Advertisment

ଆୟକର ପରେ ଟୋଲରେ ମିଳିବ କି ବଡ଼ ଆଶ୍ୱସ୍ତି?

ଜାତୀୟ ରାଜପଥରେ ନିଆ ଯାଉଥିବା ଟୋଲ ଫି’ରୁ ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଖୁବଶୀଘ୍ର ଟୋଲ ଫି’ କ୍ଷେତ୍ରରେ ଲୋକଙ୍କୁ ଫାଇଦା ଦେବା ପାଇଁ କେନ୍ଦ୍ର ସରକାର ନୂଆ ନୀତି ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି।

author-image
Hemant Lenka
Toll

Toll

ନିକଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୫-୨୬ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଥିଲେ। ଏଥିରେ ମଧ୍ୟବିତ୍ତଙ୍କୁ ଆଶ୍ୱସ୍ତି କରିବାକୁ ଯାଇ ଅର୍ଥମନ୍ତ୍ରୀ ସୀତାରମଣ ୧୨ ଲକ୍ଷ ଟଙ୍କା ଯାଏ ଆୟକର ଛାଡ଼ ସମ୍ପର୍କରେ ଘୋଷଣା କରିଛନ୍ତି। ଏହାର ଅର୍ଥ ୧୨ ଲକ୍ଷ ଟଙ୍କା ଯାଏ ଆୟ କରୁଥିବା ଲୋକଙ୍କୁ କୌଣସି ପ୍ରକାରର ଟିକସ ଦେବାକୁ ପଡ଼ିବନି। ନୂଆ ଆୟକର ବ୍ୟବସ୍ଥା ୮୭ଏ ଅଧୀନରେ ସେମାନେ ଟିକସ ପ୍ରଦାନରୁ ମୁକ୍ତି ପାଇବେ। ଏହି ଘୋଷଣାକୁ ନେଇ ଉତ୍ସାହିତ ଥିବା ମଧ୍ୟବିତ୍ତ ବର୍ଗର ଲୋକଙ୍କ ପାଇଁ ଆଉ ଗୋଟିଏ ବଡ଼ ଖୁସି ଖବର ଆସିବାକୁ ଯାଉଛି।

Advertisment

ଜାତୀୟ ରାଜପଥରେ ନିଆ ଯାଉଥିବା ଟୋଲ ଫି’ରୁ ସମସ୍ତଙ୍କୁ ଆଶ୍ୱସ୍ତି ଦେବାକୁ କେନ୍ଦ୍ର ସରକାର ବଡ଼ ଯୋଜନା କରିଛନ୍ତି। ଖୁବଶୀଘ୍ର ଟୋଲ ଫି’ କ୍ଷେତ୍ରରେ ଲୋକଙ୍କୁ ଫାଇଦା ଦେବା ପାଇଁ କେନ୍ଦ୍ର ସରକାର ନୂଆ ନୀତି ଲାଗୁ କରିବାକୁ ଯାଉଥିବା ଜଣାପଡ଼ିଛି। ଏ ସମ୍ପର୍କରେ ନିଜେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। ତାଙ୍କ କହିବା କଥା ଯେ ମୋଦି ସରକାର ଏବେ ଗୋଟିଏ ସାମୂହିକ ଟୋଲ ନୀତି ଆଣିବା ଉପରେ କାମ କରୁଛନ୍ତି। ଏହି ନୀତି ଦ୍ୱାରା ଜାତୀୟ ରାଜପଥ ବ୍ୟବହାର କରୁଥିବା ଲୋକଙ୍କୁ ବଡ଼ ଫାଇଦା ମିଳିବ।

ଗଡ଼କରୀ କହିଛନ୍ତି, “ଏ କ୍ଷେତ୍ରରେ ଲୋକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଆମେ ଗବେଷଣା କରୁଥିଲୁ। ଆମ ରିସର୍ଚ୍ଚ ଏବେ ଶେଷ ହୋଇସାରିଛି। ଖୁବଶୀଘ୍ର ଯୋଜନା ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଯିବ। ଯାତ୍ରୀମାନେ ଖୁବଶୀଘ୍ର ଆଶ୍ୱସ୍ତି ପାଇବେ।” ଗଡ଼କରୀ ନୂଆ ନୀତି ସମ୍ପର୍କରେ ସୂଚନା ଦେଇଥିଲେ ହେଁ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଦେଇନାହାନ୍ତି। ସେହିପରି ଜାତୀୟ ରାଜପଥରେ ଥିବା ଟୋଲ ବ୍ୟବସ୍ଥା ଉଚ୍ଛେଦ ହେବ ନା ଏହାକୁ ହ୍ରାସ କରାଯିବ, ସେବିଷୟରେ ବି ଗଡ଼କରୀ କୌଣସି ତଥ୍ୟ ସାର୍ବଜନୀନ କରିନାହାନ୍ତି।

Advertisment

ଗଡ଼କରୀ ସୂଚନା ଦେଇଛନ୍ତି ଯେ ସରକାର ଅବରୋଧ ମୁକ୍ତ ଗ୍ଲୋବାଲ ନାଭିଗେସନ ସ୍ୟାଟେଲାଇଟ ସିଷ୍ଟମ(ଜିଏନଏସଏସ) ଭିତ୍ତିକ ଟୋଲ ସଂଗ୍ରହ ବ୍ୟବସ୍ଥା ଜାତୀୟ ରାଜପଥରେ ଲାଗୁ କରିବା ଉପରେ କାମ କରୁଛନ୍ତି।

ଟୋଲ ଟ୍ୟାକ୍ସ ମେମ୍ସ ଉପରେ କ’ଣ କହିଲେ ଗଡ଼କରୀ?

