Advertisment

‘ବିଆରଏସ୍‌କୁ ଫସାଇବା ପାଇଁ ମହାଠକ ସୁକେଶ ଚନ୍ଦ୍ରଶେଖରକୁ ବ୍ୟବହାର କରୁଛି ବିଜେପି’

ଜେଲରେ ଥିବା ସୁକେଶ ତାଙ୍କ ନାଁରେ ଯେଉଁ ହ୍ୱାଟସଆପ୍‌ ଚାଟ ସାର୍ବଜନୀନ କରିଛି, ତାହା ଫେକ ବୋଲି କବିତା ଦାବି କରିଛନ୍ତି। ଏଥିସହ ସେ ସୁକେଶକୁ ଜାଣି ନାହାନ୍ତି କିମ୍ବା ତା’ ସହ କୌଣସି ମିଟିଂ ମଧ୍ୟ କରି ନାହାନ୍ତି ବୋଲି କହିଛନ୍ତି।

author-image
Hemant Lenka
Kavitha

Kavitha

ତେଲେଙ୍ଗାନାର କ୍ଷମତାସୀନ ବିଆରଏସ୍‌ ସରକାର ଓ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କୁ ବଦନାମ କରିବାକୁ ଚାହୁଁଛି ବିଜେପି। ମହାଠକ ସୁକେଶ ଚନ୍ଦ୍ରଶେଖରକୁ ବ୍ୟବହାର କରି ବିଜେପି ଏପରି ଉଦ୍ୟମ କରୁଥିବା ଅଭିଯୋଗ କରିଛନ୍ତି ବିଆରଏସ୍‌ର ଏମଏଲସି କେ କବିତା।

Advertisment

ଜେଲରେ ଥିବା ସୁକେଶ ତାଙ୍କ ନାଁରେ ଯେଉଁ ହ୍ୱାଟସଆପ୍‌ ଚାଟ ସାର୍ବଜନୀନ କରିଛି, ତାହା ଫେକ ବୋଲି କବିତା ଦାବି କରିଛନ୍ତି। ଏଥିସହ ସେ ସୁକେଶକୁ ଜାଣି ନାହାନ୍ତି କିମ୍ବା ତା’ ସହ କୌଣସି ମିଟିଂ ମଧ୍ୟ କରି ନାହାନ୍ତି ବୋଲି କହିଛନ୍ତି।

କବିତା କହିଛନ୍ତି, “ମୁଁ ସୁକେଶ ସହ ଜଡ଼ିତ ନୁହେଁ।” ସୁକେଶ ହେଉଛି ୨୦୦ କୋଟି ଟଙ୍କା ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ। ଏବେ ସେ ଦିଲ୍ଲୀର ମଣ୍ଡୋଲି ଜେଲରେ ରହିଛି। ପୂର୍ବରୁ ସେ ଦିଲ୍ଲୀର କ୍ଷମତାସୀନ ଆପ୍‌ ବିରୋଧରେ ବିଭିନ୍ନ ପ୍ରକାରର ଅଭିଯୋଗ କରି ଦିଲ୍ଲୀ ଜେଲରୁ ଉପରାଜ୍ୟପାଳଙ୍କୁ ଚିଠି ଲେଖିଥିଲା। ଏଥିସହ ଜେଲରେ ଥିବା ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କ ଠାରୁ ତା’ ଜୀବନ ପ୍ରତି ବିପଦ ଥିବା ମଧ୍ୟ ସୁକେଶ ଚିଠିରେ ଦାବି କରିଥିଲା।

Advertisment

ବୁଧବାର କବିତା ଓ ସତ୍ୟେନ୍ଦ୍ର ଜୈନଙ୍କ ସହ ସୁକେଶ କରିଥିବା ତଥାକଥିତ ହ୍ୱାଟସଆପ୍‌ ଚାଟକୁ ସାର୍ବଜନୀନ କରିଥିଲା। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ କବିତା ଏବେ ବିଜେପିକୁ ଟାର୍ଗେଟ କରିଛନ୍ତି। ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ଘଟଣାରେ ଇଡି କବିତାଙ୍କୁ ୩ଥର ଜେରା କରି ସାରିଛି। ଆଗକୁ ମଧ୍ୟ ସେ ପୁଣି ଜେରାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏବେ ସୁକେଶ ସହ ତାଙ୍କର ଲିଙ୍କ ସାମ୍ନାକୁ ଆସିଛି।

