Advertisment

ବିଜେପି ବିରୋଧରେ ମୋହନ ଭାଗବତଙ୍କୁ ଚିଠି ଲେଖିଲେ କେଜ୍ରିୱାଲ, ଦଳ ଦେଲା ଜବାବ

ମୋହନ ଭାଗବତଙ୍କୁ କେଜ୍ରିୱାଲ କିଛି ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ କେଜ୍ରିୱାଲଙ୍କୁ ୫ଟି ସଂକଳ୍ପ ନେବାକୁ ପରାମର୍ଶ ଦେଇଛି ବିଜେପି।

author-image
Jitendra Garnayak
ଅଦ୍ୟତନ ହୋଇଛି
Kejriwal and Mohan

Kejriwal and Mohan

ଦୁଇ ଦିନ ତଳେ ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ବିଜେପି ନାଁରେ କିଛି ଅଭିଯୋଗ ଆଣିଥିବା ବେଳେ ସେଗୁଡ଼ିକୁ ଆରଏସଏସ କେମିତି ନଜରରେ ଦେଖୁଛି ବୋଲି ମୋହନ ଭାଗବତଙ୍କୁ ପ୍ରଶ୍ନ କରିଛନ୍ତି କେଜ୍ରିୱାଲ। ଅନ୍ୟପକ୍ଷରେ ଆଜି ଏହାକୁ କାଉଣ୍ଟର କରି ଦିଲ୍ଲୀ ବିଜେପି ପକ୍ଷରୁ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଏକ ଚିଠି ଲେଖାଯାଇଛି ଓ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ ଦିଆଯାଇଛି।

Advertisment

ଗତ ଡିସେମ୍ବର ୩୦ ତାରିଖରେ କେଜ୍ରିୱାଲ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ନିକଟକୁ ପଠାଇଥିବା ଚିଠିରେ ଲେଖିଛନ୍ତି, “ଗଣମାଧ୍ୟମରେ ଖବର ଆସୁଛି ଯେ ଦିଲ୍ଲୀ ନିର୍ବାଚନରେ ବିଜେପି ପାଇଁ ଭୋଟ୍ ମାଗିବ ଆରଏସଏସ। ଏହା କ’ଣ ଠିକ୍? ଏହା ପୂର୍ବରୁ ଲୋକେ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛନ୍ତି ଯେ ଅତୀତରେ ବିଜେପି ଯେଉଁ ଭୁଲ୍ କାମ କରିଛି, ଆରଏସଏସ୍ କ’ଣ ସେଗୁଡ଼ିକୁ ସମର୍ଥନ କରୁଛି?

ବିଜେପି ନେତାମାନେ ଖୋଲାଖୋଲି ଭାବେ ଟଙ୍କା ଦେଇ ଭୋଟ୍ କିଣୁଛନ୍ତି। ଆରଏସଏସ କ’ଣ ଏହାକୁ ସମର୍ଥନ କରୁଛି? ବ୍ୟାପକ ସଂଖ୍ୟକ ଗରିବ, ଦଳିତ, ପୂର୍ବାଞ୍ଚଳ ଲୋକ ଓ ବସ୍ତିବାସିନ୍ଦା ଯେପରି ଭୋଟ୍ ନଦେଇ ପାରିବେ, ସେ ନେଇ ପ୍ରୟାସ କରୁଛି ବିଜେପି। ସେମାନେ ବହୁ ବର୍ଷ ଧରି ଦିଲ୍ଲୀରେ ରହୁଥିଲେ ହେଁ ସେମାନଙ୍କ ଅଧିକାର ଛଡ଼ାଇ ନେବାକୁ ପ୍ରୟାସ କରାଯାଉଛି। ଆରଏସଏସକୁ କ’ଣ ଲାଗୁଛି, ଏଭଳି କରିବା ଭାରତୀୟ ଗଣତନ୍ତ୍ର ପାଇଁ ଠିକ୍? ଆପଣଙ୍କୁ କ’ଣ ଲାଗୁନି ଯେ ବିଜେପି ଏହିଭଳି ଭାବେ ଭାରତୀୟ ଗଣତନ୍ତ୍ରକୁ ଦୁର୍ବଳ କରି ଦେଉଛି।”

