Advertisment

ୱାକଫ ଆଇନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ପ୍ରମୁଖ ପ୍ରାବଧାନ ଉପରେ ଲାଗିଲା ରୋକ

ସର୍ବୋଚ୍ଚ ଅଦାଲତନ କିଏ ୱାକଫ କରିପାରିବେ ଓ ବିବାଦୀୟ ସମ୍ପତ୍ତି ଉପରେ କିଏ ନିଷ୍ପତ୍ତି ନେଇ ପାରିବେ, ସେନେଇ ସଂଶୋଧିତ ଆଇନରେ ଥିବା ପ୍ରାବଧାନ ଉପରେ ସଂପୂର୍ଣ୍ଣ ରୋକ ଲଗାଇ ଦେଇଛନ୍ତି। ଏହାବାଦ ୱାକଫ ବୋର୍ଡ ଗଠନକୁ ନେଇ ପ୍ରସ୍ତାବିତ ନିୟମ ଉପରେ କଟକଣା ମଧ୍ୟ ଲଗାଯାଇଛି।

author-image
Hemant Lenka
SC

SC

କେନ୍ଦ୍ର ସରକାରଙ୍କ ୱାକଫ(ସଂଶୋଧନ) ଆଇନ ଉପରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ୱାକଫ ଆଇନରେ କେନ୍ଦ୍ର ସରକାର କରିଥିବା ଏକାଧିକ ପ୍ରମୁଖ ସଂଶୋଧନ ଉପରେ ସର୍ବୋଚ୍ଚ ଅଦାଲତ ଆଜି ରୋକ ଳଗାଇ ଦେଇଛନ୍ତି। ୱାକଫ ଆଇନର ସାମ୍ବିଧାନିକ ବୈଧତାକୁ ନେଇ ସୁପ୍ରିମକୋର୍ଟରେ ପହଞ୍ଚିଥିବା ଆବେଦନକାରୀଙ୍କୁ ସୁପ୍ରିମକୋର୍ଟ ଏପରି ରାୟ ବଡ଼ ଆଶ୍ୱସ୍ତି ଦେଇଛି। ସେହିପରି ୱାକଫ ଆଇନର ସଂସ୍କାର ଆଣିବାର ନାରା ଦେଇ ନିୟମ ପ୍ରଣୟନ କରିଥିବା କେନ୍ଦ୍ର ସରକାରଙ୍କୁ ଏହା ଶକ୍ତ ଝଟକା ସଦୃଶ ହୋଇଛି। 

Advertisment

ସର୍ବୋଚ୍ଚ ଅଦାଲତନ କିଏ ୱାକଫ କରିପାରିବେ ଓ ବିବାଦୀୟ ସମ୍ପତ୍ତି ଉପରେ କିଏ ନିଷ୍ପତ୍ତି ନେଇ ପାରିବେ, ସେନେଇ ସଂଶୋଧିତ ଆଇନରେ ଥିବା ପ୍ରାବଧାନ ଉପରେ ସଂପୂର୍ଣ୍ଣ ରୋକ ଲଗାଇ ଦେଇଛନ୍ତି। ଏହାବାଦ ୱାକଫ ବୋର୍ଡ ଗଠନକୁ ନେଇ ପ୍ରସ୍ତାବିତ ନିୟମ ଉପରେ କଟକଣା ମଧ୍ୟ ଲଗାଯାଇଛି। କିଛି ପ୍ରସ୍ତାବ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଆଯାଇଛି। ତେବେ ୱାକଫ ଆଇନ ଉପରେ ସଂପୂର୍ଣ୍ଣ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ବାରଣ କରିଥିବା ବେଳେ ଏହାର ସାମ୍ବିଧାନିକ ବୈଧତା ଉପରେ ଶୁଣାଣି ଚାଲିବ ବୋଲି ସ୍ପଷ୍ଟ କରିଛନ୍ତି।

ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇ କହିଛନ୍ତି ଯେ “ଆମେ ଦେଖିବାକୁ ପାଇଛୁ ଯେ ସଂପୂର୍ଣ୍ଣ ଆଇନକୁ ଚ୍ୟାଲେଞ୍ଜ କରାଯାଇଛି। କିନ୍ତୁ ମୂଳତଃ ସେକ୍ସନ୩(ଆର), ୩ସି ଓ ୧୪କୁ ଚ୍ୟାଲେଞ୍ଜ କରାଯାଇଥିଲା। ଆମେ ୧୯୨୩ ଆଇନ ଠାରୁ ଆରମ୍ଭ କରି ବିଧେୟକଗୁଡ଼ିକ ଇତିହାସକୁ ତର୍ଜମା କରିଛୁ। ସଂପୂର୍ଣ୍ଣ ଆଇନ ଉପରେ ରୋକ ଲାଗିବାର ଆବଶ୍ୟକତା ନାହିଁ ବୋଲି ଆମେ ବିଚାର କରୁଛୁ। କିନ୍ତୁ ଯେଉଁ ସବୁ ଧାରାକୁ ଚ୍ୟାଲେଞ୍ଜ କରାଯାଇଛି, ଆମେ ସେଗୁଡ଼ିକ ଉପରେ ରୋକ ଲଗାଉଛୁ।”

