/odisha-reporter/media/media_files/2025/12/02/app-2025-12-02-12-39-31.jpg)
ସଞ୍ଚାର ସାଥୀ ଆପ୍
ଏହା ହେଉଛି ପେଗାସସ ପ୍ଲସ ପ୍ଲସ। ଏପରି କିଛି ଲେଖିଛନ୍ତି କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ। ସେ କହିଛନ୍ତି, “ବଡ଼ ଭାଇ ଆମ ଫୋନକୁ ନିଜ ହେପାଜତକୁ ନେଇ ଯିବେ ଓ ଆମର ପୂରା ବ୍ୟକ୍ତିଗତ ଜୀବନକୁ ପରିଚାଳନା କରିବେ।” କାର୍ତ୍ତି ଚିଦାମ୍ବରମଙ୍କ ଏହି ପୋଷ୍ଟ କେନ୍ଦ୍ରର ଗୋଟିଏ ନିର୍ଦ୍ଦେଶକୁ ପରେ ଆସିଛି।
କେନ୍ଦ୍ର ସରକାର(Central Government) ସ୍ମାର୍ଟଫୋନ ନିର୍ମାଣକାରୀ ସଂସ୍ଥାଗୁଡ଼ିକୁ ବାଧ୍ୟତାମୂଳକ ଭାବେ ମାର୍କେଟକୁ ନିଜର ମୋବାଇଲ ଛାଡ଼ିବା ପୂର୍ବରୁ ସେଥିରେ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ କରିବାକୁ କହିଛନ୍ତି। ସଞ୍ଚାର ସାଥୀ ହେଉଛି ଗୋଟିଏ ସରକାରଙ୍କ ଦ୍ୱାରା ତିଆରି ହୋଇଥିବା ସାଇବର ସୁରକ୍ଷା ଆପ୍।
ସେହିପରି ମାର୍କେଟରେ ଏବେ ରହିଥିବା ଫୋନଗୁଡ଼ିକରେ ସଞ୍ଚାର ସାଥୀ ଆପ୍କୁ ସପ୍ଟୱେୟାର ଅପଡେଟ ଜରିଆରେ ଇନଷ୍ଟଲ କରିବାକୁ ମଧ୍ୟ ସରକାର କମ୍ପାନିଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଆପ୍କୁ ଏପରି ଢଙ୍ଗରେ ଇନଷ୍ଟଲ କରାଯିବ ଯେମିତି ବ୍ୟବହାରକାରୀ ଏହାକୁ ଡିଲେଟ କିମ୍ବା ମୋଡିଫାଏ କରିପାରିବେ ନାହିଁ। ଅର୍ଥାତ ଆପ୍ରେ ଲୋକମାନେ କୌଣସି ପ୍ରକାରର ହେରଫେର କରିପାରିବେ ନାହିଁ।
କାର୍ତ୍ତି ଚିଦାମ୍ବରମ ସମ୍ଭବତଃ ନିଜ ପୋଷ୍ଟରେ ସରକାରଙ୍କୁ ଅଧିକ ଟାର୍ଗେଟ କରିଥାଇ ପାରନ୍ତି। କିନ୍ତୁ ସଞ୍ଚାର ସାଥୀ ଆପ୍କୁ ନେଇ ସୋଶାଲ ମିଡିଆରେ ଲକ୍ଷଲକ୍ଷ ଲୋକ ସେମାନଙ୍କ ଆଶଙ୍କା ବ୍ୟକ୍ତ କରିଛନ୍ତି। ବିଶେଷ କରି ବିରୋଧୀ ଦଳର ନେତା ଓ ବ୍ୟକ୍ତିଗତ ଗୋପନୀୟତାର ଓକିଲାତି କରୁଥିବା ଲୋକମାନେ ସଞ୍ଚାର ସାଥୀକୁ ବିରୋଧ କରିଛନ୍ତି।
