Advertisment

ହସପିଟାଲରୁ ଚୋରି ହୋଇଗଲା ଦୁଇ କିଡନୀ, ୩ ପିଲା ସହ ସୁନୀତାଙ୍କୁ ଛାଡ଼ି ଚାଲିଗଲେ ସ୍ୱାମୀ

ଗର୍ଭାଶୟ ସଂକ୍ରମଣ ଯୋଗୁ ସେ ସେପ୍ଟେମ୍ବର ୩ରେ ମୁଜାଫର ନଗରରେ ଶୁଭକାନ୍ତ କ୍ଲିନିକରେ ଭର୍ତ୍ତି ହୋଇଥିଲେ।

author-image
Tapas Behera
ଅଦ୍ୟତନ ହୋଇଛି
Sunita

Sunita

ବଞ୍ଚିବା ପାଇଁ ଆଉ ଆଶା ନାହିଁ କି ଭରସା ନାହିଁ। କେବଳ ନାମକୁ ମାତ୍ର ଜୀବନ ସହ ସଂଗ୍ରାମ ଜାରି ରହିଛି। ଅସହାୟ ଅବସ୍ଥାରେ ପଡ଼ି ରହି କେଉଁ ଦିନ ଯମ ଆସି ନିଶ୍ୱାସର ଖିଅଟିକୁ ଛିଡ଼ାଇ ଦେବ ତାର ଗଣନା ଆରମ୍ଭ କରିଛନ୍ତି। ସମ୍ଭାବ୍ୟ ମୃତ୍ୟୁର ଦ୍ୱାର ଦେଶରେ ପହଞ୍ଚିଥିଲେ ମଧ୍ୟ ତିନିଟି ନିଷ୍ପାପ ଜୀବନ ତାଙ୍କ କୋଳରେ ବନ୍ଧା ହୋଇଛି। ଏମିତି ଏକ ଦାରୁଣ ସମୟ ଦେଇ ଗତି କରୁଛନ୍ତି ଜଣେ ମହିଳା। ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କ ଦୁଇଟି କିଡନୀ ଚୋରି ହୋଇଯିବା ପରେ ସେ ଏବେ ବେସାହାରା ଅବସ୍ଥାରେ ପଡ଼ି ରହିଛନ୍ତି। ଏମିତି ଏକ ଦୁଃଖଦ ସମୟରେ ନିଜ ସ୍ୱାମୀ ବି ଛାଡ଼ି ଚାଲିଗଲେ। ଏବେ ମୃତ୍ୟୁ ସହ ଲଢ଼ୁଥିବା ମହିଳା ଜଣକ କୋଳରେ ୩ଟି ଛୁଆ ଅଭିଶପ୍ତ ଜୀବନ କାଟୁଛନ୍ତି। ବିହାର ମୁଜାଫରନଗରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି।

Advertisment

ସମ୍ପୃକ୍ତ ମହିଳା ଜଣକ ହେଉଛନ୍ତି ସୁନିତା। ନିଜର ଗର୍ଭାଶୟ ସଂକ୍ରମଣ ଯୋଗୁ ସେ ସେପ୍ଟେମ୍ବର ୩ରେ ମୁଜାଫର ନଗରରେ ଶୁଭକାନ୍ତ କ୍ଲିନିକରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସେଇ କ୍ଲିନିକ୍‌ରେ ସୁନିତାଙ୍କର ଦୁଇଟି ଯାକ କିଡନୀ ଚୋରି ହୋଇଥିବା ସେ କହିଛନ୍ତି। ତେବେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ପାଟନାର ଆଉ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ତେବେ କିଡନୀ ଚୋରି ଅଭିଯୋଗରେ କ୍ଲିନିକ୍‌ ମାଲିକଙ୍କୁ ଗିରଫ କରିଛି ପୁଲିସ । ଏବେ ସୁନିତା ପାଟନାରେ ଏକ ସରକାରୀ ହସପିଟାଲରେ ଚିକତ୍ସିତ ହେଉଛନ୍ତି। ବୃତ୍ତିରେ ସୁନିତା ହେଉଛନ୍ତି ଜଣେ ଦିନ ମଜୁରିଆ। କେଉଁଠି କାହା ପାଖରେ କାମ କଲେ ତାଙ୍କ ପରିବାର ଚଳେ। ତାଙ୍କର ୩ଟି ଛୋଟ ଛୋଟ ପିଲା ମଧ୍ୟ ଅଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରେ ସେ ଆଉ କାମ କାରିପାରୁ ନାହାନ୍ତି। ହସପିଟାଲରେ ପଡ଼ିରହିବା ପରେ ଶେଷରେ ନିଜ ସ୍ୱାମୀ ତାଙ୍କୁ ଏକା ଛାଡ଼ି ଚାଲିଗଲେ।

ଏବେ ସୁନିତାଙ୍କ କାନ୍ଧରେ ୩ଟି ଛୁଆଙ୍କ ବୋଝ। ଏହି ୩ଟି ଛୁଆ କେମିତି ଚଳିବେ ତାକୁ ନେଇ ସେ ଚିନ୍ତାରେ ପଡ଼ିଛନ୍ତି। ସୁନିତା କହିଛନ୍ତି ଯେ, ମୋର ୩ଟି ଛୁଆ। ମୋ ସ୍ୱାମୀ ମୋତେ ଛାଡ଼ି ଚାଲିଗଲେ। ଏବେ ମୁଁ ହସପିଟାଲରେ ଭର୍ତ୍ତି ହୋଇଛି। କେଉଁ ଦିନ ମୃତ୍ୟୁ ଆସି ନେଇଯିବ ସେ ଦିନ ଗଣୁଛି। ମୋର ମୃତ୍ୟୁ ପରେ ୩ଟି ପିଲାଙ୍କ ଭାଗ୍ୟ କଣ ହେବ ତାହା ମୋତେ ବ୍ୟଥିତ କରିଛି। ଅନେକ ସହୃଦୟ ବ୍ୟକ୍ତି କିଡନୀ ଦାନ ପାଇଁ ଆସୁଛନ୍ତି। କିନ୍ତୁ କାହାର ମ୍ୟାଚ କରୁନି। କିଛି ଦିନ ପୂର୍ବରୁ ସୁନୀତାଙ୍କ ସହ ତାଙ୍କ ସ୍ୱାମୀ ଅକୁଲ ରାମ ଥିଲେ। କିନ୍ତୁ ପାରିବାରିକ କଳହକୁ ନେଇ ସ୍ୱାମୀ ସହ ପାଟିତୁଣ୍ଡ ହେବାରୁ ସେ ଛାଡ଼ି ଚାଲିଗଲେ। ଏବେ ହସପିଟାଲରେ ସୁନୀତା ଏକା ଲଢ଼େଇ କରୁଛନ୍ତି।

Advertisment