Advertisment

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ

ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି ମହତାବ।

author-image
Jitendra Garnayak
ଅଦ୍ୟତନ ହୋଇଛି
Bhartruhari Mahtab

Bhartruhari Mahtab

ଭର୍ତ୍ତୃହରି ମହତାବ ଲୋକସଭାର କାମଚଳା ବାଚସ୍ପତି ନିଯୁକ୍ତ ହୋଇଛନ୍ତି। ତାଙ୍କୁ କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି ଭର୍ତ୍ତୃହରି। ସେ ୬ ଥର ବିଜେଡି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ଏଥର ବିଜେପି ଟିକେଟରେ ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ପୂର୍ବରୁ ସେ ବିଜେଡି ଛାଡ଼ି ବିଜେପିରେ ମିଶିଥିଲେ।

Advertisment

ସମ୍ବିଧାନର ଅନୁଚ୍ଛେଦ ୯୫ (୧) ଦ୍ୱାରା ପ୍ରଦତ୍ତ କ୍ଷମତାର ଉପଯୋଗ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବରିଷ୍ଠ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତି ଦେଇଛନ୍ତି। ଲୋକସଭା ବାଚସ୍ପତି ନିର୍ବାଚନ ପର୍ଯ୍ୟନ୍ତ ସେ ବାଚସ୍ପତିଙ୍କ ଦାୟିତ୍ୱ ତୁଲାଇବେ। ଜୁନ୍ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ। ତା’ପୂର୍ବରୁ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ ଲୋକସଭାକୁ ନିର୍ବାଚିତ ହୋଇଆସିଥିବା ଜନପ୍ରତିନିଧିମାନଙ୍କୁ ସାଂସଦ ଭାବେ ଶପଥ ପାଠ କରାଇବେ। 

ଅଷ୍ଟଦଶ ଲୋକସଭାର ନବ ନିର୍ବାଚିତ ସଦସ୍ୟମାନଙ୍କୁ ଶପଥ ପାଠ କରାଇବାରେ କାମଚଳା ବାଚସ୍ପତିଙ୍କୁ ସହଯୋଗ କରିବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲୋକସଭା ସାଂସଦ ସୁରେଶ କୋଡିକୁନ୍ନିଲ, ଟି.ଆର ବାଲୁ, ରାଧା ମୋହନ ସିଂହ, ଫଗନ ସିଂ କୁଲସ୍ତେ ଓ ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ମନୋନୀତ କରିଛନ୍ତି। ସମ୍ବିଧାନର ଅନୁଚ୍ଛେଦ ୯୯ ଦ୍ୱାର ପ୍ରଦତ୍ତ କ୍ଷମତାର ଉପଯୋଗ କରି ସେ ଏହି ନିଷ୍ପତ୍ତି ନେଇଛନ୍ତି। 

Advertisment
Bhartruhari Mahtab Speaker Protem