/odisha-reporter/media/media_files/2026/01/06/bdo-2026-01-06-14-53-11.jpg)
ବିଡିଓ ଭାରତୀ
ଗୋଟିଏ ବିରଳ ଓ ବିବାଦୀୟ ଘଟଣା ପଶ୍ଚିମବଙ୍ଗ(West Bengal)ର ମେତେଲି ଠାରେ ଦେଖିବାକୁ ମିଳିଛି। ଲାଭା ବ୍ଲକର ବିଡିଓଙ୍କୁ ଭୋଟର ଭାବେ ପରିଚୟ ଦେବାକୁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଛି। ସ୍ପେଶାଲ ଇଣ୍ଟେନସିଭ ରିଭିଜନ ବା ଏସ୍ଆଇଆର ଶୁଣାଣିରେ ବିଡିଓ ଜଣଙ୍କ ସାଧାରଣ ଲୋକଙ୍କ ଭଳି ଛିଡ଼ା ହୋଇ ନିଜର ପକ୍ଷ ରଖିଛନ୍ତି।
ବିଡିଓଙ୍କ ହାତରେ ଏସ୍ଆଇଆର ବା ଭୋଟର ତାଲିକା ସଂଶୋଧନ ଦାୟିତ୍ୱ ଥିବା ବେଳେ ନିଜେ ନିଜର ଭୋଟର ଯାଞ୍ଚ ପାଇଁ ଧାଡ଼ିରେ ଛିଡ଼ା ହେବା ସମସ୍ତଙ୍କୁ ଚକିତ କରିଛି। ଲାଭା ବ୍ଲକ ହେଉଛି ଦାର୍ଜିଲିଂ ନିକଟ କାଲିମପୋଙ୍ଗରେ ରହିଛି। ସେଠାରୁ ଏଭଳି ଦୃଶ୍ୟ ସାମ୍ନାକୁ ଆସିଛି।
ଗୋଟିଏ ବିରଳ ଘଟଣାକ୍ରମରେ ଲାଭା ବିଡିଓ ଭାରତୀ ଚିକ ବାରାଇକ ସାଧାରଣ ଲୋକଙ୍କ ଭଳି ଏସ୍ଆଇଆର ଶୁଣାଣି ପାଇଁ ଧାଡ଼ିରେ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। ଏହାକୁ ନେଇ ରାଜନୀତିକ ଓ ପ୍ରଶାସନିକ ମହଲରେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ବେଙ୍ଗଲ ଠାରୁ ଆରମ୍ଭ କରି ବିଭିନ୍ନ ରାଜ୍ୟରେ ଏସ୍ଆଇଆର କାମ ବିଡିଓଙ୍କୁ ହସ୍ତାନ୍ତର କରାଯାଇଛି। ଏପରି ସ୍ଥିତିରେ ଜଣେ କାର୍ଯ୍ୟରତ ବିଡିଓଙ୍କୁ ଭୋଟର ତାଲିକା ଯାଞ୍ଚ ପାଇଁ ସମନ କରିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।
ସୂତ୍ର ଅନୁସାରେ, ଭାରତୀ, ତାଙ୍କ ବାପା କପିଲ, ଭାଇ ପ୍ରଣବ ଓ ଭଉଣୀ ଆରତୀଙ୍କୁ ହାଜର ହେବାକୁ ନୋଟିସ କରାଯାଇଥିଲା। ସେମାନଙ୍କ ନାଁ ୨୦୦୨ ଭୋଟର ତାଲିକାରେ ନଥିବା ବେଳେ ଏବେ କେମିତି ଯୋଡ଼ା ଗଲା, ସେକଥା ଜାଣିବାକୁ ନିର୍ବାଚନ ଅଧିକାରୀ ଚାହିଁଛନ୍ତି। ନୋଟିସ ପାଇବା ପରେ ପ୍ରଥମେ ଭାରତୀ ଏସ୍ଆଇଆର ଅଧିକାରୀଙ୍କ ଆଗରେ ହାଜର ହୋଇଥିଲେ। ସୋମବାର ତାଙ୍କ ବାପା, ଭାଇ ଓ ଭଉଣୀ ଉପଯୁକ୍ତ ଅଧିକାରୀଙ୍କ ଆଗରେ ହାଜର ହୋଇ ପକ୍ଷ ରଖିଛନ୍ତି।
ଏହି ପ୍ରସଙ୍ଗ ବିରୋଧୀଙ୍କୁ ବଳ ଦେଇଛି। ସେମାନେ ଲାଭା ବିଡିଓଙ୍କ ଭାରତୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି। ବିରୋଧୀ ଦାବି କରିଛନ୍ତି ଯେ ବିଡିଓଙ୍କ ବାପା ମା’ ଭୁଟାନର ନାଗରିକ ରହିଥିଲେ। ଏଥିପାଇଁ ୨୦୦୨ ଭୋଟର ତାଲିକାରେ ସେମାନଙ୍କ ନାଁ ନଥିଲେ। ଏହି ଅଭିଯୋଗ ଉଭୟ ରାଜନୀତିକ ଓ ପ୍ରଶାସନିକ ସ୍ତରରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭୁଟାନ ସହ ଜଡ଼ିତ ପରିବାର କେମିତି ଭାରତରେ ଜଣେ ବରିଷ୍ଠ ପ୍ରଶାସନିକ ପଦବୀ ହାସଲ କଲେ?
