ଦେଶରେ କ୍ଷମତାସୀନ ବିଜେପିର ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟଭର୍ଗିୟା ଝିଅମାନଙ୍କ ପୋଷାକକୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଆଜିକାଲି ଝିଅମାନେ ଏତେ ଖରାପ ପୋଷାକ ପିନ୍ଧୁଛନ୍ତି ଯେ ସେମାନେ ସୁପଣରେଖା ଭଳି ଦେଖାଯାଉଛନ୍ତି ବୋଲି ସେ କହିଛନ୍ତି। ସୁପଣରେଖା ହେଉଛନ୍ତି ରାମାୟଣରେ କଥା ଅନୁସାରେ ଜଣେ ରାକ୍ଷସୀ। ସେ ରାବଣଙ୍କର ଭଉଣୀ।
ଏବେ ସୁପଣରେଖାଙ୍କ ଉଦାହରଣ ଦେଇ କୈଳାସ ବିଜୟଭର୍ଗିୟା ଝିଅମାନଙ୍କ ପୋଷାକ ଉପରେ ଟିପ୍ପଣୀ କରିଛନ୍ତି। ଗୁରୁବାର ଇନ୍ଦୋରରେ ଆୟୋଜିତ ହନୁମାନ ଜୟନ୍ତୀ କାର୍ଯ୍ୟକ୍ରମରେ ଏହି ବିଜେପି ନେତା ଜଣଙ୍କ ଯୋଗ ଦେଇଥିଲେ। ଏହି ସମୟରେ ସେ କହିଥିଲେ ଯେ “ମୁଁ ଯେତେବେଳେ ରାତି ବେଳା ଘର ବାହାରୁଛି ସେତେବେଳେ ଯୁବଗୋଷ୍ଠୀଙ୍କୁ ନିଶାରେ ଝୁମିଝୁମି ଯାଉଥିବା ଦେଖିବାକୁ ପାଉଛି। ସେମାନଙ୍କୁ ଦେଖି ମୁଁ ପୂରା ବିରକ୍ତ ହୋଇଯାଏ। ଇଚ୍ଛା ହୁଏ, ସେମାନଙ୍କୁ ୫ରୁ ୭ ଚାପୁଡ଼ା ମାରିବାକୁ। ଚାପୁଡ଼ା ଖାଇଲେ ସେମାନଙ୍କ ନିଶା ଖସିଯିବ।
ଭଗବାନଙ୍କ ରାଣ ପକାଉଛି, ହନୁମାନ ଜୟନ୍ତୀରେ ମିଛ କହୁଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଝିଅମାନେ ଅତ୍ୟନ୍ତ ଖରାପ ପୋଷାକ ପିନ୍ଧୁଛନ୍ତି। ଆମେ ସମସ୍ତେ ମହିଳାମାନଙ୍କୁ ଦେବୀର ଆଖ୍ୟା ଦେଉଥାଉ। ହେଲେ ଝିଅ ଏମିତି କପଡ଼ା ପିନ୍ଧୁଛନ୍ତି ଯେ ସେମାନେ ପୂରା ସୁପଣରେଖା ଭଳି ଦିଶୁଛନ୍ତି। ଭଗବାନ ଆପଣମାନଙ୍କୁ ଭଲ ଚେହେରା ଦେଇଛନ୍ତି। ତେଣୁ ଭଲ ପୋଷକ ପିନ୍ଧନ୍ତୁ। ଆପଣମାନେ ନିଜ ପିଲାମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଅନ୍ତୁ। ମୁଁ ଏସବୁ ପୋଷାକ ଦେଖି ବେଶ ଚିନ୍ତିତ।”
BJP Leader @KailashOnline says girls dress badly & look like ‘Shurpanakha’. This is a reprehensible & demeaning insult to every woman of this country
— Dr. Shama Mohamed (@drshamamohd) April 8, 2023
Where is @smritiirani now? Does she condone this disgusting statement? Or does she only find her voice to attack @RahulGandhi! pic.twitter.com/hzoxrnZpl1
ବିଜେପି ମହାସଚିବ କୈଳାସଙ୍କ ଏପରି ବୟାନର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅନେକ ଲୋକ ତାଙ୍କ ବୟାନକୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି।
କଂଗ୍ରେସ ମୁଖପାତ୍ର ସଂଗୀତା ଶର୍ମା କହିଛନ୍ତି, “ବିଜେପି ନେତାମାନେ ବାରମ୍ବାର ମହିଳାମାନଙ୍କୁ ନିଚ୍ଚା କରି ଦେଖାଉଛନ୍ତି। ଏହା ସେମାନଙ୍କ ଚିନ୍ତାଧାରା ଓ ବ୍ୟବହାରକୁ ଦର୍ଶାଉଛି। ବିଜେପି ନେତା କୈଳାସ ବିଜୟଭର୍ଗିୟା ମହିଳାମାନଙ୍କୁ ସୁପଣରେଖା କହିଛନ୍ତି ଓ ସେମାନଙ୍କ ପୋଷାକକୁ ନେଇ ଆପତ୍ତିଜନକ ବୟାନ ଦେଇଛନ୍ତି। ବିଜେପି କ୍ଷମା ମାଗୁ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।