Advertisment

ବଢ଼ିଲା ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କ ଅଡ଼ୁଆ, ପୁଲିସ୍‌ ଜାରି କଲା ‘ଖଲିସ୍ତାନୀ’ ଭିଡିଓ

ମଙ୍ଗଳବାର ବିଜେପି ଟିମ ସନ୍ଦେଶଖାଲି ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ବିଜେପି ନେତା ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।

author-image
Hemant Lenka
BJP

BJP

ପଶ୍ଚିମବଙ୍ଗ ବିଜେପିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅଡ଼ୁଆ ବଢ଼ିଛି। ସେ ହିଁ ଆଇପିଏସ ଅଫିସର ଯଶପ୍ରୀତ ସିଂହଙ୍କ ବିରୋଧରେ ଖଲିସ୍ତାନୀ ଶବ୍ଦର ବ୍ୟବହାର କରିଥିଲେ। ଏହାର ସତ ସମସ୍ତଙ୍କୁ ଜଣାଇବା ପାଇଁ ପଶ୍ଚିମବଙ୍ଗ ପୁଲିସ୍‌ ପକ୍ଷରୁ ପୂରା ଘଟଣାର ଭିଡିଓ ଜାରି କରାଯାଇଛି।

Advertisment

ମଙ୍ଗଳବାର ବିଜେପି ଟିମ ସନ୍ଦେଶଖାଲି ଯାଉଥିବା ବେଳେ ପୁଲିସ୍‌ ସେମାନଙ୍କୁ ଅଟକାଇଥିଲା। ଏହାକୁ ନେଇ ବିଜେପି ନେତା ଓ ପୁଲିସ୍‌ କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏତିକି ବେଳେ ବିଜେପି କ୍ୟାମ୍ପରୁ କେହି ଜଣେ ଶିଖ ଆଇପିଏସ୍‌ ଯଶପ୍ରୀତଙ୍କୁ ଟାର୍ଗେଟ କରି ଖଲିସ୍ତାନୀ ଶବ୍ଦର ବ୍ୟବହାର କରିଥିଲେ।

ଏହାକୁ ନେଇ ବିଚ୍‌ ରାସ୍ତାରେ ଯଶପ୍ରୀତ ବିଜେପି ନେତାମାନଙ୍କ ସହ ଯୁକ୍ତିତର୍କ କରିଥିଲେ। ତଥାପି ବିଜେପି ପୂରା ଘଟଣାକୁ ଫାଙ୍କିବାକୁ ଚେଷ୍ଟା କରିଥିଲା। ବିଜେପିର କୌଣସି ନେତା କିମ୍ବା କର୍ମୀ ଖଲିସ୍ତାନୀ ଶବ୍ଦର ବ୍ୟବହାର କରି ନଥିବା ଦଳ ସଫେଇ ଦେଇଥିଲା। କିନ୍ତୁ ଆଜି ବେଙ୍ଗଲ ପୁଲିସ୍‌ ଗୋଟିଏ ଭିଡିଓ ଜାରି କରି ବିଜେପିର ସବୁ ମିଛକୁ ଧରାଇ ଦେଇଛି।

Advertisment

ବେଙ୍ଗଲ ପୁଲିସ୍‌ ପୂରା ଭିଡିଓକୁ ଜାରି କରି ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି। ପୁଲିସ୍‌ କହିଛି ଯେ “ଆମେ ପଶ୍ଚିମବଙ୍ଗ ପୁଲିସ୍‌ ଅତ୍ୟନ୍ତ ପରିତାପର ସହ ଏହି ଭିଡିଓକୁ ଶେୟାର କରୁଛୁ। ଏଥିରେ ଆମର ଜଣେ ଅଫିସରଙ୍କୁ ରାଜ୍ୟ ବିରୋଧୀ ଦଳର ନେତା ଖଲିସ୍ତାନୀ ବୋଲି କହିଛନ୍ତି। ତାଙ୍କ ଦୋଷ ହେଲା ସେ ଜଣେ ଗର୍ବିତ ଶିଖ ଓ ଜଣେ ଦକ୍ଷ ପୁଲିସ୍‌ ଅଫିସର ଯିଏ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟୀ ରଖିବାକୁ ଚେଷ୍ଟା କରିଥିଲେ।

ଏପରି ମନ୍ତବ୍ୟ ଅତ୍ୟନ୍ତ ନିନ୍ଦନୀୟ ଓ ମୌଳବାଦ ଚିନ୍ତାଧାରା ସଦୃଶ। ଏହା ସାଂପ୍ରଦାୟିକ ହିଂସାକୁ ଉସକାଇବା ଭଳି ବୟାନ। ଏହା ଗୋଟିଏ ଅପରାଧ। ଆମେ ସମସ୍ତେ ମିଳିତ ଭାବେ ଏହାକୁ ଦୃଢ଼ ନିନ୍ଦା କରୁଛୁ ବୋଲି ବେଙ୍ଗଲ ପୁଲିସ କହିଛି ।

ପୁଲିସ ଓ ଶାସକ ଟିଏମସି ଜାରି କରିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ବିଜେପି ନେତା ଓ କର୍ମୀ କରୁଥିବା ଶୋଭାଯାତ୍ରାର ମଝିରେ ଶୁଭେନ୍ଦୁ ଅଧିକାରୀ ରହିଛନ୍ତି। ଏହି ସମୟରେ ସେ ଯଶପ୍ରୀତ ସିଂହଙ୍କୁ ଟାର୍ଗେଟ କରି ସେ ଜଣେ ଖଲିସ୍ତାନୀ କହୁଥିବା ଶୁଣିବାକୁ ମିଳୁଛି।

ଲୋକସଭାରୁ ବହିଷ୍କୃତ ହୋଇଥିବା ଟିଏମସି ସାଂସଦ ମହୁଆ ମୋଇତ୍ରା କହିଛନ୍ତି, “ସେ ଜଣେ ଖଲିସ୍ତାନୀ। ଆପଣମାନେ ବିଜେପିର ଅସଭ୍ୟ କଥା ଓ ମାନସିକକୁ ଜାଣିପାରୁଛନ୍ତି? ଏହା ବିଜେପିର ଅସଲ ଚରିତ୍ର। କୌଣସି ଭୁଲ କରନ୍ତୁ ନାହିଁ। ଏପରି ଘୃଣା ସୃଷ୍ଟିକାରୀ ବୟାନକୁ ଦୂରେଇ ଦିଅନ୍ତୁ। ଭାରତର ଗର୍ବ ଶିଖ ସଂପ୍ରଦାୟର ଲୋକଙ୍କ ସହ ଛିଡ଼ା ହୁଅନ୍ତୁ।”

ବେଙ୍ଗଲ ପୁଲିସ୍‌ ଓ ଟିଏମସିର ଭିଡିଓ ପରେ ବ୍ୟାକଫୁଟରେ ଥିବା ବିଜେପି ମଧ୍ୟ ତା’ର ଜବାବ ରଖିଛି। ଦଳ କହିଛି ଯେ “ଆଇପିଏସ ଅଧିକାରୀ ଜଣଙ୍କ ବେଆଇନ ଆଚରଣ କରିଛନ୍ତି ଓ ମୁଖ୍ୟମନ୍ତ୍ରୀଙ୍କ ଏଜେଣ୍ଟ ଭାବେ କାମ କରିଛନ୍ତି। ଏକକ ବେଞ୍ଚର ନିର୍ଦ୍ଦେଶ ଉପରେ ଡିଭିଜନ ବେଞ୍ଚ ରୋକ ଲଗାଇ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଭାବିଥିଲେ।

କିନ୍ତୁ ସେମିତି କିଛି ବି ହେଲାନି। ତଥାପି ଅଫିସର ଜଣଙ୍କ କୋର୍ଟ ନିର୍ଦ୍ଦେଶକୁ ଗ୍ରହଣ କରି ନାହାନ୍ତି। ସେ ବିଜେପି ପ୍ରତିନିଧି ମଣ୍ଡଳକୁ ଅଟକାଇଥିଲେ। ଅଫିସର ଜଣଙ୍କ ଅଦାଲତକୁ ଅବମାନନା କରିଛନ୍ତି। ବେଙ୍ଗଲ ପୁଲିସ୍ ନିଜର କାମ କରିବା ପରିବର୍ତ୍ତେ ଜଣେ ରାଜନୀତିକ ଖେଳାଳି ଭାବେ କାମ କରୁଛି। ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ।“

ଉତ୍ତର ୨୪ ପ୍ରଗଣାର ସନ୍ଦେଶଖାଲିକୁ ଆଜି ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ଗୋଟିଏ ଶୋଭାଯାତ୍ରା ବାହାରିଥିଲା। ଏହାକୁ ପୁଲିସ୍‌ ଅଟକାଇବାରୁ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଏହି ସମୟରେ ବିଜେପି ବିଧାୟକ ଅଗ୍ନିମିତ୍ରା ପଲ ଆଇପିଏସ୍‌ ଯଶପ୍ରୀତଙ୍କ ସହ ଧାମାଖାଲି ନିକଟରେ ଯୁକ୍ତିତର୍କ କରିଥିଲେ।

ଅଫିସର ଜଣଙ୍କ ରାଗରେ କାହିଁକି ଖଲିସ୍ତାନୀ ଶବ୍ଦ ପ୍ରୟୋଗ କଲେ ବୋଲି ପ୍ରଶ୍ନ କରୁଥିବା ବେଳେ ଜଣେ ବିଜେପି ନେତା ଆମେ କିଛି କହି ନାହୁଁ ବୋଲି କହୁଥିବା ଭିଡିଓରେ ଶୁଣିବାକୁ ଓ ଦେଖିବାକୁ ମିଳୁଛି। ଯଶପ୍ରୀତ ହେଉଛନ୍ତି ୨୦୧୬ ମସିହା ଆଇପିଏସ ବ୍ୟାଚର ଅଧିକାରୀ। ସେ ବର୍ତ୍ତମାନ ପଶ୍ଚିମବଙ୍ଗ ପୁଲିସ୍‌ରେ ସ୍ୱତନ୍ତ୍ର ଏସ୍‌ପି (ଗୁଇନ୍ଦା ବିଭାଗ) ଭାବେ କାର୍ଯ୍ୟ କରୁଛନ୍ତି।

Bjp West Bengal Ips