/odisha-reporter/media/post_attachments/uploadimage/library/16_9/16_9_0/ED_1752826678.jpg)
ED
ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଭୂପେଶ ବଘେଲଙ୍କ ପୁଅ ଚୈତନ୍ୟଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି। ଆଜି ଇଡି ଚୈତନ୍ୟଙ୍କ ଠିକଣାରେ ରେଡ କରିବା ସହ ତାଙ୍କୁ ଗିରଫ କରିଛି। ଛତିଶଗଡ଼ ମଦ ଦୁର୍ନୀତି ଘଟଣାରେ ଇଡି ରୁଜୁ କରିଥିବା ମନି ଲଣ୍ଡରିଂ ମାମଲାରେ ଜୁନିୟର ବଘେଲଙ୍କୁ ଗିରଫ କରାଯାଇଛି।
ଆଜି ହେଉଛି ଚୈତନ୍ୟ ବଘେଲଙ୍କ ଜନ୍ମ ଦିନ। ହେଲେ ଜନ୍ମ ଦିନରେ ତାଙ୍କୁ ଇଡି ଗିରଫ କରିଛି। ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ଇଡି ନୂଆ ପ୍ରମାଣ ପାଇବା ପରେ ଚୈତନ୍ୟଙ୍କ ଠିକଣାରେ ଆଜି ଭୋରରୁ ରେଡ କରିଥିଲା। ଏହାପରେ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରାଯାଇଛି।
ଇଡିର କହିବା କଥା ଯେ ୨୦୧୯ରୁ ୨୦୨୨ ମଧ୍ୟରେ ଛତିଶଗଡ଼ରେ ମଦ ଦୁର୍ନୀତି ହୋଇଥିଲା। ଏହି ସମୟରେ ଭୂପେଶ ବଘେଲ ମୁଖ୍ୟମନ୍ତ୍ରୀ ରହିଥିଲେ। ମଦ ଦୁର୍ନୀତିରୁ ମିଳିଥିବା ୨୧୬୦ କୋଟି ଟଙ୍କାରୁ ଚୈତନ୍ୟ ନିଜର ଭାଗ ନେଇଥିଲେ। ଏପରି ତଥ୍ୟ ମିଳିବା ପରେ ଚୈତନ୍ୟଙ୍କୁ ଗିରଫ କରାଯାଇଛି।
ଇଡି କହିଛି ଯେ କଂଗ୍ରେସ କ୍ଷମତାରେ ଥିବା ବେଳେ ଗୋଟିଏ ସମାନ୍ତରଳ ମଦ ବିତରଣ ବ୍ୟବସ୍ଥା ଖୋଲା ଯାଇଥିଲା। ଏହି ବ୍ୟବସ୍ଥା ଅନୁସାରେ ଡିଷ୍ଟିଲେରିଜରେ ହିସାବ ବାହାରେ ମଦ ଉତ୍ପାଦନ ହେଉଥିଲା ଓ ଏହାକୁ ସିଧାସଳଖ ସରକାରଙ୍କ ଦ୍ୱାରା ପରିଚାଳିତ ମଦ ଦୋକାକୁ ପଠା ଯାଉଥିଲା। ଏଥିପାଇଁ ପ୍ରଚଳିତ ନିୟମ ଆଧାରରେ ଫି କଟା ଯାଉ ନଥିଲା। ସବୁ ନିୟମକୁ ବେଖାତିର କରାଯାଇଥିଲା। ଫଳ ସ୍ୱରୂପ ବିପୁଳ ପରିମାଣର ରାଜସ୍ୱହାନୀ ହୋଇଥିଲା। ୨୦୧୯ରୁ ୨୦୨୨ ମଧ୍ୟରେ ଏପରି କରି ପ୍ରାୟ ୨୧୬୦ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଇଡି କହିଛି।
ଗିରଫଦାରୀ ପୂର୍ବରୁ ଇଡି ରେଡ କରିଥିଲା। ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବଘେଲ ଅଭିଯୋଗ କରିଥିଲେ ଯେ ବିରୋଧୀ ଦଳର ନେତାମାନଙ୍କୁ ଟାର୍ଗେଟ କରିବା ପାଇଁ କେନ୍ଦ୍ରୀୟ ଏଜେନ୍ସିର ଦୁର୍ବ୍ୟବହାର କରାଯାଛଛି। କିନ୍ତୁ ନ୍ୟାୟପାଳିକାଙ୍କ ଉପରେ ତାଙ୍କର ଭରସା ରହିଛି ଓ ତଦନ୍ତକାରୀ ସଂସ୍ଥାକୁ ସେ ସହଯୋଗ କରିବେ ବୋଲି କହିଥିଲେ। ସେହିପରି ଆଜି ଚୈତନ୍ୟଙ୍କ ଜନ୍ମ ଦିନ ହୋଇ ଥିବା ବେଳେ ଆଜି ଇଡି ରେଡ କରିବା ଉପରେ ମଧ୍ୟ ବଘେଲ ପ୍ରଶ୍ନ ଉଡଠାଇଥିଲେ।
