Advertisment

ଜେଲ ଯିବେ ୧୧ ଦୋଷୀ: ସୁପ୍ରିମକୋର୍ଟଙ୍କ ରାୟ ପରେ କ’ଣ କହିଲେ ବିଲକିସ ବାନୋ

ଗୁଜରାଟ ସରକାର ସେମାନଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ପ୍ରାୟ ଦେଢ଼ ବର୍ଷ ତଳେ ଜେଲରୁ ମୁକ୍ତ କରି ଦେଇଥିଲେ।

author-image
Hemant Lenka
Bilkis Bano

Bilkis Bano

ଗୁଜରାଟ ଦଙ୍ଗା ପୀଡ଼ିତା ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ ଓ ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିଥିବା ୧୧ ଦୋଷୀ ପୁଣି ଜେଲ ଯିବେ। ଗୁଜରାଟ ସରକାର ସେମାନଙ୍କୁ ସ୍ୱତନ୍ତ୍ର କ୍ଷମା ନୀତି ବଳରେ ପ୍ରାୟ ଦେଢ଼ ବର୍ଷ ତଳେ ଜେଲରୁ ମୁକ୍ତ କରି ଦେଇଥିଲେ।

Advertisment

ହେଲେ ଆଜି ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କୁ ସମାଲୋଚନା କରି ପୁଣି ୧୧ ଦୋଷୀଙ୍କୁ ଜେଲରେ ଭର୍ତ୍ତି କରିବାକୁ କହିଛନ୍ତି। ସୁପ୍ରିମକୋର୍ଟଙ୍କ ଏପରି ଐତିହାସିକ ରାୟ ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ବିଲକିସ ବାନୋ। ଆଜି ତାଙ୍କ ପାଇଁ ପ୍ରକୃତ ନବବର୍ଷ ଆସିଛି ବୋଲି ବାନୋ କହିଛନ୍ତି।

ନିଜର ଓକିଲ ଶୋଭା ଗୁପ୍ତାଙ୍କ ଜରିଆରେ ବିଲକିସ ଗୋଟିଏ ବିବୃତି ଜାରି କରିଛନ୍ତି। ଏଥିରେ ସେ କହିଛନ୍ତି, “ମୋ ଆଖିରୁ ଆଜି ଆଶ୍ୱସ୍ତିର ଲୁହ ବୋହିଛି। ପ୍ରାୟ ଦେଢ଼ ବର୍ଷ ପରେ ମୁଁ ପ୍ରଥମଥର ପାଇଁ ହସିଛି।

Advertisment

ମୁଁ ମୋ ପିଲାମାନଙ୍କୁ ଆଜି ବେଶ ସେହ୍ନର ସହ କୁଣ୍ଢାଇ ପାରିଛି। ମୋ ଛାତି ଉପରେ ଥିବା ଗୋଟିଏ ବିରାଟ ପଥର ଆଜି ହଟିଗଲା ଭଳି ଅନୁଭବ ହେଉଛି। ମୁଁ ଏବେ ପୁଣିଥରେ ଶାନ୍ତିର ନିଃଶ୍ୱାସ ନେଇ ପାରିବି।”

ସେ ଆହୁରି କହିଛନ୍ତି, “ନ୍ୟାୟ ଏମିତି ହିଁ ଅନୁଭବ ହୋଇଥାଏ। ମୋତେ, ମୋ ପିଲା, ବିଭିନ୍ନ ସ୍ଥାନରେ ରହୁଥିବା ମହିଳା ଓ ସମସ୍ତଙ୍କ ପାଇଁ ସମାନ ନ୍ୟାୟର ପ୍ରତିଶ୍ରୁତିକୁ ପୂରଣ କରି ନୂଆ ଆଶା ସୃଷ୍ଟି କରିଥିବାରୁ ମୁଁ ଭାରତର ସମ୍ମାନୀୟ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଜଣାଉଛି।”

୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ସେହି ସମୟରେ ବିଲକିସ ବାନୋଙ୍କ ବୟସ ୨୧ ବର୍ଷ ଥିଲା ଓ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ।

ଏହି ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁଆରୀ ୨୦୦୮ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ଏକମତ ହୋଇଥିଲେ। 

Supreme Court Bilkis Bano