Advertisment

ବିଜେପି ଟିକେଟ୍‌ ଦେଇଥିଲା, ହେଲେ ନିର୍ବାଚନ ଲଢ଼ିବେନି କହିଲେ ଭୋଜପୁରୀ ସିଙ୍ଗର

ପବନ ସିଂହଙ୍କ ଏହି ଘୋଷଣା ପରେ ବିଜେପି ସଭାପତି ଜେପି ନଡ୍ଡା ଆଲୋଚନା ପାଇଁ ତାଙ୍କୁ ଦିଲ୍ଲୀ ଡାକିଛନ୍ତି।

author-image
Madhupriya Mistry
Pawan Singh

Pawan Singh

ନିର୍ବାଚନ ଲଢ଼ିବେନି ଭୋଜପୁରୀ ସିଙ୍ଗର ତଥା ଅଭିନେତା ପବନ ସିଂହ। ଗତକାଲି ବିଜେପି ତାଙ୍କୁ ପଶ୍ଚିମବଙ୍ଗର ଆସନସୋଲରୁ ଟିକେଟ୍‌ ଦେଇଥିଲା। ତେବେ ସେ ଏଠାରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଆଜି ଘୋଷଣା କରିଛନ୍ତି। ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସେ ସୂଚନା ଦେଇଛନ୍ତି।

Advertisment

ସେ ସୋଶାଲ ମିଡିଆ ଏକ୍ସରେ ଲେଖିଛନ୍ତି, 'ମୁଁ ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱ ପାଇଁ ମୋର ହୃଦୟରୁ କୃତଜ୍ଞତା ଜଣାଉଛି। ଦଳ ମୋତେ ବିଶ୍ୱାସ କରି ଆସନସୋଲର ପ୍ରାର୍ଥୀ ଘୋଷଣା କରିଥିଲା, କିନ୍ତୁ କୌଣସି ଏକ କାରଣରୁ ମୁଁ ଆସନସୋଲରୁ ନିର୍ବାଚନ ​​ଲଢ଼ି କରିପାରିବି ନାହିଁ।' ସୂତ୍ରରୁ ପ୍ରକାଶ ଯେ ପବନ ସିଂହଙ୍କ ଏହି ଘୋଷଣା ପରେ ବିଜେପି ସଭାପତି ଜେପି ନଡ୍ଡା ଆଲୋଚନା ପାଇଁ ତାଙ୍କୁ ଦିଲ୍ଲୀ ଡାକିଛନ୍ତି।

ପବନ ସିଂହଙ୍କ ନାଁରେ ଏକ ପୋଷ୍ଟ ମଧ୍ୟ ସାମ୍ନାକୁ ଆସିଛି। ଏଥିରେ ସେ ଟିଏମ୍‌ସି ବିରୋଧରେ ବଡ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି,'ପଶ୍ଚିମବଙ୍ଗର ସମୃଦ୍ଧି ପାଇଁ ବିଜେପି ଦ୍ୱାରା ଅନେକ ପ୍ରୟାସ କରାଯାଇଛି। ନରେନ୍ଦ୍ର ମୋଦି ଜୀଙ୍କ ଅନେକ ଯୋଜନା ଆଜି ବି ପଶ୍ଚିମବଙ୍ଗରେ ପୂର୍ଣ୍ଣ କାର୍ଯ୍ୟକାରୀ ହୋଇପାରୁ ନାହିଁ, କାରଣ ଏଠାକାର ସରକାର ବିକାଶ ଚାହୁଁ ନାହାନ୍ତି। ତୃଣମୂଳ କଂଗ୍ରେସର ଅନେକ ନେତା ବିଜେପି ଓ ମୋ ବିରୋଧରେ ଅନେକ ଅଭିଯୋଗ କରୁଛନ୍ତି। ଟିଏମ୍‌ସି ନେତାଙ୍କ ଦ୍ୱାରା ଏଭଳି ନିମ୍ନ ସ୍ତରର ଅଭିଯୋଗ କରିବା ସେମାନଙ୍କର ନିରାଶା ଏବଂ ପରାଜୟକୁ ଦର୍ଶାଏ।'

Advertisment

୨୦୧୯ରେ ଆସନସୋଲ ଆସନରୁ ବଲିଉଡ ସିଙ୍ଗର ବାବୁଲ ସୁପ୍ରିୟୋ ବିଜେପି ଟିକେଟ୍‌ରେ ବିଜୟୀ ହୋଇଥିଲେ। କିନ୍ତୁ ପରେ ସେ ବିଜେପି ଛାଡି ଟିଏମ୍‌ସି ସାମିଲ ହୋଇଥିଲେ। ଏହାପରେ ଉପନିର୍ବାଚନରେ ଏହି ଆସନରୁ ଶତ୍ରୁଘ୍ନ ସିହ୍ନା ଟିଏମ୍‌ସି ଟିକେଟ୍‌ରେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। 

କହିରଖୁ ଯେ, ବିଜେପି ଶନିବାର ଲୋକସଭା ନିର୍ବାଚନ ପାଇଁ ନିଜର ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା। ଏଥିରେ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ବିଜେପିର ଏହି ପ୍ରଥମ ତାଲିକାରେ ୨୮ମହିଳା, ୪୭ ଯୁବକ, ୨୭ ଅନୁସୂଚିତ ଜାତି, ୧୮ଅନୁସୂଚିତ ଜନଜାତି ଏବଂ ୫୭ OBC ଅନ୍ତର୍ଭୁକ୍ତ ଅଛନ୍ତି।

Bjp Asansol Bhojpuri Singer Pawan Singh Bjp Candidate List Loksabha Election 2024