ସେ କହିଥିଲେ, “ମୋଦି ଓ ଶାହଙ୍କ ଭଳି ବିଶ୍ୱର କୌଣସି ଗଣତନ୍ତ୍ରରେ ଏପରି ଜନ୍ମ ଦିନ ଉପହାର କେହି ଦିଅନ୍ତି ନାହିଁ। ମୋ ଜନ୍ମ ଦିନରେ ଉଭୟ ସମ୍ମାନୀୟ ନେତା ମୋ ପରାମର୍ଶଦାତା ଓ ଦୁଇ ଓଏସଡିଙ୍କ ଘରକୁ ଇଡି ପଠାଇଥିଲେ। ଆଜି ମୋ ପୁଅ ଚୈତନ୍ୟର ଜନ୍ମ ଦିନ। ଆଜି ଇଡି ମୋ ଘରେ ରେଡ କରିଛି। ଏପରି ଉପହାର ପାଇଁ ଧନ୍ୟବାଦ। ଏହାକୁ ମୁଁ ମୋ ଜୀବନ ସାରା ମନେ ରଖିବି।”
ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଇଡି ଜାନୁଆରୀ ମାସରେ କଂଗ୍ରେସ ନେତା କାୱାସି ଲଖମଙ୍କୁ ଗରିଫ କରିଥିଲା। ତାଙ୍କ ବ୍ୟତୀତ ରାୟପୁର ମେୟର ଓ କଂଗ୍ରେସ ନେତା ଏଜାଜ ଦେହବରଙ୍କ ବଡ଼ ଭାଇ ଅନୱରଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ପୂର୍ବତନ ଆଇଏଏସ୍ ଅନୀଲ ତୁତେଜା, ଆଇଟିଏସ ଅଫିସର ଅରୁଣପତି ତ୍ରିପାଠୀ ଓ ଆଉ କିଛି ଲୋକ ମଧ୍ୟ ଇଡି ଦ୍ୱାରା ଗିରଫ ହୋଇଛନ୍ତି। ଏଯାଏ ଇଡି ଏକାଧିକ ଅଭିଯୁକ୍ତଙ୍କ ୨୦୫ କୋଟିର ସମ୍ପତ୍ତି ମଧ୍ୟ ଜବତ କରିଛି।
ଏହି ମାମଲାରେ ଇଡି ୨୦୨୪ରେ ସୁପ୍ରିମକୋର୍ଟରେ ଦାଖଲ କରିଥିବା ପ୍ରାଥମିକ ଇସିଆଇଆର ଖାରଜ ହୋଇ ଯାଇଥିଲା। ଆୟକର ବିଭାଗର ଅଭିଯୋଗରେ ଇଡି ଏପରି ପଦକ୍ଷେପ ନେଇଥିଲା। ସୁପ୍ରିମକୋର୍ଟ ଝଟକା ପରେ ଛତିଶଗଡ଼ ଅର୍ଥନୀତିକ ଅପରାଧକ ଶାଖାକୁ ଏଫଆଇଆର ରୁଜୁ କରିବାକୁ ଅନୁରୋଧ କରି ଇଡି ନୂଆ ମାମଲା କରିଥିଲା।
ବିଜେପି ୨୦୨୩ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ହରାଇବାର କିଛି ମାସ ପରେ ଅର୍ଥାତ ଗତବର୍ଷ ଜାନୁଆରୀ ୧୭ରେ ଅର୍ଥନୀତିକ ଅପରାଧ ଶାଖା ଏଫଆଇଆର ରୁଜୁ କରିଥିଲା।
ଏଫଆଇଆରରେ ୭୦ ଜଣ ଲୋକ ଓ କମ୍ପାନୀଙ୍କ ନାଁ ରହିଛି। ଏମାନଙ୍କ ମଧ୍ୟରେ ପୂର୍ବତନ ଅବକାରୀ ମନ୍ତ୍ରୀ କାୱାସି ଲଖମା ଓ ପୂର୍ବତନ ମୁଖ୍ୟ ଶାସନ ସଚିବ ବିବେକ ଧାଣ୍ଡ ପ୍ରମୁଖ ରହିଛନ୍ତି। ବେଆଇନ ଭାବେ ମଦ ଉତ୍ପାଦନ ଓ ବିକ୍ରି ଯୋଗୁ ବ୍ୟାପକ କମିସିନ ମିଳିଥିବା ଇଡି କହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
