Advertisment

ହରିୟାଣା ନିର୍ବାଚନ: ଆସିଲା ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ବାଦ୍ ପଡ଼ିଲେ ୯ ବିଧାୟକ

୬୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୮ ଜଣ ମହିଳା ଅଛନ୍ତି।

 Nayab Singh Saini

Nayab Singh Saini

Advertisment

ଆସନ୍ତା ଅକ୍ଟୋବର ୫ ତାରିଖରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି। ହରିୟାଣାରେ ୯୦ଟି ବିଧାନସଭା ଆସନ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ୬୭ଟି ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ।

Advertisment

ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କ ନାଁ ଅଛି। ସେ ଲାଡୱା ଆସନରୁ ଲଢ଼ିବେ। ଚଳିତ ବର୍ଷ ମାର୍ଚ୍ଚ ମାସରେ ସୈନି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ମନୋହର ଲାଲ ଖଟ୍ଟରଙ୍କ ସ୍ଥାନରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଚୌକିରେ ବସିବା ପୂର୍ବରୁ ସେ କୁରୁକ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ପରେ ସେ ଗତ ଜୁନ୍‌ ମାସରେ କର୍ନାଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

ପୂର୍ବତନ ମନ୍ତ୍ରୀ ଅନୀଲ ବିଜଙ୍କୁ ଦଳ ଟିକେଟ ଦେଇଛି। ସେ ପୁଣି ଅମ୍ବାଲା କ୍ୟାଣ୍ଟନମେଣ୍ଟ ଆସନରୁ ଲଢ଼ିବେ। ସେ ୨୦୦୯ରୁ ଏହି ଆସନରୁ ବିଜୟୀ ହୋଇଆସୁଛନ୍ତି। ଅନ୍ୟ ପ୍ରାର୍ଥୀମାନଙ୍କ ମଧ୍ୟରେ ଅଛନ୍ତି ଅମ୍ବାଲା ମେୟର ଓ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବିନୋଦ ଶର୍ମାଙ୍କ ପତ୍ନୀ ଶକ୍ତିରାଣୀ ଶର୍ମା। ଦଳ ତାଙ୍କୁ କାଲକା ଆସନରୁ ଟିକେଟ ଦେଇଛି। କଂଗ୍ରେସ ଛାଡ଼ି ବିଜେପିରେ ମିଶିଥିବା ଶ୍ରୁତି ଚୌଧୁରୀଙ୍କୁ ତୋଶାମ ଆସନରୁ ଟିକେଟ ପାଇଛନ୍ତି। ଜନନାୟକ ଜନତା ପାର୍ଟିର ତିନି ଜଣ ପୂର୍ବତନ ବିଧାୟକଙ୍କୁ ବିଜେପି ଟିକେଟ ଦେଇଛି। ବିଜେପିରୁ ଟିକେଟ ପାଇଥିବା ଏହି ନେତାମାନେ ହେଉଛନ୍ତି- ଦେବେନ୍ଦର ସିଂହ ବବଲି, ରାମ କୁମାର ଗୌତମ ଓ ଅନୁପ ଧାନକ। ଦେବେନ୍ଦର ସିଂହଙ୍କୁ ତୋହାନାରୁ ଦଳ ପ୍ରାର୍ଥୀ କରିଥିବା ବେଳେ ରାମ କୁମାରଙ୍କୁ ସଫିଦୋଁ ଓ ଅନୁପ ଧାନକଙ୍କୁ ଉକଲାନାରୁ ଟିକେଟ ଦେଇଛି ଦଳ।

Advertisment

ଜାତୀୟ କବାଡ଼ି ଟିମ୍‌ର ପୂର୍ବତନ ଅଧିନାୟକ ଦୀପକ ହୁଡାଙ୍କୁ ମେହମରୁ ଟିକେଟ ଦେଇଛି ବିଜେପି। ସେହିପରି ଟିକେଟ ନମିଳିଲେ କଂଗ୍ରେସରେ ମିଶିଯିବାକୁ ଧମକ ଦେଇଥିବା ରାଓ ନରବୀର ସିଂହଙ୍କୁ ବିଜେପି ପ୍ରାର୍ଥୀ କରିଛି। ତାଙ୍କୁ ବାଦଶାହପୁର ଆସନ ପାଇଁ ଟିକେଟ ଦେଇଛି ଦଳ। କୁରୁକ୍ଷେତ୍ର ସାଂସଦ ନବୀନ ଜିନ୍ଦଲଙ୍କ ମା’ ସାବିତ୍ରୀ ଜିନ୍ଦଲଙ୍କୁ ହିସାରରୁ ବିଜେପି ପ୍ରାର୍ଥୀ କରିପାରେ ବୋଲି ଜୋର ଚର୍ଚ୍ଚା ହେଉଥିଲା। ତେବେ ଦଳ ଏଠାରୁ କମଲ ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି।

ପ୍ରଥମ ପର୍ଯ୍ୟାୟ ତାଲିକାରୁ ୯ ଜଣ ବିଧାୟକଙ୍କୁ ବାଦ୍ ଦିଆଯାଇଛି। ଏହା ସହିତ ଦୁଇ ଜଣ ବିଧାୟକଙ୍କ ଆସନ ପରିବର୍ତ୍ତନ କରାଯାଇଛି। ପଲୱଲ ବିଧାୟକ ଦୀପକ ମଙ୍ଗଳା, ଫରିଦାବାଦ ବିଧାୟକ ନରେନ୍ଦ୍ର ଗୁପ୍ତା, ଗୁରୁଗ୍ରାମ ବିଧାୟକ ସୁଧୀର ସିଂଘଲ, ଭବାନୀ ଖେରା ବିଧାୟକ ବିଶମ୍ବର ମଲ୍ଲିକ, ରନିୟା ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ରଞ୍ଜତ ଚୌଟାଲା, ଅଟେଲୀ ବିଧାୟକ ସୀତାରାମ ଯାଦବ, ପେହୱା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସନ୍ଦୀପ ସିଂହ, ସୋହନା ବିଧାୟକ ସଞ୍ଜୟ ସିଂହ ଓ ରତିୟା ବିଧାୟକ ଲକ୍ଷ୍ମଣ ନାପାଙ୍କୁ ଦଳ ଟିକେଟ ଦେଇ ନାହିଁ। ଦଳର ଏହି ତାଲିକାରେ ମାତ୍ର ୮ ଜଣ ମହିଳା ଅଛନ୍ତି। 

Bjp Haryana Assembly Polls Haryana Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe