/odisha-reporter/media/media_files/2025/11/17/cyber-2025-11-17-13-54-21.jpg)
ଏଆଇ
ସାଇବର ଠକେଇ(Cyber Fraud)ର ନୂଅ ଫଣ୍ଡା ଡିଜିଟାଲ ଆରେଷ୍ଟ। ଅନେକ ଥର ଆପଣମାନେ ଡିଜିଟାଲ ଆରେଷ୍ଟ କଥା ଶୁଣିଥିବେ। ସାଇବର ଠକମାନେ ଏହି ଶୈଳୀରେ ଅନେକ ଲୋକଙ୍କୁ ଚୂନ ମାରିଥିବା ଆଣପମାନେ ପଢ଼ିଥିବେ। କିନ୍ତୁ ଏବେ ସବୁଠାରୁ ବଡ଼ ସାଇବର ଠକେଇ ସାମ୍ନାକୁ ଆସିଛି।
ସାଇବର ଠକମାନେ ଜଣେ ୫୭ ବର୍ଷୀୟ ମହିଳାଙ୍କୁ ଡିଜିଟାଲ ଆରେଷ୍ଟ କରି ଲୁଟ କରିଛନ୍ତି ୩୨ କୋଟି ଟଙ୍କା। ୬ ମାସ କାଳ ମହିଳାଙ୍କୁ ଭିଡିଓ କଲରେ ‘ବନ୍ଦୀ’ ରଖି ସେମାନେ ଏପରି କାଣ୍ଡ ଘଟାଇଛନ୍ତି। ସାଇବର ଠକମାନେ ନିଜକୁ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ମହିଳାଙ୍କୁ ନିୟମିତ ଭିଡିଓ ସର୍ଭେଲାନ୍ସରେ ରଖିଥିଲେ। ତାଙ୍କୁ ୧୮୭ ଥର ବ୍ୟାଙ୍କ ଟ୍ରାନ୍ସଫର୍ସ କରିବାକୁ ବାଧ୍ୟ କରିଥିଲେ। ଏପରି ଭାବେ ସେମାନେ ମହିଳାଙ୍କ ଠାରୁ ୩୨ କୋଟି ଟଙ୍କା ଠକି ନେଇଛନ୍ତି।
ପୂରା ଠକେଇ ୨୦୨୪ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିଲା। କିନ୍ତୁ ପେଶାରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ମହିଳା ଜଣଙ୍କ ଚଳିତ ବର୍ଷ ଆରମ୍ଭରୁ ପୁଲିସ୍ର ଦ୍ୱାରସ୍ଥ ହେବାରୁ ପୂରା ଘଟଣା ସାମ୍ନାକୁ ଆସିଥିଲା। ପୁଲିସ୍ ଏବେ ମାମଲା ମଧ୍ୟ ରୁଜୁ କରିଛି। ମହିଳାଙ୍କ ପାଖକୁ ଡିଏଚ୍ଏଲର ଜଣେ କାର୍ଯ୍ୟନିର୍ବାହୀ ଅଧିକାରୀର ପରିଚୟ ଦେଇ କେହି ଫୋନ କରିଥିଲା।
ତାଙ୍କ ନାଁରେ ଗୋଟିଏ ପାର୍ସଲ ଆସିଛି। ଏଥିରେ ୩ଟି କ୍ରେଡିଟ କାର୍ଡ, ୪ଟି ପାସପୋର୍ଟ ଓ ନିଷିଦ୍ଧ ଏମଡିଏମ ରହିଛି। ମୁମ୍ବାଇର ଅନ୍ଧେରୀ ସେଣ୍ଟର ସ୍ଥିତ ଡିଏଚଏଏଲକୁ ଏପରି ପାର୍ସଲ ଆସିଥିବା କଲର ଜଣକ କହିଥିଲା।
