Advertisment

ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌କୁ ରୋକିବା ପାଇଁ ଆସିଲା ବିଲ୍‌, ରହିଛି ଏହି ସବୁ କଡ଼ା ନିୟମ

ଅନିୟମିତତା ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଦୋଷୀଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଫାଇନ ଲାଗୁ କରାଯିବା ଭଳି କଡ଼ା ନିୟମରେ ବିଲ୍‌ରେ ରହିଛି।

Exam

Exam

Advertisment

ବିଭିନ୍ନ ପ୍ରବେଶିକା ପରୀକ୍ଷାର ପ୍ରଶ୍ନ ପତ୍ର ଲିକ ଓ ଅନିୟମିତତାକୁ ରୋକିବାକୁ ଅଣ୍ଟା ଭିଡ଼ିଛନ୍ତି ମୋଦି ସରକାର। ଏଥିପାଇଁ ସରକାର ଆଜି ଗୋଟିଏ ବିଲ ଲୋକସଭାରେ ଆଗତ କରିଛନ୍ତି। ଅନିୟମିତତା ଓ ପ୍ରଶ୍ନପତ୍ର ଲିକ ଘଟଣାରେ ଦୋଷୀଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଫାଇନ ଲାଗୁ କରାଯିବା ଭଳି କଡ଼ା ନିୟମରେ ବିଲ୍‌ରେ ରହିଛି। 

Advertisment

ଆଜି ସରକାର ଲୋକସଭାରେ ଏନେଇ ‘The Public Examinations (Prevention of Unfair Means) ବିଲ ୨୦୨୪କୁ ଉପସ୍ଥାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଏହାକୁ ଉପସ୍ଥାପନ କରି କହିଛନ୍ତି, ଏହି ବିଲ ଶିକ୍ଷାର୍ଥୀଙ୍କୁ ପ୍ରଭାବିତ କରିବ ନାହିଁ।

କିନ୍ତୁ ଏହା ସଂଗଠିତ ଗ୍ୟାଙ୍ଗ, ମାଫିଆ ଓ ଯେଉଁମାନେ ଅନିୟମିତତା କରୁଛନ୍ତି, ସେମାନଙ୍କୁ ଟାର୍ଗେଟ କରି ବ୍ୟବସ୍ଥା କରାଯାଇଛି। ଯଦି ସରକାରୀ ବାବୁମାନେ ମଧ୍ୟ ଏମାନଙ୍କ ସହ ମିଶିଥିବେ, ତା’ହେଲେ ସେମାନଙ୍କୁ ମଧ୍ୟ ସରକାର ଛାଡ଼ିବେ ନାହିଁ ବୋଲି ଶ୍ରୀ ସିଂହ କହିଛନ୍ତି।

Advertisment

ରାଜସ୍ଥାନର ଶିକ୍ଷକ ନିଯୁକ୍ତି ପରୀକ୍ଷା, ହରିଆଣାରେ ଗ୍ରୁପ ଡି ପାଇଁ ସିଇଟି, ଗୁଜରାଟରେ ଜୁନିୟର କ୍ଲକ ନିଯୁକ୍ତି ପରୀକ୍ଷା ଓ ବିହାରରେ କନଷ୍ଟେବଳ ନିଯୁକ୍ତି ପରୀକ୍ଷାରେ ବ୍ୟାପକ ଅନିୟମିତତା ହୋଇଥିଲା। ଏଥିପାଇଁ ପରୀକ୍ଷାକୁ ବାତିଲ ମଧ୍ୟ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ବିଲ୍‌ ଆଣିଛନ୍ତି।

ବିଲ୍‌ରେ ଥିବା ବ୍ୟବସ୍ଥା

୧- ବିଲ୍‌ରେ ବିଭିନ୍ନ ପ୍ରବେଶିକା ପରୀକ୍ଷା ପାଇଁ ଗୋଟିଏ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟି ପରୀକ୍ଷାକୁ ସୁରକ୍ଷିତ ଭାବେ ପରିଚାଳିତ କରିବ।

୨- କମିଟି ପରୀକ୍ଷା ଓ ପ୍ରଶ୍ନପତ୍ର ପ୍ରସ୍ତୁତ ପାଇଁ ପ୍ରୋଟକଲ ପ୍ରସ୍ତୁତ କରିବ। ଆଇଟି ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ସହ ପରୀକ୍ଷା କେନ୍ଦ୍ରରେ ସର୍ଭେଲାନ୍ସ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବ। ପ୍ରବେଶିକା ପରୀକ୍ଷା ପାଇଁ ଜାତୀୟ ସ୍ତରର ସେବା ଯୋଗାଇ ଦିଆଯିବ।