କେନ୍ଦ୍ରର ନିର୍ଦ୍ଦେଶ ପରେ ପେଗାସସ ଏବେ ଏକ୍ସରେ ଟ୍ରେଣ୍ଡ କରୁଛି। ପେଗାସସ ହେଉଛି ଏମିତି ଗୋଟିଏ ସ୍ୱତନ୍ତ୍ର ସ୍ପାଏୱେୟାର ଯାହା ଫୋନର ପ୍ରତିଟି ଜିନିଷକୁ ରେକର୍ଡ କରିବାକୁ ସକ୍ଷମ ହୋଇଥାଏ। ସଞ୍ଚାର ସାଥୀକୁ ମଧ୍ୟ ଲୋକମାନେ ପେଗାସସ ସହ ତୁଳନା କରିଛନ୍ତି।
ଜଣେ ବ୍ୟକ୍ତି ଲେଖିଛନ୍ତି, “ସରକାର ଏବେ ବିଧିବଦ୍ଧ ଭାବେ ଲୋକଙ୍କ ଗୁଇନ୍ଦାଗିରି ଆରମ୍ଭ କରିଦେଇଛନ୍ତି? ପେଗାସସ?” ଆଉ ଜଣେ କହିଛନ୍ତି, “ଏହା ସମ୍ଭବତଃ ଟିକସଦାତାଙ୍କ ଅନେକ ଟଙ୍କା ବଞ୍ଚାଇବ। ପେଗାସସର ମୂଲ୍ୟ ୧୦ ହଜାର ଡଲାର। ଏହା ସଂପୂର୍ଣ୍ଣ ଭାବେ ବିକଶିତ ଭାରତର ସ୍ୱଦେଶୀ ସର୍ଭେଲାନ୍ସ।”
ପେଗାସସ ଶବ୍ଦ ବ୍ୟତୀତ ସରକାର ଆହୁରି କଟୁ ସମାଲୋଚନାର ଶିକାର ହୋଇଛନ୍ତି। ରାଜ୍ୟସଭା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି, “ଭାରତ ସରକାରଙ୍କ ଦ୍ୱାରା ପ୍ରତ୍ୟେକ ମୋବାଇଲ ଫୋନ ନିର୍ମାତା କମ୍ପାନୀକୁ ସ୍ଥାୟୀ ମୋବାଇଲ ସୁବିଧା ରୂପରେ ସଞ୍ଚାର ସାଥୀ ମୋବାଇଲ ଆପ୍ଲିକେସନ ବାଧ୍ୟତାମୂଳକ କରିବା ଗୋଟିଏ ବିଗ ବସ୍ ସର୍ଭେଲାନ୍ସ କ୍ଷଣ ବ୍ୟତୀତ ଆଉ କିଛି ନୁହେଁ।”
ସିପିଆଇ(ଏମ) ସାଂସଦ ଜନ ବ୍ରିଟ୍ଟାସ ମଧ୍ୟ କେନ୍ଦ୍ରକୁ ଏହି ପ୍ରସଙ୍ଗରେ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, “ପରବର୍ତ୍ତୀ ପଦକ୍ଷେପ ନିଶ୍ଚତ ଭାବେ ୧୪୦ କୋଟି ଲୋକଙ୍କ ଆଙ୍କେଲ ମନିଟର, କଲାର୍ସ ଓ ବ୍ରେନ ଇମପ୍ଲାଣ୍ଟସ। ଏହାପରେ ସରକାରଙ୍କୁ ଶେଷରେ ଜଣାପଡ଼ିବ ଯେ ଆମେ ପ୍ରକୃତରେ କ’ଣ କରୁଛେ ଓ କ’ଣ ଚାହୁଁଛେ।”
ରାଜନୀତିକ ବିଶେଷଜ୍ଞ ତେହଶୀନ ପୁନାୱାଲା ଏପରି ନିଷ୍ପତ୍ତିକୁ ଗୋପନୀୟତା ଓ ସ୍ୱାଧୀନତା ଉପରେ ଶକ୍ତ ପ୍ରହାର ବୋଲି କହିଛନ୍ତି। ସେ ଏକ୍ସରେ ଲେଖିଛନ୍ତି, “ସବୁ ନୂଆ ଫୋନରେ ପୂର୍ବରୁ ଇନଷ୍ଟଲ କରିବା ଓ ଆମକୁ ଅନଇନଷ୍ଟଲ ବା ଡିଲେଟ କରିବାକୁ ଅନୁମତି ନ ଦେବା, ସୁରକ୍ଷା ଆଳରେ ସରକାରଙ୍କ ପାଖରେ ଆମର କଲ, ମେସେଜ ଓ ଠିକଣା ଉପରେ ଗୁଇନ୍ଦାଗିରି କରିବାର ଶକ୍ତି ରହିବ। ଏହା ସର୍ଭେଲାନ୍ସର ସବୁଠାରୁ ଖରାପ ରୂପ।”
ସଞ୍ଚାର ସାଥୀ ଆପ କ’ଣ?
