/odisha-reporter/media/media_files/2026/01/31/kerala-2026-01-31-15-24-08.jpg)
ସିଜେ ରୟ (ଫାଇଲ ଫଟୋ)
କନଫିଡେଣ୍ଟ ଗ୍ରୁପର ମୁଖ୍ୟ ସିଜେ ରୟ ନିଜକୁ ନିଜେ ଗୁଳି କରି ଜୀବନ(Shot Dead) ହାରିଛନ୍ତି। ବେଙ୍ଗାଲୁରୁ ସ୍ଥିତି ତାଙ୍କ ଅଫିସରେ ଆୟ କର ବିଭାଗ ପକ୍ଷରୁ ରେଡ କରାଯାଇଥିଲା। ଏହି ରେଡ ପରେ ହିଁ ଶ୍ରୀ ରୟ ଏତେ ବଡ଼ ପଦକ୍ଷେପ ନେଇଛନ୍ତି। ଏବେ ତାଙ୍କ ଭାଇ ସାଂଘାତିକ ଅଭିଯୋଗ କରିଛନ୍ତି।
ସମ୍ଭବତଃ ଆୟକର ଅଧିକାରୀଙ୍କ ଅତ୍ୟନ୍ତ ଚାପ ଯୋଗୁ ସଜେ ରୟ ଏପରି ପଦକ୍ଷେପ ନେଇଥିବା ସେ ଆଶଙ୍କା କରିଛନ୍ତି। ଏଥିସହ ଶ୍ରୀ ରୟ କାହିଁକି ଏଭଳି ଚରମ ପଦକ୍ଷେପ ନେଲେ, ତା’ର ଉତ୍ତର ସେ ବରିଷ୍ଠ ଅଧିକାରୀମାନଙ୍କୁ ମାଗିଛନ୍ତି।
ରୟଙ୍କ ବଡ଼ ଭାଇ କହିଛନ୍ତି, “ଆୟକର ବିଭାଗ ତାଙ୍କୁ କେମିତି ହଇରାଣ କରୁଥିଲା, ସେକଥା ମୁଁ ଜାଣନି। ମୋ ଭାଇ କାହିଁକି ଏପରି ପଦକ୍ଷେପ ନେଲେ ଓ ପ୍ରକୃତରେ କ’ଣ ଘଟିଥିଲା, ତା’ର ଉତ୍ତର ସେମାନେ ଦେବା ଦରକାର। ମୋ ଭାଇ ୩ରୁ ୪ ଦିନ ହେଲା ଅତ୍ୟନ୍ତ ମାନସିକ ଚାପରେ ରହିଥିଲେ। ମୁଁ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ମୁଁ କେବେ ଭାବି ନଥିଲି ଯେ ସେ ଏମିତି କିଛି ପଦକ୍ଷେପ ନେବେ। ସେମାନେ କେଉଁ ପ୍ରକାରର ଚାପ ପକାଉଥିଲେ ମୁଁ ଜାଣନି। କିନ୍ତୁ ମୁଁ ମୋ ସାନ ଭାଇକୁ ହରାଇ ଦେଇଛି।”
କେରଳ ଭିତ୍ତିକ କନଫିଡେଣ୍ଟ ଗ୍ରୁପର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ହେଉଛନ୍ତି ସିଜେ ରୟ। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବେଙ୍ଗାଲୁରୁ ସ୍ଥିତ ଅଫିସରେ ଆୟକର ବିଭାଗ କିଛି ଦିନ ତଳେ ରେଡ କରିଥିଲା। ଏହାପରେ ସିଜେ ରୟ ନିଜ ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ହିଁ ଅଫିସ ଭିତରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।
ରୟଙ୍କ ବଡ଼ ଭାଇ କହିଛନ୍ତି ଯେ କମ୍ପାନୀର କୌଣସି ଆର୍ଥିକ ସମସ୍ୟା ନଥିଲା।
ଶ୍ରୀ ରୟଙ୍କ ଉପରେ ଋଣ ନଥିଲା ଓ ବ୍ୟାଙ୍କର ଭଲ ବାଲାନ୍ସ ବି ଥିଲା। ଡିସେମ୍ବର ୩ରେ କେରଳର ଆୟକର ଅଧିକାରୀମାନେ ବେଙ୍ଗାଲୁରୁ ଆସି ତାଙ୍କ ଅଫିସରେ ରେଡ କରିଥିଲେ। ଏହାପରେ ସେମାନେ ଜାନୁଆରୀ ୨୮ରେ ଦୁବାଇରେ ଥିବା ରୟଙ୍କୁ ବେଙ୍ଗାଲୁରୁ ଡାକି ପୁଣି ଅଫିସରେ ଛାନଭିନ କରିଥିଲେ। ଏହାକୁ ନେଇ ଶ୍ରୀ ରୟ ଚାପରେ ରହିବା ସହ ବେଙ୍ଗାଲୁରୁ ଅଫିସରେ ଆଜି ଆତ୍ମହତ୍ୟା କରିଛନ୍ତି।
ସିଜେ ରୟ କିଏ?
କେରଳର ମୂଳ ବାସିନ୍ଦା ହେଉଛନ୍ତି ସିଜେ ରୟ। ନିଜର ଦାମୀ କାର ପାଇଁ ସେ ବେଶ ପରିଚିତ। ତଥାପି ସେ ନିଜ କ୍ୟାରିୟର ଆରମ୍ଭ ବେଳେ କିଣିଥିବା ଗୋଟିଏ ମାରୁତି ୮୦୦କୁ ସବୁବେଳେ ନିଜ ପାଖରେ ରଖିଥିଲେ।
କାର ବ୍ୟତୀତ ସେ ରିୟଲ ଇଷ୍ଟେଟ ପ୍ରତି ମଧ୍ୟ ବେଶ ଆଗ୍ରହୀ ଥିଲେ। ସେ ବିଭିନ୍ନ ପ୍ରତିଯୋଗିତା ଜରିଆରେ ଗରିବ ଲୋକଙ୍କୁ ମାଗଣାରେ ଫ୍ଲାଟ ଦେବାକୁ ମଧ୍ୟ ଘୋଷଣା କରିଥିଲେ। ତାଙ୍କ ନେତୃତ୍ୱରେ କନଫିଡେଣ୍ଟ ଗ୍ରୁପ କେରଳ ଓ ବେଙ୍ଗାଲୁରୁରେ ଗୋଟିଏ ପ୍ରମୁଖ ରିୟଲ ଇଷ୍ଟେଟ କମ୍ପାନୀ ହୋଇପାରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