୩- କୌଣସି ଗ୍ୟାଙ୍ଗ କିମ୍ବା ଅନାଧିକୃତ ଲୋକ ପରୀକ୍ଷା ପରିଚାଳନାରେ ସାମିଲ ହୋଇପାରିବେ ନାହିଁ।

୪- ସ୍ୱଚ୍ଛତା, ନିରପେକ୍ଷତା ଓ ଉତ୍ତରଦାୟିତ୍ୱକୁ ଅଧିକ ରୁଦ୍ଧିମନ୍ତ କରିବାକୁ ବିଲ୍‌ରେ ବ୍ୟବସ୍ଥା ହୋଇଛି।

୫- ଠକେଇ ଓ ଆର୍ଥିକ ହେରଫେର ପାଇଁ ନକଲି ୱେବସାଇଟ ଖୋଲିବା, ନକଲି ପରୀକ୍ଷା କରିବା, ନକଲି ଆଡମିଟ କାର୍ଡ ଦେବା, ଠକେଇ କିମ୍ବା ଆର୍ଥିକ ହେରଫେର ପାଇଁ ଅଫର ଲେଟର ଦେବା, ସିଟିଂ ବ୍ୟବସ୍ଥାକୁ ପ୍ରଭାବିତ କରିବା ଓ ବେଆଇନ ଭାବେ ଆଶାୟୀଙ୍କୁ ସେମାନଙ୍କ ପରୀକ୍ଷା ପାଇଁ ତାରିଖ ଦେବା ଆଦି କାମ ନୂଆ ବିଲ୍‌ରେ ଦଣ୍ଡନୀୟ ଅପରାଧ ଭାବେ ବିବେଚନା ହେବ।

୬- ଯଦି ଏହି ଆଇନ ଅନୁସାରେ କେହି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତା’ହେଲେ ତାଙ୍କୁ ୩ରୁ ୫ ବର୍ଷ ଯାଏ ଜେଲଦଣ୍ଡ ଓ ୧୦ ଲକ୍ଷ ଟଙ୍କା ଯାଏ ଜୋରିମାନା ଦେବାକୁ ପଡ଼ିବ।

୭- ପ୍ରବେଶିକା ପରୀକ୍ଷାର ପରିଚାଳନା ପାଇଁ ସାଧାରଣ ପରୀକ୍ଷା ପ୍ରାଧିକରଣଙ୍କ ଦ୍ୱାରା ନିଯୁକ୍ତ ସେବା ପ୍ରଦାନକାରୀ ସଂସ୍ଥା ଯଦି ଦୋଷ କରନ୍ତି, ତା’ହେଲେ ସେମାନଙ୍କୁ ମଧ୍ୟ ଜେଲଦଣ୍ଡ ସହ ୧ କୋଟି ଟଙ୍କା ଯାଏ ଫାଇନ ଦେବାକୁ ପଡ଼ିବ। ତାଙ୍କ ଠାରୁ ପରୀକ୍ଷା ପାଇଁ ହୋଇଥିବା ଖର୍ଚ୍ଚକୁ ମଧ୍ୟ ଆଦାୟ କରାଯିବ।

୮- ଏପରି ସର୍ଭିସ ପ୍ରୋଭାଇଡରମାନଙ୍କୁ ୪ ବର୍ଷ ଯାଏ କୌଣସି ପ୍ରକାରର ପରୀକ୍ଷା ପରିଚାଳନା ପାଇଁ ଦାୟିତ୍ୱ ମଧ୍ୟ ମିଳିବ ନାହିଁ।

୯- ସଂଗଠିତ ଭାବେ ପ୍ରବେଶିକା ପରୀକ୍ଷାରେ ଅନିୟମିତତା କରୁଥିବା ଲୋକଙ୍କୁ ୫ରୁ ୧୦ ବର୍ଷ ଯାଏ ଜେଲଦଣ୍ଡ ସହ ୧ କୋଟି ଟଙ୍କା ଫାଇନ ଦେବାକୁ ପଡ଼ିବ।

୧୦- ୟୁପିଏସ୍‌ସି, ଏସ୍‌ଏସସି, ରେଳବାଇ, ଆଇବିପିଏ ଓ ଏନଟିଏ ଭଳି ପ୍ରବେଶିକା ପରୀକ୍ଷା ପାଇଁ ଲାଗୁ ହେବ।

Lok Sabha Paper Leaks
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe