/odisha-reporter/media/media_files/2025/10/29/bjp-2025-10-29-13-16-27.jpg)
ଘଟଣାସ୍ଥଳର ଦୃଶ୍ୟ
ବିଜେପି ନେତା ନିଲେଶ ରଜକଙ୍କୁ ବିଚ ରାସ୍ତାରେ ଗୁଳି କରି ହତ୍ୟା। ଘଟଣାରେ ସାମିଲ ଥିବା ଦୁଇ ଅଭିଯୁକ୍ତଙ୍କୁ ପୁଲିସ୍ ଫିଲ୍ମ ଷ୍ଟାଇଲରେ ପିଛା କରିବା ସହ ଏନକାଉଣ୍ଟର(Encounter) କରି ଧରିବାକୁ ସକ୍ଷମ ହୋଇଛି। ସେହିପରି ବିଜେପି ନେତାଙ୍କୁ ହତ୍ୟା କରିବା ଘଟଣାରେ ଧରାପଡ଼ିଥିବା ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ବାପା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି। ମଧ୍ୟପ୍ରଦେଶ(Madhya Pradesh)ର କଟନି ଜିଲ୍ଲାରୁ ଏପରି ଘଟଣା ସାମ୍ନାକୁ ଆସିଛି।
ଏଏସ୍ପି ସନ୍ତୋଷ ଦେହାରିଆଙ୍କ କହିବା କଥା ଯେ ପୂରା ଅପରେସନ କାଜରୱାରା ଠାରେ ଘଟିଛି। ପୁଲିସ୍ ଦୁଇ ଅଭିଯୁକ୍ତଙ୍କ ପିଛା କରିବା ସହ ସେମାନଙ୍କୁ ଘେରା ବନ୍ଦ କରିଥିଲା। ପୁଲିସ୍କୁ ଦେଖି ଦୁଇ ଅଭିଯୁକ୍ତ ଆକରମ ଖାନ ଓ ପ୍ରିନ୍ସ ଯୋଶେଫ ଗୁଳି ମାଡ଼ କରିଥିଲେ। ପୁଲିସ୍ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ପୁଲିସ୍ ଗୁଳିରେ ଦୁଇ ଅଭିଯୁତ ଜଖମ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି। ଏବେ ଉଭୟଙ୍କ ଚିକିତ୍ସା ଜବଲପୁର ହସ୍ପିଟାଲରେ ଚାଲିଛି।
ମଙ୍ଗଳବାର କୈମର ଅଞ୍ଚଳରେ ବିଜେପି ନେତା(BJP Leader) ନିଲେଶଙ୍କୁ ବିଚ୍ ରାସ୍ତାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ଆକରମ ଓ ଯୋଶେଫ ସାମିଲ ଥିବା ପରେ ସେମାନଙ୍କୁ ଧରିବାକୁ ଅପରେସନ ଆରମ୍ଭ ହୋଇଥିଲା। ଆଜି ଉଭୟଙ୍କୁ ପୁଲିସ୍ ଏନକାଉଣ୍ଟର କରି ଧରିବା ପରେ ଅପରେସନ ବନ୍ଦ ହୋଇଛି।
ନିଲେଶ ବିଜେପି ପିଛଡା ମୋର୍ଚ୍ଚା ମଣ୍ଡଳ ସଭାପତି ଭାବେ କଟନିରେ କାମ କରୁଥିଲେ। ଗୋଟିଏ ଜନଗହଳୀ ପୂର୍ଣ୍ଣ ମାର୍କେଟ ନିକଟ ରାସ୍ତାରେ ନିଲେଶ ମଙ୍ଗଳବାର ଦିନ ପ୍ରାୟ ୧୧ଟାରେ ଯାଉଥିଲେ। ଏହି ସମୟରେ ଆକରମ ଓ ଯୋଶେଫ ସେଠାରେ ପହଞ୍ଚି ତାଙ୍କ ମୁଣ୍ଡ ଓ ଛାତିକୁ ଗୁଳି ମାଡ଼ କରିଥିଲେ। ଘଟଣାସ୍ଥଳରେ ନିଲେଶଙ୍କ ମୃତ୍ୟୁ ହୋଇଥିଲା। ସିସିଟିଭି ଫୁଟେଜରେ ଘଟଣାର ଦୃଶ୍ୟ କଏଦ ହୋଇଥିବା ବେଳେ ନିଲେଶଙ୍କୁ ସହଯୋଗ କରିବା ବଦଳରେ ସ୍ଥାନୀୟ ଲୋକମାନେ କେବଳ ଦେଖେଣାହାରି ସାଜିଥିଲେ।
ଦିନ ଦ୍ୱିପ୍ରହରରେ ଓ ବିଚ ରାସ୍ତାରେ ଏପରି ହତ୍ୟାକାଣ୍ଡକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଶହଶହ ଲୋକ ଓ ବିଜେପି ନେତାମାନେ ଏକାଠି ହୋଇ ରାସ୍ତା ରୋକ କରିଥିଲେ। ସେମାନେ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଦାବି କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ବରିଷ୍ଠ ଅଧିକାରୀମାନଙ୍କୁ ସ୍ଥାନୀୟ ଅଞ୍ଚଳରେ କ୍ୟାମ୍ପ କରି ରହିବାକୁ ପଡ଼ିଥିଲା।
ଏପରି ଏକ ସ୍ଥିତିରେ ଘଟଣାରେ ନୂଆ ଟ୍ୱିଷ୍ଟ ଆସିଥିଲା। ଗୁଳି ମାଡ଼ ଘଟଣାରେ ସାମିଲ ଥିବା ପ୍ରିନ୍ସର ବାପା ନେଲସନ ଯୋଶେଫ ପୂରା ହତାଶ ହୋଇପଡ଼ିଥିଲେ। ଏଫଆଇଆରରେ ପୁଅର ନାଁ ଦେଖି ନେଲସନ ଘର ଭିତରେ ଆତ୍ମହତ୍ୟା କରିଥିଲେ।
ପୁଲିସ୍ ଓ ସ୍ଥାନୀୟ ସୂତ୍ରରୁ ଖବର ମିଳିଛି ଯେ ଜଣେ ସ୍କୁଲ ଛାତ୍ରୀଙ୍କୁ ହଇରାଣ କରାଯିବା ଘଟଣାକୁ ନେଇ ଚାଲିଥିବା ବିବାଦ ଯୋଗୁ ନିଲେଶଙ୍କୁ ଆକରମ ଓ ପ୍ରିନ୍ସ ହତ୍ୟା କରିଥିଲେ। ବିଜେପି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ ପାଠକ ଅଭିଯୋଗ କରିଛନ୍ତି ଯେ ନିଲେଶ ଗୋଟିଏ ଲଭ ଜିହାଦ ମାମଲାରେ ହସ୍ତକ୍ଷେପ କରିବାରୁ ତାଙ୍କୁ ହତ୍ୟା କରାଯାଇଛି।
ସ୍କୁଲ ଛାତ୍ରୀଙ୍କୁ ଜଣେ ବ୍ୟକ୍ତି ହଇରାଣ କରୁଥିବା ସେ ଅଭିଯୋଗ କରିଥିଲେ। ସ୍କୁଲ ଯିବା ବେଳେ ତାଙ୍କୁ ହଇରାଣ କରାଯାଉଥିଲା। ଏକଥା ଶୁଣି ନୀଲୁ ଓରଫ ନିଲେଶ ଏଥିରେ ହସ୍ତକ୍ଷେପ କରିଥିଲେ। କିନ୍ତୁ ହଇରାଣ କରୁଥିବା ବ୍ୟକ୍ତି ତାଙ୍କୁ ବୋମା ମାଡ଼ର ଧମକ ଦେଇଥିଲା। ଘଟଣା ତୀବ୍ର ହେବାକୁ ନିଲେଶ ପୁଲିସ୍ ନିକଟରେ ପହଞ୍ଚିଥିଲେ।
ପୁଲିସ୍ ହଇରାଣ କରୁଥିବା ବ୍ୟକ୍ତି ବଦଳରେ ନିଲେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା। ନିଲେଶଙ୍କୁ ବିଚ ରାସ୍ତାରେ ଗୁଳି କରିବ ବୋଲି ହଇରାଣ କରୁଥିବା ବ୍ୟକ୍ତି ଧମକ ଦେଇଥିଲେ। ଏବେ ଦେଢ଼ ମାସ ପରେ ସେ ଏପରି କାଣ୍ଡ ଘଟାଇଥିବା ବିଧାୟକ ପାଠକ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, “ମୁଁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ବିଜେପି ସଭାପତିଙ୍କ ସହ କଥା ହୋଇଛି। ଉଭୟ କଠୋର ଦଣ୍ଡବିଧାନର ପ୍ରତିଶ୍ରୁତି ଦେଇଛନ୍ତି। ନିଲେଶ ଲଭ ଜିହାଦ ବିରୋଧରେ ଲଢ଼େଇ କରୁଥିଲେ। ଏବେ ତାଙ୍କ ଦେହାନ୍ତ ଯୋଗୁ ତାଙ୍କର ୫ ବର୍ଷର ଝିଅ, ୧୧ ବର୍ଷର ପୁଅ ଓ ବୁଢ଼ୀ ମା’ ପୂରା ଏକା ହୋଇଯାଇଛନ୍ତି। ପୂରା ପରିବାର ଦୋହଲି ଯାଇଛି।”
ଘଟଣାକୁ ନେଇ ଉତ୍ତେଜନା ବଢ଼ୁଥିବା ବେଳେ ପୁଲିସ ଦୁଇ ଅଭିଯୁକ୍ତଙ୍କୁ ଧରିବାକୁ ସ୍ୱତନ୍ତ୍ରୀ ଟିମ ଗଠନ କରିଥିଲା। ଆଜି ଭୋରରୁ ସ୍ପେଶାଲ ଟିମ ଏନକାଉଣ୍ଟର ଦ୍ୱାରା ଖାନ ଓ ଯୋଶେଫଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
