/odisha-reporter/media/post_attachments/uploadimage/library/16_9/16_9_0/Dilip_1747211845.jpg)
Dilip
ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ଦିଲୀପ ଘୋଷଙ୍କ ପାଇଁ ଆସିଛି ଗୋଟିଏ ଦୁଃଖଦ ଖବର। ଦିଲୀପ ତାଙ୍କର ୨୬ ବର୍ଷୀୟ ସାବତ ପୁଅଙ୍କୁ ହରାଇଛନ୍ତି। ମୃତ ଶ୍ରୀଞ୍ଜୟ ଦାସଗୁପ୍ତା ହେଉଛନ୍ତି ରିଙ୍କୁ ମଜୁମଦାରଙ୍କ ପୁଅ। ନିକଟରେ ୬୦ ବର୍ଷୀୟ ଦିଲୀପ ଘୋଷଙ୍କୁ ରିଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ଦିଲୀପ ଓ ରିଙ୍କୁ ମଜୁମଦାରଙ୍କ ବାହାଘରକୁ ମାସେ ପୂରି ନଥିବା ବେଳେ ଶ୍ରୀଞ୍ଜୟଙ୍କ ମୃତ୍ୟୁ ଘଟିଛି। ଶ୍ରୀଞ୍ଜୟ ଗୋଟିଏ ଆଇଟି କମ୍ପାନୀରେ କାମ କରୁଥିଲେ। ସେ କୋଲକାତାର ନ୍ୟୁ ଟାଉନ ସ୍ଥିତି ଗୋଟିଏ ଆବାସିକ ଆପାର୍ଟମେଣ୍ଟରେ ରହୁଥିଲେ। କିନ୍ତୁ ମଙ୍ଗଳବାର ରାତିରେ ସେ ରହୁଥିବା ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଛି।
ବାହାଘର ପୂର୍ବରୁ ଶ୍ରୀଞ୍ଜୟଙ୍କ ସହ ରିଙ୍କୁ ଉକ୍ତ ପ୍ଲାଟରେ ରହୁଥିଲେ। କିନ୍ତୁ ବାହାଘର ପରେ ରିଙ୍କୁ ପୁଅକୁ ଛାଡ଼ି ଦିଲୀପ ଘୋଷଙ୍କ ଘରକୁ ଚାଲି ଯାଇଥିଲେ। ଫ୍ଲାଟରେ ଶ୍ରୀଞ୍ଜୟ ଏକାକୀ ରହୁଥିଲେ। ମଙ୍ଗଳବାର ରାତିରେ ହଠାତ୍ ରିଙ୍କୁ ମଜୁମଦାରଙ୍କୁ ଶ୍ରୀଞ୍ଜୟଙ୍କ ଗର୍ଲଫ୍ରେଣ୍ଡ ଫୋନ କରିଥିଲେ। ଶ୍ରୀଞ୍ଜୟଙ୍କ ସହ କିଛି ଦିନ ହେବ ତାଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ଉକ୍ତ ଫ୍ଲାଟରେ ରହୁଥିଲେ। ଗର୍ଲଫ୍ରେଣ୍ଡ ଫୋନ କରି ଶ୍ରୀଞ୍ଜୟ ଅସୁସ୍ଥ ଅନୁଭବ କରୁଥିବା ରିଙ୍କୁଙ୍କୁ ଜଣାଇଥିଲେ। ରିଙ୍କୁ ତୁରନ୍ତ ନ୍ୟୁ ଟାଉନ ଫ୍ଲାଟରେ ପହଞ୍ଚିଥିଲେ ଓ ପୁଅକୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ। ହେଲେ ସେଠାରେ ଡାକ୍ତରମାନେ ଶ୍ରୀଞ୍ଜୟଙ୍କୁ ମୃତ ଘୋଷଣା କରିଥିଲେ।
ଶ୍ରୀଞ୍ଜୟଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। କିନ୍ତୁ ସେ ପାନକ୍ରିଏଟିସ ଜନିତ ସମସ୍ୟାରେ ରହିଥିଲେ। ତେଣୁ ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି। ତଥାପି ପୁଲିସ୍ ଏହାର ତଦନ୍ତ କରୁଛି।
ରିଙ୍କୁ ମଜୁମଦାର କହିଛନ୍ତି ଯେ ତାଙ୍କ ପୁଅ ସ୍ନାୟୁ ଜନିତ ସମସ୍ୟାରେ ରହିଥିଲେ ଓ ଏହାର ଚିକିତ୍ସା ମଧ୍ୟ ଚାଲିଥିଲା। ଫ୍ଲାଟରୁ ସେ ଚାଲି ଯିବା ପରେ ଶ୍ରୀଞ୍ଜୟ ମାନସିକ ଅବସାଦରେ ମଧ୍ୟ ରହିଥିବା ରିଙ୍କୁ କହିଛନ୍ତି। ସେ କହିଛନ୍ତି, “ମୁଁ ଜାଣିବାକୁ ପାଇଛି ଯେ କିଛି ଦିନ ହେବ ଶ୍ରୀଞ୍ଜୟ ଠିକ ଭାବେ ଖାଉ ନଥିଲା ଓ ମେଡିସିନ ମଧ୍ୟ ନେଉ ନଥିଲା। ସେ ମୋତେ କିଛି କହୁ ନଥିଲା ସତ, କିନ୍ତୁ ମା’ ହିସାବରେ ମୁଁ ଜାଣି ପାରୁଥିଲି ଯେ ସେ ମୋତେ ମିସ କରୁଥିଲା। ମୋ ବାହାଘର ପରେ ସେ ଖୁସି ନଥିବା ମୋତେ କହୁ ନଥିଲା।
ତା’ର ସାଙ୍ଗମାନେ ମୋତେ ତା’କୁ ନିଜ ସହ ନେଇ ଯିବାକୁ କହୁଥିଲେ। ସାଙ୍ଗମାନଙ୍କୁ ସେ ସବୁବେଳେ କହୁଥିଲା ଯେ ତୁମେମାନେ ଘରକୁ ଗଲେ ବାପା ମା’ଙ୍କୁ ପାଇବ। ହେଲେ ମୋର କେହି ନେହାନ୍ତି। ଏହାକୁ ନେଇ ଶ୍ରୀଞ୍ଜୟ ବେଶ ମାର୍ମାହତ ଥିଲା। ରବିବାର ମାତୃ ଦିବସରେ ସେ ମୋତେ ଦେଖା କରିବାକୁ ଆସିଥିଲା। ମୁଁ ନିଷ୍ପତ୍ତି ନେଇଥିଲି ଯେ ମୋ ପୁଅକୁ ମୋ ପାଖକୁ ଆଣିବି ନଚେତ ମୁଁ ଯାଇ ତା’ ପାଖରେ ରହିବି। ହେଲେ ଏବେ ଏତେ ବଡ଼ ଅଘଟଣ ଘଟି ଯାଇଛି।”
ପୁଲିସ୍ ମାମଲା ରୁଜୁ କରି ତଦନ୍ତ କରୁଥିବା ବେଳେ ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି ଯେ ସୋମବାର ରାତିରେ ଶ୍ରୀଞ୍ଜୟଙ୍କ ଦୁଇ ଜଣ ସହକର୍ମୀ ତାଙ୍କ ପାଖକୁ ଆସିଥିଲେ। ଜଣେ ହେଉଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ। ଯାହାକୁ ସେ ଖୁବଶୀଘ୍ର ବିବାହ କରିବାର ଯୋଜନା ରହିଥିଲା।
ଦିଲୀପ ଘୋଷ କହିଛନ୍ତି ଯେ “ଶ୍ରୀଞ୍ଜୟ ବହୁତ ଭଲ ପିଲା। ଆମ ଭିତରେ ନିବିଡ଼ତା ବଢ଼ୁଥିଲା। ମୋର ଏହା ହେଉଛି ଦୁର୍ଭାଗ୍ୟ। ପୁଅର ଖୁସି କ’ଣ ମୁଁ କେବେ ହେଲେ ଅନୁଭବ କରି ପାରି ନଥିଲି। ହେଲେ ଏବେ ମୁଁ ପୁଅର ଶୋକ ପାଳୁଛି। ଶ୍ରୀଞ୍ଜୟ ମୋର ଅତି ନିଜର ଥିଲା।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
