/odisha-reporter/media/media_files/2026/02/12/rahul-gandhi-2026-02-12-15-01-43.jpg)
ନିଶିକାନ୍ତ ଦୁବେ ଓ ରାହୁଲ ଗାନ୍ଧି (ଫାଇଲ ଫଟୋ)
ଲୋକସଭାରୁ ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି(Rahul Gandhi)ଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଭିନ୍ନ ପ୍ରସଙ୍ଗକୁ ନେଇ ରାହୁଲ ଗାନ୍ଧି ଓ ବିଜେପି ସାଂସଦମାନଙ୍କ ମଧ୍ୟରେ ବେଶ କିଛି ଦିନ ହେବ ବାକଯୁଦ୍ଧ ଲାଗି ରହିଛି। ଗୃହରେ ମଧ୍ୟ ରାହୁଲ ଗାନ୍ଧିଙ୍କ ସହ ବିଜେପି ସାଂସଦଙ୍କ ତୁତୁମେଁମେଁ ଦେଖା ଯାଉଛି। ଏହାକୁ କେନ୍ଦ୍ର କରି ରାହୁଲ ଗାନ୍ଧିଙ୍କୁ ସଂସଦରୁ ବରଖାସ୍ତ କରିବା ପାଇଁ ବିଧିବଦ୍ଧ ଭାବେ ଗୋଟିଏ ପ୍ରସ୍ତାବ ବା ନୋଟିସ ଦେଇଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ।
ଆମେରିକାର ଯୌନ ଅପରାଧୀ ଦିବଂଗତ ଜେଫ୍ରୀ ଏପଷ୍ଟିନ ସହ ଜଡ଼ିତ ଫାଇଲ୍ସ ସାର୍ବଜନୀନ ଘଟଣାରେ ରାହୁଲ ଗାନ୍ଧି ବୁଧବାର ସିଧାସଳଖ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଟାର୍ଗେଟ କରିଥିଲେ। ପୂର୍ବତନ କୂଟନୀତିଜ୍ଞ ପୁରୀଙ୍କ ଲିଙ୍କ ଏପଷ୍ଟିନ ଫାଇଲ୍ସ ସହ ଥିବା ରାହୁଲ ଗାନ୍ଧି କହିବା ପରେ ବିବାଦ ତୀବ୍ର ହୋଇଛି।
ଏହି ବାବଦ ମଧ୍ୟରେ ରାହୁଲ ଗାନ୍ଧିଙ୍କୁ ବରଖାସ୍ତ କରିବା ପାଇଁ ଆଜି ନିଶିକାନ୍ତ ଦୁବେ ଆବଶ୍ୟକ କାଗଜପତ୍ର କାମ ଶେଷ କରି ଲୋକସଭାରେ ନୋଟିସ ଦେଇଛନ୍ତି। ବିଦେଶ ଶକ୍ତି ସହ କଂଗ୍ରେସ ସାଂସଦ ରାହୁଲ ଗାନ୍ଧିଙ୍କ ଲିଙ୍କ ଥିବା ଦୁବେ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି,“ ଦେଶକୁ ବରବାଦ କରିବାକୁ ଲକ୍ଷ୍ୟ ରଖିଥିବା ରାହୁଲ ଗାନ୍ଧିଙ୍କୁ କିଏ ପାଣ୍ଠି ଯୋଗାଉଛି? ସେ କେମିତି ଗୋଟିଏ ଅପ୍ରକାଶିତ ବହି ପାଇଲେ? ଲୋକସଭା ନିଶ୍ଚିତ ଭାବେ ରାହୁଲ ଗାନ୍ଧିଙ୍କ ସଦସ୍ୟତାକୁ ରଦ୍ଦ କରିବା ଦରକାର। ତାଙ୍କ ସଦସ୍ୟତାକୁ ରଦ୍ଦ କରି ତାଙ୍କୁ ଆଜୀବନ ନିର୍ବାଚନ ଲଢ଼ିବାକୁ ମଧ୍ୟ ବାସନ୍ଦ କରାଯିବା ଦରକାର।”
ଦୁବେ ଦାଖଲ କରିଥିବା ନୋଟିସରେ ଉଲ୍ଲେଖ କରିଛନ୍ତି ଯେ ରାହୁଲ ଗାନ୍ଧି ପ୍ରଥମଥର ପାଇଁ ସରକାରଙ୍କୁ ବଦନାମ କରିବା ଉଦ୍ଦେଶ୍ୟରେ ଏପରି ବିବାଦ ସୃଷ୍ଟି କରିବାର ଉଦ୍ୟମ କରି ନାହାନ୍ତି। ପ୍ରତିରକ୍ଷା, ଅର୍ଥ, ବାଣିଜ୍ୟ, ବୈଦେଶିକ ବ୍ୟାପାର ଭଳି ଯେଉଁ ପ୍ରସଙ୍ଗ ହେଉ ପଛେ ରାହୁଲ ଗାନ୍ଧି ସଂସଦ ଓ ଅନ୍ୟ ସାର୍ବଜନୀନ ମଞ୍ଚରେ ମିଛ ଓ ଅନୈତିକ ତଥ୍ୟକୁ ଉପସ୍ଥାପନ କରି ଲୋକଙ୍କ କେବଳ ଉସକାଇବାକୁ ଚାହୁଁଛନ୍ତି।