ଜାତୀୟ ରାଜପଥରେ ସଂଗ୍ରହ ହେଉଥିବା ଟୋଲ ଫି’କୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରକାରର ମେମ୍ସ ସୋଶାଲ ମିଡିଆରେ ଭାଇରାଲ ହୋଇଥାଏ। ଟୋଲ ଟ୍ୟାକ୍ସରେ ଅତିଷ୍ଠ ଲୋକମାନେ ମେମ୍ସରେ ଗଡ଼କରୀଙ୍କ ଫଟୋ ଦେବାକୁ ମଧ୍ୟ ଆଦୌ ପଛାନ୍ତି ନାହିଁ। ଏ ସମ୍ପର୍କରେ ଗଡ଼କରୀ କହିଛନ୍ତି, “ମୁଁ ଏସବୁ ବିଷୟରେ ଜାଣିଛି। ମୋ ଉପରେ ମଧ୍ୟ ଅନେକ କାର୍ଟୁନ ହୋଇଛି। ସେଗୁଡ଼ିକ ମଧ୍ୟ ସୋଶାଲ ମିଡିଆରେ ଭାଇରାଲ ହୋଇଥାଏ। ଅନେକ ଲୋକ ମୋତେ ସୋଶାଲ ମିଡିଆରେ ଟ୍ରୋଲ କରୁଛନ୍ତି। ଟୋଲକୁ ନେଇ ଲୋକମାନେ ସମାନ୍ୟ ରାଗିଛନ୍ତି। କିନ୍ତୁ ସେମାନଙ୍କୁ ମୁଁ ଏତିକି କହିପାରିବି ଯେ ଟୋଲକୁ ନେଇ ଥିବା ସମସ୍ତ ରାଗ ଆଉ କିଛି ଦିନ ମଧ୍ୟରେ ଦୂର ହୋଇଯିବ।”

ରିପୋର୍ଟ ଅନୁସାରେ, ଜାତୀୟ ରାଜପଥରେ ଯାତାୟାତ ହେଉଥିବା ଗାଡ଼ି ମଧ୍ୟରୁ ୬୦% ହେଉଛି ଘରୋଇ କାର। ସେହିପରି ମୋଟ ଟୋଲ ରାଜସ୍ୱରୁ ଘରୋଇ କାର ଗୁଡ଼ିକର ଅବଦାନ ୨୦%ରୁ ୨୬%। ୨୦୨୩-୨୪ରେ ଜାତୀୟ ରାଜପଥରୁ ଟୋଲ ଫି’ ବାବଦରେ ୬୪,୮୦୯.୮୬ କୋଟି ରାଜସ୍ୱ ମିଳିଥିଲା। ଏହା ୨୦୨୨-୨୩ ତୁଳନାରେ ୩୫% ଅଧିକ। ୨୦୧୯- ୨୦ରେ ୨୭,୫୦୩ କୋଟିର ଟୋଲ ରାଜସ୍ୱ ମିଳିଥିଲା।

୨୦୨୪ ଡିସେମ୍ବର ମାସରେ ଗଡ଼କରୀ ଲୋକସଭାରେ କହିଥିଲେ ଯେ ୨୦୦୦ ମସିହାରୁ ଇତି ମଧ୍ୟରେ ବିଭିନ୍ନ ଟୋଲ ପ୍ଲାଜରୁ ୧.୪୪ ଲକ୍ଷ କୋଟି ଟଙ୍କା ଆୟ ହୋଇଛି।

ଯମୁନାରେ ଲ୍ୟାଣ୍ଡ କରିବ ବିମାନ!

ଗଡ଼କରୀ ଆହୁରି କହିଛି ଯେ ଦିଲ୍ଲୀ ଦେଇ ଯାଇଥିବା ଯମୁନା ନଦୀକୁ ସଫା କରାଯିବ। ଏଥିସହ ନଦୀ ଭିତରେ ବିମାନ ଲ୍ୟାଣ୍ଡ ପାଇଁ ସ୍ୱତନ୍ତ୍ର ଷ୍ଟ୍ରିପ ନିର୍ମାଣ କରାଯିବ। ଏପରି ବ୍ୟବସ୍ଥା ଗୁଜରାଟରେ ହୋଇଛି। ସାବରମତୀ ନଦୀକୁ ଲ୍ୟାଣ୍ଡିଂ ଷ୍ଟ୍ରିପ ଭାବେ ବ୍ୟବହାର କରାଯାଉଛି। ଏବେ ଯମୁନାରେ ସମାନ ବ୍ୟବସ୍ଥା ଗ୍ରହଣ କରାଯିବ। ଜଣେ ଦିଲ୍ଲୀରୁ ଉଡ଼ାଣ ଭରି ୧୩ ମିନିଟରେ ଆଗ୍ରାରେ ପହଞ୍ଚିଯିବେ। ସେହିଦିନ ସେ ସେଠାରୁ ମଧ୍ୟ ଆସି ପାରିବେ ବୋଲି ଗଡ଼କରୀ ସୂଚନା ଦେଇଛନ୍ତି।

୨୦୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସି ପ୍ଲେନ ସେବାକୁ ଲଞ୍ଚ କରିଥିଲେ। କେଭାଡିୟା ନିକଟରେ ଥିବା ଷ୍ଟାଚ୍ୟୁ ଅଫ ୟୁନିଟି ପାଇଁ ଏହି ସେବାକୁ ଆରମ୍ଭ କରାଯାଇଥିଲା।

Nitin Gadkari Toll Plaza