ପ୍ରାଣ ହରାଇଥିବା ସଞ୍ଜୁ କୁମାର
ଗୁଡ଼ି ଉଡ଼ାଇବାକୁ ବ୍ୟବହାର ହେଉଥିବା ଘାତକ ମାଞ୍ଜା ସୂତା(Kite String) ଗୋଟିଏ ପରିବାରକୁ ଉଜାଡ଼ି ଦେଇଛି। ଚାଇନିଜ ମାଞ୍ଜା ସୂତା ଉପରେ ସରକାର ବ୍ୟାନ ଲଗାଇଛନ୍ତି। ହେଲେ ମକର ସଂକ୍ରାନ୍ତିରେ ଲୋକମାନେ ମାଞ୍ଜା ସୂତାରେ ଗୁଡ଼ି ଉଡ଼ାଇ ନିୟମର ଧଜିଆ ଉଡ଼ାଇଛନ୍ତି।
ନିୟମର ଧଜିଆ ଉଡ଼ିଥିବା ବେଳେ କର୍ଣ୍ଣାଟକାରେ ଜଣେ ନିରହୀ ବାଇକ ଆରୋହୀ ଏହାର ଶିକାର ବନିଛନ୍ତି। ୪୮ ବର୍ଷୀୟ ବ୍ୟକ୍ତି ଜଣଙ୍କ ବାଇକରେ ଯାଉଥିବା ବେଳେ ମାଞ୍ଜା ସୂତାରେ ତାଙ୍କ ତଣ୍ଟି କଟି ଯାଇଥିଲା। ସେ ରକ୍ତାକ୍ତ ଅବସ୍ଥାରେ ରାସ୍ତାରେ ପଡ଼ି ଛଟପଟ ହେବା ପରେ ଝିଅକୁ ଫୋନ କରିଥିଲେ। ଏହାପରେ ସେ ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି ପରପାରିକୁ ଚାଲି ଯାଇଛନ୍ତି।
କର୍ଣ୍ଣାଟକାର ବିଦାର ଜିଲ୍ଲା ଅନ୍ତର୍ଗତ ତାଲାମାଡାଗି ବ୍ରିଜ ନିକଟ ରାସ୍ତାରେ ୪୮ ବର୍ଷୀୟ ସଞ୍ଜୁ କୁମାର ହୋସମଣି ବାଇକରେ ଯାଉଥିଲେ। ଏହି ସମୟରେ ଅନେକ ଲୋକ ସେଠାରେ ମକର ସଂକ୍ରାନ୍ତି ପାଇଁ ଗୁଡ଼ି ଉଡ଼ାଉଥିଲେ। ସଞ୍ଜୁ କୁମାର ରାସ୍ତାରେ ଯାଉଥିବା ବେଳେ ହଠାତ୍ ଗୋଟିଏ ଗୁଡ଼ିର ମାଞ୍ଜା ସୂତା ସିଧା ତାଙ୍କ ତଣ୍ଟିରେ ଲାଗି ଲାଗି ଯାଇଥିଲା।
ସୂତାରେ ତାଙ୍କ ଏମିତି କଟି ଥିଲା ଯେ ସେ ବାଇକରୁ ସିଧା ତଳେ ପଡ଼ିଥିଲେ। ମାଞ୍ଜା ସୂତାରେ କଟିଥିବା ସ୍ଥାନରୁ ପିଚପିଚ ହୋଇ ରକ୍ତ ବାହାରିବାରେ ଲାଗିଥିଲା। ରାସ୍ତାରେ ପଡ଼ି କିଛି କ୍ଷଣ ପାଇଁ ସଞ୍ଜୁ କୁମାର ଛଟପଟ ହୋଇଥିଲେ। ରକ୍ତାକ୍ତ ଅବସ୍ଥାରେ ମଧ୍ୟରେ ସେ ନିଜ ମୋବାଇଲରୁ ଝିଅକୁ ଫୋନ କରି କଥା ହୋଇଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସଞ୍ଜୁ କୁମାର ମୋବାଇଲରୁ ଝିଅକୁ ଫୋନ କରୁଥିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।
ସଞ୍ଜୁ କୁମାରଙ୍କ ଏପରି ଅବସ୍ଥା ଦେଖି ସେହି ବାଟେ ଯାଉଥିବା ଜଣେ ବ୍ୟକ୍ତି ଅଟକି ଥିଲେ। ସେ ତୁରନ୍ତ କଟି ଯାଇଥିବା ସ୍ଥାନରୁ ବାହାରୁ ଥିବା ରକ୍ତକୁ ବନ୍ଦ କରିବା ପାଇଁ କପଡ଼ାର ବ୍ୟବହାର କରିଥିଲେ। ସେହିପରି ଆଉ ଜଣେ ବ୍ୟକ୍ତି ଆମ୍ବୁଲାନ୍ସକୁ ମଧ୍ୟ ଖବର ଦେଇଥିଲେ। ହେଲେ ଆମ୍ବୁଲାନ୍ସ ଆସିବା ବେଳକୁ ସଞ୍ଜୁ କୁମାରଙ୍କ ମୃତ୍ୟୁ ହୋଇ ସାରିଥିଲା।
ଘଟଣାକୁ ନେଇ ସଞ୍ଜୁ କୁମାରଙ୍କ ସମ୍ପର୍କୀୟମାନେ ସ୍ଥାନୀୟ ପ୍ରଶାସନ ଉପରେ କ୍ଷୁବ୍ଧ ହୋଇଛନ୍ତି। ଯଦି ଠିକଣା ସମୟରେ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଥାଆନ୍ତା, ତା’ହେଲେ ସଞ୍ଜୁ କୁମାରଙ୍କ ଜୀବନ ବଞ୍ଚି ଯାଇଥାଆନ୍ତା ବୋଲି ସେମାନେ କହିଛନ୍ତି।
ଘଟଣା ବିରୋଧରେ ସ୍ଥାନୀୟ ଲୋକ ଓ ସଞ୍ଜୁ କୁମାରଙ୍କ ସମ୍ପର୍କୀୟ ବେଶ କିଛି ସମୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ମାଞ୍ଜା ସୂତା ବ୍ୟବହାରକାରୀଙ୍କ ବିରୋଧରେ ସେମାନେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମାନ୍ନା ଇଖେଲ୍ଲି ପୁଲିସ୍ ଷ୍ଟେସନରେ ଏନେଇ ଗୋଟିଏ ମାମଲା ରୁଜୁ ହୋଇଛି ଓ ପୁଲିସ୍ ଅଧିକ ତଦନ୍ତ କରୁଥିବା ସୂଚନା ମିଳିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/14/karnataka-2026-01-14-16-06-00.jpg)