Advertisment

ରାହୁଲଙ୍କ ପାଇଁ ପାକିସ୍ତାନରୁ ଆସିଲା ଆମ୍ବ, ଘେରିଲା ବିଜେପି

ରାହୁଲଙ୍କ ସମେତ ୭ ବିରୋଧୀ ସାଂସଦଙ୍କୁ ପାକିସ୍ତାନ ଦୂତାବାସରୁ ଆମ୍ବ ପଠାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Rahul Gandhi and Mango

Rahul Gandhi and Mango

ପାକିସ୍ତାନରୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ପାଇଁ ଆସିଲା ଆମ୍ବ। ତାଙ୍କ ସମେତ ୭ ସାଂସଦଙ୍କ ପାଇଁ ପାକିସ୍ତାନ ପଠାଇଲା ପେଟି ପେଟି ଆମ୍ବ। ଏହି ଖବର ସାମ୍ନାକୁ ଆସିବା ପରେ ଏବେ ରାଜନୀତି ଜୋର୍‌ ଧରିଛି।

Advertisment

ଗୋଟିଏ ପଟେ ଜଳୁଛି ବାଂଲାଦେଶ ଆଉ ଗୋଟିଏ ପଟେ ସମ୍ପର୍କ ସୁଧାରିବାକୁ ଚେଷ୍ଟା କରୁଛି ପାକିସ୍ତାନ। ଆମ୍ବକୁ ଢାଲ କରି ଭାରତର ବିରୋଧୀ ସାଂସଦଙ୍କ ସହ ସମ୍ପର୍କ ଦୃଢ କରିବାକୁ ଚାହୁଁଥିବା ଜଣାପଡିଛି । ଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସ ବିରୋଧୀଦଳ ନେତା ରାହୁଲ ଗାନ୍ଧିଙ୍କ ସମେତ ୭ ଜଣ ସାଂସଦଙ୍କୁ ଆମ୍ବ ପେଟି ପଠାଇଥିବା ବିଜେପି ଦାବି କରିଛି।

ଯେଉଁ ସାଂସଦମାନଙ୍କୁ ପାକିସ୍ତାନ ହାଇକମିଶନ ଆମ୍ବ ପଠାଇଛନ୍ତି ସେମାନଙ୍କ ମଧ୍ୟରେ ବିରୋଧୀଦଳ ନେତା ରାହୁଲ ଗାନ୍ଧି, ରାଜ୍ୟସଭା ସାଂସଦ କପିଲ ସିବଲ, ଥିରୁବନ୍ତପୁରମର ସାଂସଦ ଶଶି ଥରୁର, ରାମପୁରରୁ ସଜାବାଦୀ ପାର୍ଟି ସାଂସଦ ମୋହିବୁଲ୍ଲା ନାଦଭି, ଏସପି ସାଂସଦ ଜିଆଉର ରେହମାନ ବର୍କ, ଗାଜିପୁରର ସାଂସଦ ଆଫଜଲ ଅନସାରୀ ଏବଂ କୈରାନର ସାଂସଦ ଇକ୍ରା ହାସନ ସାମିଲ ଅଛନ୍ତି। ପାକିସ୍ତାନ ହାଇ କମିଶନ ଭାରତୀୟ ସାଂସଦଙ୍କ ନିକଟକୁ ଆମ୍ବ ପଠାଇବା ନିଶ୍ଚିତ କରିଛନ୍ତି।

Advertisment

ପାକିସ୍ତାନୀ ଦୂତାବାସରୁ ଆମ୍ବ ମିଳିବା ପରେ ବିଜେପି ବିରୋଧୀ ଦଳ ଉପରେ ଆକ୍ରମଣ କରିଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ଲେଖିଛନ୍ତି, 'ରାହୁଲ ଗାନ୍ଧିଙ୍କୁ ଉତ୍ତରପ୍ରଦେଶର ଆମ୍ବ ଭଲ ଲାଗୁନି।  ରାହୁଲ ଏବଂ ତାଙ୍କ ଟୁକଡେ ଟୁକେ ଗ୍ୟାଙ୍ଗକୁ ପାକିସ୍ତାନର ଆମ୍ବ ଭାରି ସୁଆଦିଆ ଲାଗୁଛି। ଆମ୍ବ ଡିପ୍ଲୋମେସିରେ ପାକିସ୍ତାନ ସହିତ କୌଣସି ଚୁକ୍ତି ହୋଇଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି, ରାହୁଲ ଗାନ୍ଧି ପାକିସ୍ତାନର ଆମ୍ବ ସହ ତାଙ୍କୁ ଆଉ କ'ଣ କ'ଣ ଭଲ ଲାଗୁଛି କୁହନ୍ତୁ। ଆପଣ ମୋଦିଙ୍କୁ ହଟାଇବା ପାଇଁ ପାକିସ୍ତାନକୁ କିଛି ନୂଆ ଦାବି କରିବାକୁ ଯାଇଛନ୍ତି କି? ପାକିସ୍ତାନ ଏବଂ କଂଗ୍ରେସ ମଧ୍ୟରେ କୌଣସି ଷଡଯନ୍ତ୍ର ଚାଲିଛି କି?

ସେହିପରି ଏହାକୁ ନେଇ କଂଗ୍ରେସ ସାଂସଦଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ଅମିତ ମାଲବୀୟ। ସେ କହିଛନ୍ତି ‘ପାକିସ୍ତାନ ହାଇ କମିଶନ ବଛା ବଛା କଂଗ୍ରେସ ସାଂସଦଙ୍କ ପାଖକୁ ଆମ୍ବ କାର୍ଟୁନ ପଠାଉଛନ୍ତି। ଏମାନଙ୍କୁ ହାଇକମିଶନରୁ ନିର୍ଦ୍ଦିଷ୍ଟ ଭାବେ କିଏ ଆମ୍ବ ପଠାଉଛି ତାହା ଜାଣିବା କଥା’।

ଅନ୍ୟ ବିଜେପି ନେତାମାନେ ମଧ୍ୟ ପାକିସ୍ତାନ ଦୂତାବାସରୁ ଆମ୍ବ ଆସିଥିବା ନେଇ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ଏ ସମ୍ପର୍କ କ'ଣ ବୋଲି ସେମାନେ ପ୍ରଶ୍ନ ପଚାରିଛନ୍ତି।

କହିରଖୁ ଯେ, ଆମ୍ବ ବର୍ଷ ବର୍ଷ ଧରି କୁଟନୈତିକ ମାଧ୍ୟମ ଭାବେ ବ୍ୟବହୃତ ହେଉଛି। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ମଧ୍ୟ ପ୍ରତିବର୍ଷ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଆମ୍ବ ପଠାଉଥିଲେ। ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଆମ୍ବ ପଠାଇଛନ୍ତି।

୨୦୧୫ରେ ପାକିସ୍ତାନ ସୀମାରେ ଗୁଳିମାଡ଼ ଘଟଣା ମଧ୍ୟରେ ପାକିସ୍ତାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ନୱାଜ ସରିଫ 'ଆମ୍ବ କୂଟନୀତି' ମାଧ୍ୟମରେ ଭାରତ ସହ ବନ୍ଧୁତ୍ୱର ହାତ ବଢ଼ାଇଥିଲେ। ଏହା ପରେ ନୱାଜ ସରିଫ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ଆମ୍ବ ପଠାଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟତୀତ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ କଂଗ୍ରେସ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ମଧ୍ୟ ପାକିସ୍ତାନରୁ ଆମ୍ବ ଆସିଥିଲା।

Bjp Rahul Gandhi Pakistan Embassy Mango Diplomacy