/odisha-reporter/media/post_attachments/uploadimage/library/16_9/16_9_0/BJP__1677599083.jpg)
BJP
ଓଡ଼ିଶା ସମେତ ୪ ରାଜ୍ୟରେ ବିଜେପି ସଭାପତି ପରବିର୍ତ୍ତନ ହୋଇଛନ୍ତି। ଓଡ଼ିଶା, ଦିଲ୍ଲୀ, ରାଜସ୍ଥାନ ଏବଂ ବିହାରରେ ଦଳ ନୂଆ ସଭାପତି ନିଯୁକ୍ତ କରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ମୋହର ମାରିବା ପରେ ସେମାନଙ୍କ ନାମ ଘୋଷଣା କରାଯାଇଛି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଏହି ପରିବର୍ତ୍ତନ କରାଯାଇଛି। ଦିଲ୍ଲୀରେ ବୀରେନ୍ଦ୍ର ସଚ୍ଚଦେବା, ରାଜସ୍ଥାନରେ ସିପି ଯୋଶୀ, ବିହାରରେ ସମ୍ରାଟ ଚୌଧୁରୀ ଓ ଓଡ଼ିଶାରେ ମନମୋହନ ସାମଲଙ୍କୁ ଦଳର ନୂଆ ସଭାପତି ଭାବେ ନିଯୁକ୍ତି ମିଳିଛି। ବିହାରରେ ସଞ୍ଜୟ ଜୈଶୱାଲଙ୍କ ସ୍ଥାନରେ ସମ୍ରାଟ ଚୌଧୁରୀ, ରାଜସ୍ଥାନରେ ସତୀଶ ପୁନିଆଙ୍କ ବଦଳରେ ସିପି ଯୋଶୀ ଏବଂ ଓଡ଼ିଶାରେ ସମୀର ମହାନ୍ତିଙ୍କ ସ୍ଥାନରେ ମନମୋହନ ସାମଲଙ୍କୁ ଦାୟିତ୍ୱ ମିଳିଛି।
ଓଡ଼ିଶାର ନବ ନିଯୁକ୍ତ ବିଜେପି ସଭାପତି ମନମୋହନ ସାମଲ ଦଳର ଜଣେ ବରିଷ୍ଠ ନେତା। ତାଙ୍କ ପାଇଁ ସଭାପତି ଦାୟିତ୍ୱ ନୂଆ ନୁହେଁ। ମନମୋହନ ସାମଲ ପୂର୍ବରୁ ୧୯୯୯-୨୦୦୦ ଓ ୨୦୦୧-୨୦୦୪ ମସିହା ପର୍ଯ୍ୟନ୍ତ ୨ ଥର ଦଳର ସଭାପତି ଭାବେ ଦାୟିତ୍ୱ ନିର୍ବାହ କରି ସାରିଛନ୍ତି।
ଛାତ୍ରାବସ୍ଥାରୁ ରାଜନୀତିକୁ ଆସିଥିଲେ ମନମୋହନ। ୧୯୭୯ ମସିହାରେ ଭଦ୍ରକ କଲେଜ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ ସେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଦସ୍ୟ ଥିଲେ।
ଭାରତୀୟ ଜନତା ପାର୍ଟିର ସକ୍ରିୟ ସଦସ୍ୟ ଭାବେ ବିଭିନ୍ନ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମନମୋହନ। ସେ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ଧାମନଗରର ବିଧାୟକ ଥିଲେ। ଏହି ସମୟରେ ସେ ବିଜେପି-ବିଜେଡି ମେଣ୍ଟ ସରକାରରେ ରାଜସ୍ୱ ଓ ଖାଦ୍ୟ ଯୋଗାଣ ତଥା ଖାଉଟି କଲ୍ୟାଣ ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
