Advertisment

ଅତିକ ଓ ଅଶରଫଙ୍କୁ ହତ୍ୟା: ଏସବୁ ପ୍ରଶ୍ନର ଉତ୍ତର କିଏ ଦେବେ?

ସାମ୍ବାଦିକ ବେଶରେ ଅତିକ ଓ ଅଶରଫଙ୍କୁ ହତ୍ୟା କରିବା ପାଇଁ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଘେରି ଯାଇ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ୪୦ ସେକେଣ୍ଡ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲେ।

author-image
Hemant Lenka
Atiq Ahmed

Atiq Ahmed

ଶନିବାର ସମୟ ରାତି ୧୦.୩୦। ଗ୍ୟାଷ୍ଟର ଅତିକ ଅହମଦ ଓ ତାଙ୍କ ଭାଇ ଅଶରଫ ପୁଲିସ କର୍ଡନ ମଧ୍ୟରେ ଚାଲିଚାଲି ମେଡିକାଲ ଚେକଅପ ପାଇଁ ଉତ୍ତର ପ୍ରଦେଶର ପ୍ରୟାଗରାଜ ହସ୍ପିଟାଲ ଭିତରକୁ ଯାଉଥିଲେ। ଏହି ସମୟରେ ସାମ୍ବାଦିକମାନେ ସେମାନଙ୍କର ଅତି ନିକଟତର ହେବା ସହ ବାଇଟ ନେବାକୁ ଚେଷ୍ଟା କରିଥିଲେ।

Advertisment

ଅତିକ ଓ ଅଶରଫ ମଧ୍ୟ ବାଇଟ ଦେଉଥିଲେ। ଏହି ସମୟରେ ଅତିକଙ୍କ ବାମ ପଟୁ ଗୋଟିଏ ବନ୍ଧୁକ ଆସିବା ସହ ଏଥିରୁ ବାହାରିଥିବା ଗୁଳିଟି ସିଧା ତାଙ୍କ ମୁଣ୍ଡରେ ବାଜିଥିଲା। ଗୁଳିମାଡ଼ ଯୋଗୁ ପୁଲିସ ଓ ସାମ୍ବାଦିକମାନେ ଛତ୍ରଭଙ୍ଗ ଦେଇଥିଲେ। କିନ୍ତୁ ଅତିକ ଓ ଅଶରଫ ତଳେ ପଡ଼ି ଯାଇଥିଲେ।

ସାମ୍ବାଦିକ ବେଶରେ ଅତିକ ଓ ଅଶରଫଙ୍କୁ ହତ୍ୟା କରିବା ପାଇଁ ଆସିଥିବା ୩ ଯୁବକ ଦୁଇ ଭାଇଙ୍କୁ ଘେରି ଯାଇ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ୪୦ ସେକେଣ୍ଡ ମଧ୍ୟରେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲେ।

Advertisment

୨୦ ରାଉଣ୍ଡ ଗୁଳି ଚଳାଇବା ପରେ ସେମାନେ ଜୟ ଶ୍ରୀରାମ ନାରା ଦେଇ ଆତ୍ମସମର୍ପଣ କରିଥିଲେ। ପୁଲିସ୍‌ ସେମାନଙ୍କୁ କାବୁ କରି ଜିପ୍‌ରେ ବସାଇ ସେଠାରୁ ତୁରନ୍ତ ନେଇ ଯାଇଥିଲା। ଗୁଳିମାଡ଼ରେ ତଳେ ପଡ଼ି ଛଟପଟ ହେଉଥିବା ଦୁଇ ଭାଇ ଅତିକ ଓ ଅଶରଫ ସେହିଠାରେ ହିଁ ସବୁ ଦିନ ପାଇଁ ଆଖି ବୁଜି ଦେଇଥିଲେ।

ଘଟଣାର ତଦନ୍ତ ହେଉଛି। ଏକାଧିକ ଟିମ ସହ ନ୍ୟାୟିକ କମିଟି ଯାଞ୍ଚ ଆରମ୍ଭ କରିଛି। ଉତ୍ତର ପ୍ରଦେଶରୁ ଦିଲ୍ଲୀ ଯାଏ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି। ତେବେ ଏସବୁ ସତ୍ତ୍ୱେ ମଧ୍ୟ ଉତ୍ତର ପ୍ରଦେଶ ସରକାର ଓ ପୁଲିସ୍‌ ଆଗରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି। ଅତିକ ଓ ଅଶରଫଙ୍କ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ପୁଲିସ୍‌ କାଠଗଡ଼ାରେ ଛିଡ଼ା ହୋଇଛି।

କିଏ ଦେବେ ଏହି ସବୁ ପ୍ରଶ୍ନର ଉତ୍ତର

୧- ଉମେଶ ପାଲ ଅପହରଣ ମାମାଲରେ ଆଜୀବନ ଜେଲଦଣ୍ଡ ପାଇଥିବା ଅତିକ ଓ ଅଶରଫଙ୍କୁ ମେଡିକାଲ ଚେକ ଅପ ପାଇଁ ଶନିବାର ରାତିରେ ହସ୍ପିଟାଲ ନିଆଯାଇଥିଲା। ତେବେ ରାତି ପ୍ରାୟ ୧୦.୩୦ରେ ପୁଲିସ୍‌ ଉଭୟଙ୍କୁ ମେଡିକାଲ ଚେକଅପ ପାଇଁ କାହିଁକି ନେଇଥିଲା?

୨- ଅତିକ ଓ ଅଶରଫଙ୍କୁ ଜେଲରୁ ମେଡିକାଲ ଯାଏ ଗୋଟିଏ ଜିପରେ ଅଣାଯାଇଥିଲା। ଜିପ୍‌କୁ ହସ୍ପିଟାଲ ଗେଟ୍‌ ବାହାରେ ରଖା ଯାଇଥିଲା ଓ ସେଠାରୁ ପୁଲିସ କର୍ଡନରେ ସେମାନେ ଚାଲି ଚାଲି ହସ୍ପିଟାଲ ଭିତରକୁ ଯାଉଥିଲେ।  ଅହମଦ ଭ୍ରାତାଙ୍କ ଭଳି କୁଖ୍ୟାତ ଗ୍ୟାଙ୍ଗଷ୍ଟରଙ୍କୁ ପୁଲିସ୍‌ କାହିଁକି ଚଲାଇ ଚଲାଇ ନେଉଥିଲା? ଉଭୟଙ୍କୁ ମିଡିଆ ନିୟମିତ ଅନୁସରଣ କରୁଥିଲା। ତେଣୁ ପୁଲିସ୍‌ ହସ୍ପିଟାଲ ଭିତରକୁ ଗାଡ଼ି ନ ନେଇ ଗେଟ୍‌ ପାଖରେ ରଖିଲା କାହିଁକି?

୩- ଅତିକ ଓ ଅଶରଫଙ୍କ ସହ ପ୍ରାୟ ୨୦ ଜଣ ସଶସ୍ତ୍ର ପୁଲିସ୍‌ କର୍ମଚାରୀ ରହିଥିଲେ। ହେଲେ ସେମାନେ କେମିତି ୩ ଶୁଟରଙ୍କୁ କବଳରୁ ଦୁଇ ଭାଇଙ୍କୁ ରକ୍ଷା କରିପାରିଲେ ନାହିଁ?

୪- ଶୁଟରମାନେ ପ୍ରାୟ ୨୦ ରାଉଣ୍ଡ ଗୁଳି ଚଳାଇଥିଲେ। ଏହାପରେ ପୁଲିସ୍‌ ସେମାନଙ୍କୁ କାବୁ କରିଥିଲା। ୨୦ ରାଉଣ୍ଡ ଗୁଳି ଗାଲିଥିଲେ ହେଁ ପୁଲିସ୍‌ କ’ଣ ପାଇଁ ଗୋଟିଏ ହେଲେ ଗୁଳି ଚଳାଇ ନଥିଲା?

୫- ଅତିକ ଅହମଦ ଓ ଅଶରଫ ହାଇପ୍ରୋଫାଇଲ ଗ୍ୟାଙ୍ଗଷ୍ଟର ହୋଇଥିଲେ ମଧ୍ୟ ବିନା ଯାଞ୍ଚରେ ମିଡିଆ କର୍ମୀମାନଙ୍କୁ କେମିତି ସେମାନଙ୍କର ବାଇଟ ନେବାକୁ ଏତେ ପାଖକୁ ଛଡ଼ା ଗଲା?

୬- ପୁଲିସ୍‌ ଅତିକ ଓ ଅଶରଫଙ୍କୁ ମିଡିଆ ସହ କଥାବାର୍ତ୍ତା ହେବାକୁ କାହିଁକି ବାରଣ କଲା ନାହିଁ?

୭- କାହିଁକି ସେମାନଙ୍କୁ ତତ୍‌କ୍ଷଣତା ହସ୍ପିଟାଲ ଭିତରକୁ ନିଆଗଲା ନାହିଁ?

୮- ସାବରମତୀ ଜେଲରୁ ଅତିକଙ୍କୁ ପ୍ରୟାଗରାଜ ଆଣିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋର୍ଟରେ ହାଜର ସମୟରେ ମଧ୍ୟ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥାକୁ ଧ୍ୟାନରେ ରଖାଯାଇଥିଲା। ହେଲେ ହଠାତ୍‌ ମେଡିକାଲ ଚେକ ଅପ ବେଳେ ସୁରକ୍ଷା ବ୍ୟବସ୍ଥାକୁ ଢିଲା କରାଗଲା କାହିଁକି?

୯- ଗୁରୁବାର ଠାରୁ ୩ ଯୁବକ ପ୍ରୟାଗରାଜ ଆସିବା ସହ ଲଜ୍‌ରେ ରହିଥିଲେ। ସେମାନେ ଅତିକ ଓ ଅଶରଫଙ୍କୁ ହତ୍ୟା କରିବେ ବୋଲି ଲଜ୍‌ରେ ରହି ଯୋଜନା ମଧ୍ୟ କରିଥିବା କୁହାଯାଉଛି। ଏସବୁ ସତ୍ତ୍ୱେ କେମିତି ଗୁଇନ୍ଦା ବିଭାଗ ସେମାନଙ୍କ ସମ୍ପର୍କରେ ଜାଣି ପାରିଲା ନାହିଁ?

୧୦- ଶନିବାର ଦିନ ତମାମ ଅତିକ ଓ ଅଶରଫଙ୍କ ସମ୍ପର୍କରେ ଏହି ୩ ଯୁବକ ତଥ୍ୟ ଯୋଗାଡ଼ କରିଥିଲେ। ସାମ୍ବାଦିକଙ୍କ ବେଶରେ ସେମାନେ ବୁଲୁ ଥିଲେ। ତଥାପି ପୁଲିସ୍‌ କେମିତି ଏମାନଙ୍କ ଉପରେ ସନ୍ଦେହ ପ୍ରକାଶ କଲା ନାହିଁ?

Uttar Pradesh Police Encounter Atiq Ahmed