ମହିଳା ଜଣଙ୍କ ପାର୍ସଲ ସହ ତାଙ୍କର କୌଣସି ଲିଙ୍କ୍ ନାହିଁ ଓ ସେ ବେଙ୍ଗାଲୁରୁରେ ରହୁନ୍ତି ବୋଲି କହିଥିଲେ। କିନ୍ତୁ କଲର ଜଣକ ତାଙ୍କୁ ଚେତାବନୀ ଦେଇଥିଲା ଓ ପାର୍ସଲ ସହ ତାଙ୍କର ଫୋନ ନମ୍ବର ଲିଙ୍କ ରହିଥିବାରୁ ଏହା ଏକ ସାଇବର ଅପରାଧ ହୋଇପାରେ ବୋଲି ଡରାଇଥିଲା। ଏହାପରେ କଲଟିକୁ ସେ ଏମିତି ଜଣେ ବ୍ୟକ୍ତି ପାଖକୁ ଟ୍ରାନ୍ସଫର କରିଥିଲା ଯିଏ ନିଜକୁ ସିବିଆଇ ଅଧିକାରୀ ବୋଲି ପରିଚୟ ଦେଇଥିଲା। ସେହି ସିବିଆଇ ଅଧିକାରୀ ଜଣକ ମହିଳାଙ୍କୁ ଆହୁରି ଭୟଭୀତ କରାଇ ସବୁ ପ୍ରମାଣ ତାଙ୍କ ବିରୋଧରେ ଥିବା କହିଥିଲା।
ସାଇବର ଠକମାନେ ମହିଳାଙ୍କୁ ପୁଲିସ୍ର ଦ୍ୱାରସ୍ଥ ହେବାକୁ ବାରଣ କରିଥିଲେ। ଅପରାଧୀମାନେ ତାଙ୍କ ଘର ଉପରେ ନଜର ରଖିଥିବା କହିଥିଲେ। ପରିବାର ସୁରକ୍ଷା ଓ ପୁଅର ବାହାଘର ଆଗକୁ ଥିବାରୁ ମହିଳା ଜଣଙ୍କ ସାଇବର ଠକଙ୍କ ଜାଲରେ ଫସିବାକୁ ବାଧ୍ୟ ହୋଇଥିଲେ। ସେ ସାଇବର ଠକଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ରାଜି ହୋଇଥିଲେ।
ତାଙ୍କୁ ଦୁଇଟି ସ୍କାଏପି ଆଇଡି ଇନଷ୍ଟଲ କରିବାକୁ କୁହାଯାଇଥିଲା ଓ ନିୟମିତ ଭିଡିଓ କଲରେ ରହିବାକୁ ବାଧ୍ୟ କରାଯାଇଥିଲା। ଚଳିତ ବର୍ଷ ମେ’ ମାସରେ ସ୍କାଏ ପି ବନ୍ଦ ହେବା ପୂର୍ବରୁ ସାଇବର ଠକମାନେ ଏହାକୁ ବ୍ୟବହାର କରିଥିଲେ। ମହିଳାଙ୍କ ଉପରେ ଦୁଇ ଦିନ କାଳ ନଜର ରଖିଥିବା ବ୍ୟକ୍ତି ଜଣକ ନିଜକୁ ମୋହିତ ହଣ୍ଡା ଭାବେ ପରିଚୟ ଦେଇଥିଲା।
ଏହାପରେ ରାହୁଲ ଯାଦବ ନାମକ ଜଣେ ବ୍ୟକ୍ତି ଗୋଟିଏ ସପ୍ତାହ ମହିଳାଙ୍କୁ ନଜରବନ୍ଦୀ କରିଥିଲା। ପ୍ରଦୀପ ସିଂହ ନାମକ ଜଣେ ବ୍ୟକ୍ତି ନିଜକୁ ପ୍ରଦୀପ ସିଂହର ପରିଚୟ ଦେଇ ମହିଳାଙ୍କୁ ନିର୍ଦ୍ଦୋଷ ବୋଲି ପ୍ରମାଣ କରିବାକୁ ଚାପ ପକାଥିଲା।
୨୦୨୪ ମସିହା ସେପ୍ଟେମ୍ବର ୨୪ରୁ ଅକ୍ଟୋବର ୨୨ ମଧ୍ୟରେ ମହିଳା ଜଣଙ୍କ ତାଙ୍କ ଆର୍ଥିକ ସ୍ଥିତିର ତଥ୍ୟ ଦେଇଥିଲେ। ଏହାପରେ ଟଙ୍କା ପଠାଇବା ଆରମ୍ଭ କରିଥିଲେ। ଅକ୍ଟୋବର ୨୪ରୁ ନଭେମ୍ବର ୩ ମଧ୍ୟରେ ସେ ୨ କୋଟି ଟଙ୍କା ସ୍ୟୁରିଟୀ ବାବଦରେ ଓ ଏହାପରେ ଟିକସ ନାଁରେ ଆଉ କିଛି ଟଙ୍କା ସାଇବର ଠକଙ୍କ ନିର୍ଦ୍ଦେଶରେ ପଠାଇଥିଲେ।