Advertisment

କେଜ୍ରିୱାଲଙ୍କ ଏହି ଚିଠିର ଜବାବରେ ଦିଲ୍ଲୀ ବିଜେପି ପକ୍ଷରୁ ତାଙ୍କ ନିକଟକୁ ଏକ ଚିଠି ପଠାଯାଇଛି। ଦିଲ୍ଲୀ ବିଜେପି ଅଧ୍ୟକ୍ଷ ବୀରେନ୍ଦ୍ର ସଚଦେବା ତାଙ୍କ ପାଖକୁ ପଠାଇଥିବା ଚିଠିରେ ନୂଆ ବର୍ଷରେ ୫ଟି ସଂକଳ୍ପ ନେବାକୁ ପରାମର୍ଶ ଦେଇଛନ୍ତି। ଶ୍ରୀ ସଚଦେବ ଲେଖିଛନ୍ତି, ମୋର ବିଶ୍ୱାସ ଅଛି ଯେ ଆପଣ ଆଉ କେବେ ବି ଆପଣଙ୍କ ଛୁଆଙ୍କ ନାଁ ନେଇ ମିଛ ଶପଥ ନେବେ ନାହିଁ। ଆପଣ ମିଛ ପ୍ରତିଶ୍ରୁତି ଦେଇ ଦିଲ୍ଲୀର ମହିଳା, ବରିଷ୍ଠ ନାଗରିକ ଓ ଧାର୍ମିକ ବ୍ୟକ୍ତିଙ୍କ ଭାବନା ସହ ଖେଳିବେ ନାହିଁ। ଦିଲ୍ଲୀରେ ମଦ ବିକ୍ରିକୁ ପ୍ରୋତ୍ସାହିତ କରିଥିବାରୁ ଦିଲ୍ଲୀବାସୀଙ୍କୁ କ୍ଷମା ମାଗିବେ। ଯମୁନା ନଦୀକୁ ସଫା କରିବା ନାଁରେ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ଓ ଏଥିରେ ହୋଇଥିବା ଦୁର୍ନୀତି ପାଇଁ ଆପଣ ସର୍ବଜନରେ କ୍ଷମା ମାଗିବେ। ଆପଣ ରାଜନୀତିକ ସ୍ୱାର୍ଥ ପାଇଁ ବିରୋଧୀଙ୍କ ସହି ନମିଶିବା ଓ ଚାନ୍ଦା ନ ନେବା ପାଇଁ ସଂକଳ୍ପ ନେବେ।

କେଜ୍ରିୱାଲଙ୍କ ଉଦ୍ଦେଶ୍ୟରେ ଶ୍ରୀ ସଚଦେବ ଆହୁରି ଲେଖିଛନ୍ତି, ଆଶା କରୁଛି ଯେ ଆପଣ ମୋର ଏହି ପରାମର୍ଶଗୁଡ଼ିକୁ ଆପଣାଇ ମିଥ୍ୟା ଓ ଛଳକପଟରୁ ଦୂରେଇ ରହିବେ ଓ ନିଜକୁ ସୁଧାରି ନେବେ।

ବିଜେପିର ରାଜ୍ୟସଭା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି ଯେ କେବଳ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଅରବିନ୍ଦ କେଜ୍ରିୱାଲ ଆରଏସଏସ ମୁଖ୍ୟଙ୍କ ନିକଟକୁ ଚିଠି ଲେଖିଛନ୍ତି। କେଜ୍ରିୱାଲଙ୍କୁ ପରାମର୍ଶ ଦେଇ ସେ କହିଛନ୍ତି, ସଂଘକୁ ଚିଠି ଲେଖ ନାହିଁ। ଏହାଠାରୁ କିଛି ଶିଖ। ରାଜନୀତିକ ରଣକୌଶଳ ଛାଡ଼ି ସେବା କେମିତି କରାଯାଏ, ତାହା ଶିଖ।

ଗତ ରବିବାର କେଜ୍ରିୱାଲ କହିଥିଲେ ଯେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ପାଖରେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ କି ପ୍ରାର୍ଥୀ ମଧ୍ୟ ନାହାନ୍ତି। ବିଜେପି ଯେମିତି ସେମିତି କରି ଅର୍ଥାତ୍ ଭୁଲ୍ ଉପାୟ ଆପଣାଇ ନିର୍ବାଚନ ଜିତିବା ଲକ୍ଷ୍ୟରେ ରହିଛି। କିନ୍ତୁ ଦିଲ୍ଲୀବାସୀ ସେପରି ହେବାକୁ ଦେବେନି। ସେମାନେ (ବିଜେପି) ମହାରାଷ୍ଟ୍ର ଓ ହରିୟାଣାରେ ଯେମିତି ନିର୍ବାଚନ ଜିତିଲେ, ସେ କୌଶଳ ଏଠାରେ ଆପଣାଇବାକୁ ଚାହିଁବେ। କିନ୍ତୁ ସେମାନଙ୍କୁ ସେଭଳି କରିବାକୁ ଦିଆଯିବ ନାହିଁ।

ସୂଚନାଯୋଗ୍ୟ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ପାଇଁ ଚଳିତ ବର୍ଷ ଫେବ୍ରୁଆରୀ ମାସରେ ନିର୍ବାଚନ ହୋଇପାରେ।

Mohan Bhagawat Aravind Kejriwal