କବିତା କହିଛନ୍ତି, “ସୁକେଶ ଭଳି ଜଣେ ଅପରାଧୀ ଓ ମହାଠକ ଗୋଟିଏ ନାମହୀନ ଚିଠି ରିଲିଜ କରିଛି ଏବଂ ବିଜେପିର ଡୁବାକ ବିଧାୟକ ଏମ ରଘୁନନ୍ଦନ ରାଓ ତୁରନ୍ତ ନିର୍ବାଚନ କମିଶନକୁ ସେହି ଆଧାରରେ ଚିଠି ଲେଖିଛନ୍ତି। ସୁକେଶର ଚିଠି ଆଧାରରେ ବିଆରଏସ୍‌ ଠାରୁ ମାନ୍ୟତା ପ୍ରତ୍ୟାହାର କରିବାକୁ କହିଛନ୍ତି। ନିଜାମାବାଦ ସାଂସଦ ଡି ଅରବିନ୍ଦ ମଧ୍ୟ ବିଜେପି ଟୁଲ କିଟ୍‌ର ଅଂଶବିଶେଷ। ସେ ମଧ୍ୟ ସୁକେଶର ଚିଠିକୁ ଆଧାର କରି ସୋଶାଲ ମିଡିଆରେ ମୋତେ ବଦନାମ କରିବାକୁ ଚେଷ୍ଟା କରିଛନ୍ତି।”

ରଘୁନନ୍ଦନ ରାଓ ବୁଧବାର ଅଭିଯୋଗ କରିଥିଲେ ଯେ ସୁକେଶ ତା’ର ହ୍ୱାଟସଆପ୍‌ ଚାଟରେ କବିତାଙ୍କ ନାଁ ନେଇଛି। ହାଇଦ୍ରାବାଦରେ ଥିବା ବିଆରଏସ୍‌ର ପାର୍ଟି ଅଫିସ ତେଲେଙ୍ଗାନା ଭବନରେ ୧୫ କୋଟି ଟଙ୍କାର କାରବାର ହୋଇଛି। ତେଣୁ ଇଡି ଏହାର ବିସ୍ତୃତ ତଦନ୍ତ କରୁ ବୋଲି ସେ ଦାବି କରିଥିଲେ।

ଏପରି ଅଭିଯୋଗ ପରେ କିବତା କହିଛନ୍ତି ଯେ “ସୁକେଶ ସହ ମୋର କୌଣସି ପ୍ରକାରର ସମ୍ପର୍କ ନାହିଁ। ମୁଁ ତାକୁ ଜାଣିନି। ତଥ୍ୟର ଯାଞ୍ଚ ନ କରି କିଛି ମିଡିଆ ଚ୍ୟାନେଲ ଅତ୍ୟଧିକ ଉତ୍ସାହିତ ହୋଇ ମିଥ୍ୟାର ପ୍ରଚାର କରୁଛନ୍ତି।

କିଛି ଦିନ ତଳେ ମୋ ମୋବାଇଲ ଫୋନକୁ ନେଇ ମଧ୍ୟ ସେମାନେ ସମାନ ଆଭିମୁଖ୍ୟ ଗ୍ରହଣ କରିଥିଲେ। ହେଲେ ସତ ସାମ୍ନାକୁ ଆସିବା ପରେ ସମସ୍ତଙ୍କ ମୁହଁ ବନ୍ଦ ହୋଇଯାଇଥିଲା। ତେଲେଙ୍ଗାନାର ଲୋକମାନେ ବେଶ ଚତୁର ଓ ସେମାନେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କୁ ଭଲ ଭାବେ ଜାଣିଛନ୍ତି।”

K.Kavita Sukesh Chandrasekhar Brs Telengana