ମହିଳା ଜଣଙ୍କ ଏତେ ଡରି ଯାଇଥିଲେ ଯେ ସେ ନିଜର ଫିକ୍ସଡ ଜମା ଠାରୁ ଆରମ୍ଭ କରି ବିଭିନ୍ନ ସୂତ୍ରରୁ ପାଇଥିବା ୩୧.୮୩ କୋଟି ଟଙ୍କା ୧୮୭ଟି ଟ୍ରାଞ୍ଜାକସନ ଦ୍ୱାରା ସାଇବର ଠକମାନଙ୍କୁ ଦେଇଥିଲେ। ଯାଞ୍ଚ ପରେ ୨୦୨୫ ଫେବୃଆରୀ ସୁଦ୍ଧା ମହିଳା ସବୁ ଟଙ୍କା ଫେରି ପାଇବେ ବୋଲି ସାଇବର ଠକମାନେ ପ୍ରତିଶ୍ରୁତି ଦେଇଥିଲେ।
ପୁଅର ନିର୍ବନ୍ଧ ଡିସେମ୍ବର ମାସରେ ଥିବାରୁ ସାଇବର ଠକମାନେ ମହିଳାଙ୍କୁ ଗୋଟିଏ କ୍ଲିୟର୍ନାସ ଲେଟର ଦେବେ ବୋଲି କହିଥିଲେ। ମହିଳା ଜଣଙ୍କ ମଧ୍ୟ ଗୋଟିଏ ନକଲି ଦସ୍ତାବିଜ ଡିସେମ୍ବରରେ ପାଇଥିଲେ।
ସାଇବର ଠକଙ୍କ ଚାପ ଓ ନିୟମିତ ସର୍ଭେଲାନ୍ସ ଯୋଗୁ ମହିଳା ଜଣଙ୍କ ମାନସିକ ଓ ଶାରୀରିକ ରୂପେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ଗୋଟିଏ ମାସ ଚିକିତ୍ସିତ ହେବାକୁ ମଧ୍ୟ ପଡ଼ିଥିଲା।
ଡିସେମ୍ବର ମାସ ପରେ ଠକ(Cyber Crime)ମାନେ ମହିଳାଙ୍କୁ ପ୍ରୋସେସିଂ ଚାର୍ଜ ମାଗିଥିଲେ। ସେହିପରି ଟଙ୍କା ଫେରସ୍ତ ପ୍ରତିଶ୍ରୁତିକୁ ଫେବୃଆରୀରୁ ମାର୍ଚ୍ଚକୁ ବଢ଼ାଇ ଦେଇଥିଲେ। ଏହାର କିଛି ଦିନ ପରେ ମହିଳାଙ୍କ ସହ ସେମାନେ ଯୋଗାଯୋଗ ମଧ୍ୟ କରି ଦେଇଥିଲେ। ମହିଳା ଜଣଙ୍କ ଚିନ୍ତାରେ ଥିଲେ ହେଁ ଜୁନ ମାସରେ ପୁଅ ବାହାଘର ଥିବାରୁ କାହାକୁ କିଛି କହି ନଥିଲେ। ପୁଅର ବାହାଘର ପରେ ସେ ପୁଲିସ୍ରେ ଏନେଇ ଅଭିଯୋଗ କରିଥିଲେ।
ମହିଳା ଜଣଙ୍କ କହିଛନ୍ତି ଯେ “ମୋଟ ୧୮୭ଟି ଟ୍ରାଞ୍ଜାକସନ ଦ୍ୱାରା ମୁଁ ମୋଟ ୩୧.୮୩ କୋଟି ଟଙ୍କା ଦେଇଛି। ଏବେ ମୋ ପାଖରେ କାହାକୁ କିଛି ନାହିଁ। ଅଧିକାରୀମାନେ ଏହାର ତଦନ୍ତ କରି ମୋ ଟଙ୍କା ଫେରାଇ ଆଣନ୍ତୁ।”
ନଭେମ୍ବର ୧୪ରେ ଏଫଆଇଆର ରୁଜୁ ହେବା ପରେ ପୁଲିସ ସାଇବର ଠକମାନଙ୍କ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