Advertisment

ଆଇନରେ ୱାକଫ ପାଇଁ ଜଣେ ବ୍ୟକ୍ତିବିଶେଷକୁ ୫ ବର୍ଷ ଯାଏ ଇସଲାମକୁ ଅନୁପାଳନ କରିବା ବାଧ୍ୟତାମୂଳକ କରାଯାଇଥିଲା। କିନ୍ତୁ ଧାରା ୩(ଆର)ରେ ଥିବା ଏହି ନିୟମ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇଛନ୍ତି। ନୂଆ ପ୍ରାବଧାନ ପ୍ରଣୟନ ହେବା ଯାଏ ଏହା ଉପରେ ରୋକ ଲଗାବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛି।

ସୁପ୍ରିମକୋର୍ଟ ୱାକଫ ଆଇନରେ ଥିବା ଧାରା ୩ସି(୪) ଉପରେ ମଧ୍ୟ ରୋକ ଲଗାଇ ଦେଇଛନ୍ତି। ଏଥିରେ ଜିଲ୍ଲାପାଳଙ୍କୁ ଗୋଟିଏ ୱାକଫ ସମ୍ପତ୍ତି ସରକାରଙ୍କ ସମ୍ପତ୍ତି କି ନୁହେଁ, ତା’ର ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଧିକାର ଦିଆଯାଇଥିଲା। ଜିଲ୍ଲାପାଳଙ୍କୁ ନାଗରିକଙ୍କ ବ୍ୟକ୍ତିଗତ ଅଧିକାର ଉପରେ ନିର୍ଣ୍ଣୟ ନେବାକୁ ଅନୁମତି ମିଳିପାରିବ ନାହିଁ। ଏହା କ୍ଷମତା ପୃଥକୀକରଣର ଉଲ୍ଲଙ୍ଘନ କରୁଛି। କାର୍ଯ୍ୟନିର୍ବାହୀ ଅଧିକାରୀ କେବେ ହେଲେ ବି ନାଗରିକଙ୍କ ଅଧିକାର ଉପରେ ନିଷ୍ପତ୍ତି ନେଇ ପାରିବେ ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି।

ବିବାଦୀୟ ଜମିର ସମାଧାନ ଜିଲ୍ଲାପାଳ କରିପାରିବେ ନାହିଁ। ଏହାର ବିଚାର ଟ୍ରିବ୍ୟୁନାଲ କରିବେ। ଟ୍ରିବ୍ୟୁନାଲ ଚୂଡ଼ାନ୍ତ ନିଷ୍ପତ୍ତି ନ ନେବା ଯାଏ କୌଣସି ପକ୍ଷ ବିରୋଧରେ ତୃତୀୟ ପକ୍ଷରୁ ସ୍ୱୀକୃତିକୁ ଅନୁମତି ମିଳି ପାରିବ ନାହିଁ।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି ଯେ ରାଜ୍ୟ ୱାକଫ ବୋର୍ଡରେ ୩ରୁ ଅଧିକ ଅଣ ମୁସଲିମ ସଦସ୍ୟ ରହିପାରିବେ ନାହିଁ। ବର୍ତ୍ତମାନ ୱାକଫ ପରିଷଦ ବା କେନ୍ଦ୍ରୀୟ ୱାକଫ ବୋର୍ଡରେ ୪ରୁ ଅଧିକ ଅଣ ମୁସିଲମ ରହିପାରିବେ ନାହିଁ। ଓ୍ୱାକଫ୍ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ।

ତେବେ ୱାକଫ ସମ୍ପତ୍ତିର ପଞ୍ଜିକରଣ ନିୟମରେ ସର୍ବୋଚ୍ଚ ଅଦାଲତ କୌଣସି ରୋକ ଲଗାଇ ନାହାନ୍ତି। ଖଣ୍ଡପୀଠ କହିଛନ୍ତି ଯେ ୧୯୫୫ରୁ ୨୦୧୩ ଯାଏ ପଞ୍ଜିକରଣ ବ୍ୟବସ୍ଥା ରହିଥିଲେ। ଏବେ ମଧ୍ୟ ଏହି ନିୟମ ବଳବତ୍ତର ଅଛି। ତେଣୁ ପଞ୍ଜିକରଣ ବ୍ୟବସ୍ଥା କୌଣସି ନୂଆ ନୁହେଁ ବୋଲି ଆମେ ଅନୁଭବ କରୁଛି।

ଆବେଦନକାରୀଙ୍କ ଓକିଲ ଏମଆର ଶାମଶାଦ କହିଛନ୍ତି ଯେ ଆଜିର ରାୟ ବହୁତ ଭଲ। ସୁପ୍ରିମକୋର୍ଟ ୱାକଫ ବାଇ ୟୁଜର ସହ ଜଡ଼ିତ ଧାରାକୁ ଛାଡ଼ି ଆଉ ସବୁ ପ୍ରସଙ୍ଗର ଶୁଣାଣି କରିଛନ୍ତି। ଏହା ମଧ୍ୟରୁ ଅଧିକାଂଶ ନିୟମ ଉପରେ ରୋକ ଲାଗିଛି ବୋଲି ସେ କହିଛନ୍ତି।

ସର୍ବଭାରତୀୟ ମୁସଲିମ ପର୍ସନାଲ ଲ ବୋର୍ଡ ପକ୍ଷରୁ ରାୟକୁ ସ୍ୱାଗତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଉଠା ଯାଇଥିବା ସମସ୍ତ ଆପତ୍ତିକୁ ସୁପ୍ରିମକୋର୍ଟ ଗ୍ରହଣ କରିଛନ୍ତି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି।

Supreme Court Waqf Act