ତେବେ ବିଡିଓଙ୍କ ପରିବାର ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ ନିଜକୁ ଭାରତୀୟ ନାଗରିକ କହିବା ସହ ମାଲବଜାର ସବଡିଭିଜନରେ ଦୀର୍ଘ ବର୍ଷ ହେଲା ରହି ଆସୁଥିବା କହିଛନ୍ତି। ପରିବାର ଲୋକଙ୍କ କହିବା କଥା ଯେ ପୂର୍ବରୁ ସେମାନେ ଜୁରାଣ୍ଟି ଟି ଗାର୍ଡେନ ଅଞ୍ଚଳରେ ରହୁଥିଲେ ଓ ୧୯୯୯ରେ ସେମାନେ ମେତେଲି ହସ୍ପିଟାଲ ପାରା ଅଞ୍ଚଳରେ ଜାଗା କିଣିଥିଲେ। ଜାଗା କିଣିବା ପରେ ଘର ତିଆରି କରି ସେଠାରେ ରହିବା ଆରମ୍ଭ କରିଥିଲେ। ୨୦୦୪ରେ ସେମାନେ ନିଜକୁ ଭାରତର ଭୋଟର ଭାବେ ପଞ୍ଜିକୃତ କରାଇଥିଲେ।
ଏହାପୂର୍ବରୁ ମଧ୍ୟ ସେମାନେ ନିଜକୁ ଭୋଟର ତାଲିକାରେ ସାମିଲ କରିବାକୁ ଚାହୁଁଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା। ତାଙ୍କ ବାପା ଭୁଟାନ ଭିତ୍ତିକ ପେଣ୍ଡାଣ୍ଟ ସିମେଣ୍ଟ ଫ୍ୟାକ୍ଟ୍ରୀରେ କାମ କରୁଥିବାରୁ ସେହି ସମୟରେ ଭୋଟର ପଞ୍ଜିକରଣରେ ସମସ୍ୟା ଦେଖା ଯାଇଥିଲା ବୋଲି ଭାରତୀୟଙ୍କ ଭାଇ ପ୍ରଣବ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ଭାରତୀ ପ୍ରଥମେ ଅଲୀପୁରଦୌର, କୋଚ ବେହାର ଓ ନାଗରକାଟାରେ କାମ କରିବା ପରେ ଏବେ ଲାଭାର ବିଡିଓ ରହିଛନ୍ତି। ପରିବାରର ସବୁ ସମ୍ପର୍କୀୟ ଏଠାରେ ଥିବା ସରକାରୀ ଓ ଘରୋଇ ସ୍କୁଲରେ ପଢ଼ିଛନ୍ତି। ଏହାର ସମସ୍ତ ଦସ୍ତାବିଜ ଓ ପ୍ରମାଣ ରହିଥିବା ସେ କହିଛନ୍ତି।
ଏହି ପ୍ରସଙ୍ଗରେ ବିଜେପିର ଜଲପାଇଗୁଡ଼ି ଜିଲ୍ଲା ସମ୍ପାଦକ ଚନ୍ଦନ ଦତ୍ତା କହିଛନ୍ତି ଯେ ଏସଆଇଆର ହୋଇ ନଥିଲେ, ଏସବୁ ସାମ୍ନାକୁ ଆସି ନଥାଆନ୍ତା। ଟିଏମସି ଶାସନ ସମୟରେ ଅନ୍ୟ ଦେଶର ଲୋକ ପଶ୍ଚିମବଙ୍ଗରେ ପ୍ରବେଶ କରି ନିଜକୁ ଭୋଟର ଭାବେ ପଞ୍ଜିକରଣ କରିଛନ୍ତି। କିଛି ନିର୍ବାଚନ ମଧ୍ୟ ଲଢ଼ିଛନ୍ତି। ଅନେକ ବିଡିଓ ଓ ଅଧିକାରୀ ମଧ୍ୟ ଏସବୁରେ ସାମିଲ ରହିଛନ୍ତି।
ଲାଭା ବିଡିଓ ଭାରତୀଙ୍କ ସମ୍ପର୍କରେ ଦତ୍ତା କହିଛନ୍ତି ଯେ ୨୦୦୨ ଭୋଟର ତାଲିକାରେ ବିଡିଓ କିମ୍ବା ତାଙ୍କ ବାପାଙ୍କ ନାଁ ନଥିଲା। ଏଥିପାଇଁ ତାଙ୍କୁ ସମନ କରାଯାଇଛି। ନିର୍ବାଚନ କମିଶନ ସଂପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ତାଙ୍କ କାମ କରୁଥିବା ସେ ସଫେଇ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
