Advertisment

ଗୋଟିଏ ମଞ୍ଚରେ ବିଜେପି ସାଂସଦ ଓ ବିଧାୟକଙ୍କ ସହ ବିଲକିସ୍‌ ଦୁଷ୍କର୍ମକାରୀ

୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଦୁଷ୍କର୍ମ କରିଥିବା ୧୧ ଜଣଙ୍କ ମଧ୍ୟରୁ ଜଣକୁ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି।

author-image
Hemant Lenka
Gujarat

Gujarat

ଜଣେ ଦୁଷ୍କର୍ମକାରୀ ସହ ଷ୍ଟେଜରେ ନଜର ଆସିଛନ୍ତି ବିଜେପି ସାଂସଦ ଓ ବିଧାୟକ। ୨୦୦୨ ଗୁଜରାଟ ଦଙ୍ଗା ବେଳେ ବିଲକିସ୍‌ ବାନୋଙ୍କୁ ଦୁଷ୍କର୍ମ କରିଥିବା ୧୧ ଜଣଙ୍କ ମଧ୍ୟରୁ ଜଣକୁ ସରକାରୀ କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି। ସେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେବା ସହ ବିଧାୟକ ଓ ସାଂସଦଙ୍କ ସହ ଫଟୋ ପୋଜ ମଧ୍ୟ ଦେଇଛି। 

Advertisment

ବିଲକିସ୍ ବାନୋ ଗଣଦୁଷ୍କର୍ମ ମାମଲାରେ ୧୧ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ସହ ଆଜୀବନ ଜେଲଦଣ୍ଡ ମିଳିଥିଲା। କିନ୍ତୁ ଗତବର୍ଷ ଅଗଷ୍ଟ ୧୫ରେ ଗୁଜରାଟ ସରକାର ସ୍ୱତନ୍ତ୍ର କ୍ଷମାନୀତି ବଳରେ ସମସ୍ତଙ୍କୁ ମୁକ୍ତ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ସେହିପରି ଦୁଷ୍କର୍ମକାରୀଙ୍କୁ ଗୁଜରାଟ ସରକାର ଦେଇଥିବା କ୍ଷମାକୁ ସୁପ୍ରିମକୋର୍ଟରେ ବିଲକିସ୍‌ ବାନୋ ଚ୍ୟାଲେଞ୍ଜ କରିଛନ୍ତି। ଆଜି ଏହାର ଶୁଣାଣି ହେବାର ଅଛି। କିନ୍ତୁ ଏହାପୂର୍ବରୁ ବିଜେପି ବିଧାୟକ ଓ ସାଂସଦଙ୍କ ସହ ଦୁଷ୍କର୍ମକାରୀକୁ ଷ୍ଟେଜ ଉପରେ ଦେଖିବାକୁ ମିଳିଛି। 

ଡାହୋଡ ଜିଲ୍ଲାର କରମାଡି ଗାଁରେ ଜଳ ଯୋଗାଣ ସ୍କିମ ଲଞ୍ଚ ପାଇଁ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ବିଜେପି ସାଂସଦ ଯଶବନ୍ତ ସିଂହ ଭାବୋର, ତାଙ୍କ ଭାଇ ତଥା ବିଧାୟକ ଶୈଳେଶ ଭାବୋର ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ତେବେ ଏମାନଙ୍କ ସହ ଷ୍ଟେଜ ଉପରେ ଦୁଷ୍କର୍ମକାରୀ ଶୈଳେଶ ଚିମାନଲାଲ ଭଟ୍ଟ ରହିଥିଲା। ସେ ଷ୍ଟେଜ ପରେ ପଡ଼ିଥିବା ଚେୟାର ଉପରେ ବସିବା ସହ ବିଜେପି ସାଂସଦ ଓ ବିଧାୟକଙ୍କ ସହ ବେଶ ହସଖୁସିରେ କଥା ହୋଇଥିଲା। ସେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରୁଥିବା ବେଳର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।

Advertisment

ଖାଲି ସେତିକି ନୁହେଁ, ଦୁଷ୍କର୍ମକାରୀ ଶୈଳେଶ ସାଂସଦ ଓ ବିଧାୟକଙ୍କ ସହ ଫଟୋ ପାଇଁ ପୋଜ ବି ଦେଇଥିଲା। ଏଥିସହ ପୂଜାରେ ଭାଗ ନେଇଥିଲା। କାର୍ଯ୍ୟକ୍ରମ ବେଳର ଭିଡିଓ ଓ ଫଟୋକୁ ବିଜେପି ସାଂସଦ ଓ ବିଧାୟକ ଟ୍ୱିଟ କରିଛନ୍ତି। ହେଲେ ଶୈଳେଶ କେଉଁ ପରିସ୍ଥିତିରେ ସେମାନଙ୍କ ସହ ଷ୍ଟେଜ ଶେୟାର କଲା, ସେ ବିଷୟରେ କୌଣସି ପ୍ରକାରର ପ୍ରତିକ୍ରିୟା ମିଳିନାହିଁ।

Gujarat Rapist Bilkis Bano