିଛନ୍ତି।

ଇଡି ଅଧିକାରୀଙ୍କୁ ଆକ୍ରମଣ କରିବା ଘଟଣାରେ ପୁଲିସ୍‌ ଶାହଜାହାଁଙ୍କୁ ଗିରଫ କରିଥିଲା। କିନ୍ତୁ ସନ୍ଦେଶଖାଲିରେ ଶତାଧିକ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଓ ସେମାନଙ୍କ ଜମି ହଡ଼ପ ମାମଲାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ଶାହଜାହାଁ। ତାଙ୍କୁ ୫୫ ଦିନ ହେଲା ଖୋଜା ପଡ଼ିଥିବା ବେଳେ ଶେଷରେ ପୁଲିସ୍‌ ତାଙ୍କୁ ଗତ ବୁଧବାର ମଧ୍ୟରାତ୍ରରେ ଗିରଫ କରିଥିଲା।

West Bengal Sheikh Shahjahan