ସଞ୍ଚାର ସାଥୀ ଆପ କ’ଣ ସତରେ ଏତେ ଖରାପ? ସଞ୍ଚାର ସାଥୀ ଆପ୍ ହେଉଛି କେନ୍ଦ୍ର ସରକାର ଡିଜିଟାଲ ସୁରକ୍ଷା ବ୍ୟବସ୍ଥା। ଏହା ଏକ ମୋବାଇଲ ଆପ୍ ଓ ନିଜର ୱେବ ପୋର୍ଟାଲ ମାଧ୍ୟମରେ ଅନେକ ଲୋକ କୈନ୍ଦ୍ରିକ ସେବା ପ୍ରଦାନ କରିବ। ଏହି ସୁବିଧାରେ ଚକ୍ଷୁ ବି ସାମିଲ ରହିଛି। ଏହା ମୋବାଇଲ ବ୍ୟବହାରଙ୍କୁ ସନ୍ଦିଗ୍ଧ ସାଇବର ଠକେଇର ରିପୋର୍ଟ କରିବାରେ ସହାୟକ ହେବ।
ସଞ୍ଚାର ସାଥୀ ୱେବସାଇଟରେ ଉଲ୍ଲେଖ ରହିଛି ଯେ ସନ୍ଦିଗ୍ଧ ସାଇବର ଠକେଇର ଏପରି ସକ୍ରିୟ ରିପୋର୍ଟିଂ ଦୂରସଞ୍ଚାର ବିଭାଗକୁ ସାଇବର ଅପରାଧ, ଆର୍ଥିକ ଠକେଇ ଆଦି ଦୁର୍ବ୍ୟବହାରକୁ ରୋକିବାରେ ସହଯୋଗ କରିଥାଏ। ଚକ୍ଷୁ ଜରିଆରେ ମୋବାଇଲ ବ୍ୟବହାରକାରୀ ବ୍ୟବସାୟିକ ସ୍ପାମ କଲର ରିପୋର୍ଟ ମଧ୍ୟ କରିପାରିବେ। ସଞ୍ଚାର ସାଥୀ ୱେବସାଇଟ ଅନୁସାରେ ଚକ୍ଷୁ ଲୋକଙ୍କୁ ସନ୍ଦିଗ୍ଧ ୱେବ ଲିଙ୍କ ଓ ଠକେଇର ଆଶଙ୍କା ଥିବା ଯୋଗାଯୋଗ ସମ୍ପର୍କରେ ରିପୋର୍ଟ କରିବାକୁ କ୍ଷମତା ଦେଇଥାଏ।
ଏହା ମଧ୍ୟରେ ବେଆଇନ ଲିଙ୍କ, ଡିଭାଇସ କଲିଂ ଉଦ୍ୟମ ଓ ଏସଏମଏସ, ଆରସିଏସ୍, ଆଇମେସେଜ, ହ୍ୱାଟସ ଆପ ଓ ଟେଲିଗ୍ରାମ ଭଳି ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ପଠାଯାଉଥିବା ଅନ୍ୟ ମାଲୱେୟାର ଆଦି ରହିଛି।
ଫୋନ ନିର୍ମାଣକାରୀ ସଂସ୍ଥାକୁ କ’ଣ କହିଛନ୍ତି ସରକାର?
ଯୋଗାଯୋଗ ମନ୍ତ୍ରଣାଳୟ ଅଧୀନରେ ଥିବା ଟେଲିକମ୍ୟୁନିକେସନ ବିଭାଗ ପକ୍ଷରୁ ସମସ୍ତ ମୋବାଇଲ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ କୁହାଯାଇଛି ଯେ ସମସ୍ତ ମୋବାଇଲ ହ୍ୟାଣ୍ଡସେଟ ବଜାରକୁ ଆସିବା ପୂର୍ବରୁ ସେଥିରେ ସଞ୍ଚାର ସାଥୀ ଆପ୍ ଇନଷ୍ଟଲ ହୋଇଥିବା ଦରକାର। ଭାରତରେ ତିଆରି ହେଉଥିବା କିମ୍ବା ଭାରତକୁ ଆମଦାନୀ ହେଉଥିବା ସମସ୍ତ ଫୋନରେ ଏପରି ବ୍ୟବସ୍ଥା ୯୦ ଦିନ ମଧ୍ୟରେ କରାଯିବା ବାଧ୍ୟତାମୂଳକ। ନଭେମ୍ବର ୨୮ରୁ ଏହି ୯୦ ଦିନିଆ ଅବଧି ଆରମ୍ଭ ହୋଇଛି।
ବିଭାଗ ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ ପୂର୍ବରୁ ଫୋନରେ ଇନଷ୍ଟଲ ହୋଇଥିବା ସଞ୍ଚାର ସାଥୀ ଆପ୍କୁ ପ୍ରଥମଥର ମୋବାଇଲକୁ ବ୍ୟବହାର କରୁଥିବା ବା ସେଟଅପ କରୁଥିବା ଲୋକମାନେ ଯେମିତି ସ୍ପଷ୍ଟ ଭାବେ ଦେଖିପାରିବେ। ଏହାର କାର୍ଯ୍ୟକ୍ଷମକୁ ଯେମିତି କେହି ବନ୍ଦ କରିପାରିବେ ନାହିଁ କିମ୍ବା ଏହା ଉପରେ ଯେମିତି କେହି କଟକଣା ଲଗାଇ ପାରିବେ ନାହିଁ, ତା’ର ବ୍ୟବସ୍ଥା କମ୍ପାନୀଗୁଡ଼ିକ ସୁନିଶ୍ଚିତ କରିବେ।
ଯେଉଁ ଫୋନ ଗୁଡ଼ିକ ପୂର୍ବରୁ ତିଆରି ହୋଇ ସାରିଛି କିମ୍ବା ମାର୍କେଟରେ ରହିଛି, ସେଥିରେ ଏହି ଆପ୍କୁ ସଫ୍ଟୱେୟାର ଅପଡେଟ ମାଧ୍ୟମରେ ଇନଷ୍ଟଲ କରିବାର ବ୍ୟବସ୍ଥା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଯଦି କେହି ଏହାକୁ ଅଣଦେଖା କରନ୍ତି, ତା’ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଚେତାବନୀ ମଧ୍ୟ ଦେଇଛନ୍ତି ସରକାର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