ରାହୁଲ ଗାନ୍ଧିଙ୍କ ଏପରି ଆଭିମୁଖ୍ୟର ମୂଳ କାରଣ ହେଉଛି 'ସୋରୋସ୍ ଫାଉଣ୍ଡେସନ୍'। ସେ ସୋରସ ଫାଉଣ୍ଡେସନର ସକ୍ରିୟ ସହଯୋଗୀ। ଏହି ଫାଉଣ୍ଡେସନ ନିଜର ସହଯୋଗୀ ଦେଶମାନଙ୍କର ଲାଭ ପାଇଁ ବିଭିନ୍ନ ଦେଶକୁ ଅସ୍ଥିର କରିବା ପାଇଁ ବିଶ୍ୱସ୍ତରରେ ଅତ୍ୟନ୍ତ କୁଖ୍ୟାତ ସଂସ୍ଥାର ଆଖ୍ୟା ପାଇଛି।
ରାହୁଲ ଗାନ୍ଧି ୧୧ ଫେବୃଆରୀରେ ତାଙ୍କ ଭାଷଣରେ ବିଭିନ୍ନ ଭାରତୀୟ କର୍ପୋରେଟର ନାମ ଉଲ୍ଲେଖ କରି ଗୋଟିଏ ବିକୃତ ଚିତ୍ର ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲେ। ଯେଉଁଥିରେ ସେ ଏହା ଦେଖାଇବାକୁ ପ୍ରୟାସ କରିଥିଲେ ଯେ ବଡ଼ ବଡ଼ ବ୍ୟବସାୟିକ ପରିବାର ଲୋକଙ୍କ ସହିତ ମେଣ୍ଟ ଯୋଗୁ ଆମର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ସମ୍ପୂର୍ଣ୍ଣରୂପେ ଧ୍ୱଂସ ହୋଇଯାଇଛି। ରାହୁଲ ଗାନ୍ଧିଙ୍କ ବିରୋଧୀ ଦଳ ନେତାର ପୋଷାକ ପିନ୍ଧି ଆମ ଦେଶକୁ ଭିତରୁ ଅସ୍ଥିର କରିବାକୁ ଏପରି ପ୍ରୟାସ କରୁଛନ୍ତି। ତେଣୁ ତାଙ୍କ ସଦସ୍ୟତା ପଦକୁ ରଦ୍ଦ କରାଯାଉ ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି।
ରାହୁଲ ଗାନ୍ଧିଙ୍କ ପାଇଁ ଏହା ପ୍ରଥମ ନୁହେଁ
ସଂସଦରୁ ଅଯୋଗ୍ୟ ବିବେଚିତ ହେବା ପ୍ରସଙ୍ଗକୁ ରାହୁଲ ଗାନ୍ଧି ପ୍ରଥମଥର ସାମ୍ନା କରୁ ନାହାନ୍ତି। ୨୦୨୩ ମାର୍ଚ୍ଚ ମାସରେ ରାହୁଲ ଗାନ୍ଧି ଗୋଟିଏ ମାନହାନୀ କେସ୍ରେ ଦୋଷୀ ସାବ୍ୟସ୍ତ ହେବା ପରେ ସଂସଦରେ ନିଜର ସଦସ୍ୟତା ପଦ ହରାଇଥିଲେ। ୨୦୧୯ରେ ସେ ଦେଇଥିବା ଗୋଟିଏ ଭାଷଣ ପାଇଁ ତାଙ୍କୁ ଦୁଇ ବର୍ଷର ଜେଲଦଣ୍ଡ ମିଳିଥିଲା। କିନ୍ତୁ ସୁପ୍ରିମକୋର୍ଟ ତାଙ୍କ ସଦସ୍ୟତା ପଦକୁ ପୁଣି ସ୍ଥାପିତ କରିଥିଲେ। ଏହାପରେ ରାହୁଲ ଗାନ୍ଧି ଲୋକସଭାରେ ପ୍ରବେଶ କରିଥିଲେ।
ଏବେ ତାଙ୍କ ସଦସ୍ୟତା ପଦକୁ ରଦ୍ଦ କରିବା ପାଇଁ ବିଜେପି ସାଂସଦ ନୋଟିସ କରିଛନ୍ତି। ସେ ହରଦୀପ ସିଂହ ପୁରୀଙ୍କୁ ଏପଷ୍ଟିନ ଫାଇଲ୍ସ ସହ ଯୋଡ଼ିଥିବାରୁ ଏହା ମାନହାନୀ ଚାର୍ଜ ମଧ୍ୟରେ ଆସିପାରେ। କଂଗ୍ରେସ ସାଂସଦ ରେଣୁକା ଚୌଧୁରୀ ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧିଙ୍କ ସମର୍ଥନ କରିଛନ୍ତି। ଏଥିସହ ଦୁବେଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।
ସେ କହିଛନ୍ତି, “ସରକାରରେ ନିଶିକାନ୍ତ ଦୁବେ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦ ସମ୍ପର୍କରେ କହୁଛନ୍ତି। ଏକଦା ବିଜେପି ମୁଁ ସଂସଦକୁ କୁକୁର ନେଇ ଆସିଥିବାରୁ ସ୍ୱାଧିକାର ଭଙ୍ଗ ନୋଟିସ ଆଣିବାକୁ କହିଥିଲା। କ’ଣ ବିଜେପି ସ୍ୱାଧୀକାର ଭଙ୍ଗ ନୋଟିସର ଅର୍ଥ ଜାଣିଛି?”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
