Advertisment

‘ଦୁଇ ବିରୋଧୀଙ୍କୁ ଏକାଠି ଦେଖି ଡରିଯାଇଛି ବିଜେପି’

ସାରା ଦେଶରେ ‘ବିଜେପି ହଟାଅ, ଦେଶ ବଞ୍ଚାଅ’ ସ୍ଲୋଗାନ ଦିଆଯିବ। ଆଉ ଏହାର ଶୁଭାରମ୍ଭ ତ୍ରିପୁରାରୁ ହୋଇଛି ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାର।

author-image
Jitendra Garnayak
Manik Sarkar

Manik Sarkar

ଆସନ୍ତା ସପ୍ତାହରେ ତ୍ରିପୁରା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଏବେ ଜୋରଦାର ପ୍ରଚାର ଚାଲିଛି। ବିଜେପିକୁ ଗାଦିଚ୍ୟୁତ କରିବାକୁ ସିପିଆଇ (ଏମ୍‌) ଓ କଂଗ୍ରେସ ଏକାଠି ହୋଇଛନ୍ତି। ଏହି ଦୁଇ ବିରୋଧୀ ଏକାଠି ହୋଇଯାଇଥିବା ଯୋଗୁ ବିଜେପି ଡରି ଯାଇଥିବା କୁହାଯାଉଛି। ଏ କଥା ଆଉ କେହି ନୁହନ୍ତି, ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସିପିଆଇ (ଏମ୍) ନେତା ମାଣିକ ସରକାର କହିଛନ୍ତି। ସୋମବାର ସୁରମା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏକ ରାଲିରେ ସେ ଏହି କଥା କହିଥିଲେ।

Advertisment

ସେ କହିଥିଲେ, ବିଜେପି ଭାବୁଥିବ ଏ ଦୁଇ ଦଳ (ସିପିଆଇ-ଏମ୍ ଓ କଂଗ୍ରେସ) କେମିତି ଏକାଠି ହୋଇଗଲେ। ଏହି ଦୁଇ ଦଳ ସେମାନଙ୍କ ମଧ୍ୟରେ କେମିତି ଆସନ ଭାଗବଣ୍ଟା କରିବେ, ସେ ନେଇ ବି ବିଜେପି ନିଜକୁ ନିଜେ ପ୍ରଶ୍ନ କରୁଥିବ। ବାସ୍ତବ କଥା ହେଉଛି, ଲୋକେ ରାଜ୍ୟରୁ ଫାସୀବାଦ ଶେଷ କରିବାକୁ ଚାହୁଁଛନ୍ତି। ଲୋକଙ୍କ ଆଶାକୁ ଦୃଷ୍ଟିରେ ରଖି ଓ ରାଜ୍ୟରେ ପୁଣି ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ପାଇଁ ସିପିଆଇ (ଏମ୍) ଓ କଂଗ୍ରେସ ଏକାଠି ହୋଇଛନ୍ତି। ଏଥିପାଇଁ ଦୁଇ ଦଳ ପରସ୍ପରକୁ ସାହାଯ୍ୟ ମଧ୍ୟ କରୁଛନ୍ତି।

ମାଣିକ ସରକାର କହିଥିଲେ, ବିଜେପି ଏଥର ଅଣ-ଆଦିବାସୀ କଂଗ୍ରେସ ଭୋଟ୍ ପାଇବ ନାହିଁ। ୫ ବର୍ଷ ତଳେ ଅଣ-ଆଦିବାସୀ କଂଗ୍ରେସ ନେତାମାନେ ତ୍ରିପୁରାରେ ବାମ ସରକାରକୁ ଗାଦିଚ୍ୟୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଆଦିବାସୀଙ୍କ ଭୋଟ୍ ହାତେଇବା ପାଇଁ ଗତ ଥର ବିଜେପିକୁ ସାହାଯ୍ୟ କରିଥିଲା ଆଇପିଏଫ୍‌ଟି। ତେବେ ଏବେ ଆଇପିଏଫ୍‌ଟି ତୃଣମୂଳ ସ୍ତରରେ ଦୁର୍ବଳ ହୋଇଯାଇଛି। ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଏଠାରେ ତାଙ୍କ ଦଳ ପାଇଁ ପ୍ରଚାର କରିପାରନ୍ତି। କିନ୍ତୁ ଏଥିରୁ ବିଜେପିକୁ ଫାଇଦା ମିଳିବ ନାହିଁ।

Advertisment

ମାଣିକ ସରକାର ଆହୁରି କହିଥିଲେ, ସାରା ଦେଶରେ ‘ବିଜେପି ହଟାଅ, ଦେଶ ବଞ୍ଚାଅ’ ସ୍ଲୋଗାନ ଦିଆଯିବ। ଆଉ ଏହାର ଶୁଭାରମ୍ଭ ହୋଇଛି ତ୍ରିପୁରାରୁ।

ସୂଚନାଯୋଗ୍ୟ, ୬୦ ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭା ପାଇଁ ଫେବ୍ରୁଆରୀ ୧୬ ତାରିଖରେ ଭୋଟ୍ ଗ୍ରହଣ କରାଯିବ। ମାର୍ଚ୍ଚ ୨ରେ ଭୋଟ୍ ଗଣତି ହେବ।

Bjp Congress Tripura