Advertisment

ଥାନାରେ ଗୁଳି ଫୁଟାଇଲେ ବିଜେପି ବିଧାୟକ; ଶିବସେନା ନେତା ଗୁରୁତର

ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କ ଗୁଳିରେ ଶିବସେନା ନେତା ମହେଶ ଗାୟକୱାଡ ଗୁରୁତର ହୋଇଛନ୍ତି। ତାଙ୍କ ଶରୀରରେ ୪ଟି ଗୁଳି ବାଜିଛି।

author-image
Niharika Rout
Firing

Firing

ମହାରାଷ୍ଟ୍ରରେ ଉଭୟ ବିଜେପି ଓ ଶିବସେନା କ୍ଷମତାରେ ଥିବା ବେଳେ ଥାନେରେ କିନ୍ତୁ ମୁହାଁମୁହିଁ ହୋଇଛନ୍ତି ଦୁଇ ଦଳର ନେତା। ଏକ ପୁଲିସ୍‌ ଥାନାରେ ବିଜେପି ଓ ଶିବସେନା ନେତା ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି। ବିଜେପି ବିଧାୟକଙ୍କ ଗୁଳିରେ ଗୁରୁତର ଆହତ ହୋଇଛନ୍ତି ଶିବସେନା ନେତା।

Advertisment

ବିଜେପି ବିଧାୟକ ଗଣପତ ଗାୟକୱାଡଙ୍କ ଗୁଳିରେ ଶିବସେନା ନେତା ମହେଶ ଗାୟକୱାଡ ଗୁରୁତର ହୋଇଛନ୍ତି। ତାଙ୍କ ଶରୀରରେ ୪ଟି ଗୁଳି ବାଜିଛି। ଏଥିସହ ତାଙ୍କ ଦଳର ଅନ୍ୟ ଜଣେ ନେତା ରାହୁଲ ପାଟିଲ ବି ଏଥିରେ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଜୁପିଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ପୂରା ଅଭାବନୀୟ କାଣ୍ଡ ଉଲ୍ଲାସନଗରର ହିଲ୍‌ ଲାଇନ୍‌ ପୁଲିସ୍‌ ଷ୍ଟେଶନରେ ଘଟିଛି।

ଉଭୟ ଗଣପତ ଓ ମହେଶଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ଏକ ଜମିକୁ ନେଇ ବିବାଦ ଲାଗି ରହିଛି। ଏହି ବିବାଦକୁ ନେଇ ଉଭୟ ପକ୍ଷ ନିଜ ସମର୍ଥକଙ୍କ ସହ ଗତ ରାତିରେ ଉଲ୍ଲାସନଗରର ହିଲ୍‌ ଲାଇନ୍‌ ପୁଲିସ୍‌ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ଉଭୟ ପକ୍ଷ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହେଉ ହେଉ ଉଚ୍ଚବାଚ ହୋଇଥିଲା। ଏହାପରେ ହଠାତ୍‌ ଗଣପତ ଉତ୍ତ୍ୟକ୍ତ ହୋଇ ମହେଶଙ୍କ ଉପରକୁ ୪ଟି ଗୁଳି ଚଳାଇଥିଲେ। ସେଠାରେ ଉପସ୍ଥିତ ଥିବା ଶିବସେନାର ଅନ୍ୟ ଜଣେ ନେତା ରାହୁଲ ବି ଏଥିରେ ଗୁରୁତର ହୋଇଛନ୍ତି।

Advertisment

ଏହି ଘଟଣା ପରେ ତୁରନ୍ତ ମହେଶ ଓ ରାହୁଲଙ୍କୁ ପ୍ରଥମେ ଉଲ୍ଲାସନଗରର ମୀରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବିଳମ୍ବିତ ରାତିରେ ତାଙ୍କୁ ଜୁପିଟର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି।

ତୁରନ୍ତ ପୁଲିସ୍‌ ଥାନା ଭିତରେ ଥିବା ବିଜେପି ବିଧାୟକ ଗଣପତଙ୍କୁ କାବୁ କରି ଗିରଫ କରିଛି। ଏହି ଖବର ପ୍ରଚାରିତ ହେବା ପରେ ମହେଶଙ୍କ ସମର୍ଥକ ବହୁ ସଂଖ୍ୟାରେ ହସ୍ପିଟାଲରେ ପହଞ୍ଚିଥିଲେ।

ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ଡିସିପି ସୁଧାକର ପଠାରେ କହିଛନ୍ତି, ମହେଶ ଓ ଗଣପତଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମି ବିବାଦ ଲାଗି ରହିଛି। ଉଭୟ ପକ୍ଷ ଏହାର ସମାଧାନ ପାଇଁ ଥାନାକୁ ଆସିଥିବା ବେଳେ ସ୍ଥିତି ଅଣାୟତ୍ତ ହେଲା। ଏହାପରେ ହଠାତ୍‌ ଗଣପତ ମହେଶଙ୍କ ଉପରକୁ ଗୁଳି ଚଳାଇଛନ୍ତି।

Bjp Maharashtra Firing