ନାଗାଲାଣ୍ଡ ଓ ତ୍ରିପୁରାରେ ପୁଣି ବିଜେପି, ମେଘାଳୟରେ କାହାକୁ ମିଳିଲାନି ମ୍ୟାଜିକ ନମ୍ବର

ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି।

representational image

  • Published: Thursday, 02 March 2023
  • , Updated: 02 March 2023, 06:08 PM IST

ବିଜେପି ଓ ତା’ର ସହଯୋଗୀ ଦଳ ଗୁଡ଼ିକ ମିଳିତ ଭାବେ ତ୍ରିପୁରା ଓ ନାଗାଲାଣ୍ଡରେ ବିଜୟ ବାନା ଉଡ଼ାଇଛନ୍ତି। ତ୍ରିପୁରାରେ ବିଜେପି ଅଳ୍ପକେ ବାଜିମାତ କରିଥିବା ବେଳେ ନାଗାଲ୍ୟାଣ୍ଡରେ ଦଳ ଏନଡିପିପି ସହ ମିଶି ନିର୍ବାଚନ ବୈତରଣୀ ପାର ହୋଇଛି। ତେବେ ମେଘାଳୟବାସୀ କୌଣସି ଦଳକୁ ସରକାର ଗଠନ ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ଦେଇ ନାହାନ୍ତି। ଅର୍ଥାତ ଏଠାରେ ଝୁଲା ବିଧାନସଭା ଦେଖିବାକୁ ମିଳିଛି। 

ତେବେ କନରାଡ ସାଙ୍ଗମାଙ୍କ ଦଳ ଏନପିପି ସର୍ବାଧିକ ୨୫ଟି ଆସନ ଜିତିଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ତେଣୁ ସାଙ୍ଗମା ପୁଣି ବିଜେପି ସହ ମେଣ୍ଟ କରୁଛନ୍ତି ନା କଂଗ୍ରେସ ଆଡ଼କୁ ଢଳୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି। ଏନପିପି ରାଜ୍ୟରେ ୨୫ଟି ଆସନ ଜିତିଥିବା ବେଳେ ବିଜେପି ୪ଟି, କଂଗ୍ରେସ ୫ଟି ଓ ଅନ୍ୟାନ୍ୟ ଦଳ ୨୫ଟି ଆସନ ଜିତିଛନ୍ତି। ତେଣୁ ସାଙ୍ଗମା ଏବେ ଅନ୍ୟ ଦଳ ଜିତିଥିବା ୨୫ଟି ଆସନରୁ କିଛି ବିଧାୟକଙ୍କୁ ନିଜ ପାଖକୁ ଆଣିବାକୁ ଯୋଜନା କରିପାରନ୍ତି। 

ତ୍ରିପୁରାରେ ବିଜେପି ଓ ତା’ର ସହଯୋଗୀ ଦଳ ଆଇପିଏଫଟି ମିଳିତ ଭାବେ ୩୩ଟି ଆସନ ଜିତିଛନ୍ତି। ଏଠାରେ ମଧ୍ୟ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ତେଣୁ ମ୍ୟାଜିକ ନମ୍ବର ଠାରୁ ବିଜେପି ମେଣ୍ଟ ମାତ୍ର ୨ଟି ଆସନ ଅଧିକ ଜିତିଛି। ୨୦୧୮ରେ ଏଠାରେ ବିଜେପି ମେଣ୍ଟ ୪୪ଟି ଆସନ ଜିତିଥିଲେ। ବିଜେପି ଏକାକୀ ୩୬ଟିରେ ଜିତିଥିବା ବେଳେ ଆଇପିଏଫଟି ୮ଟିରେ ବାଜିମାତ କରିଥିଲା।

ନିର୍ବାଚନ ପୂର୍ବରୁ ତ୍ରିପୁରାରେ ବିଜେପିର ସୁନାମି ଦେଖିବାକୁ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ମାନି ଶାହ ଦମ୍ଭୋକ୍ତି କରିଥିଲେ। ହେଲେ ଏବେ ଦଳ ଅଳ୍ପକେ ସରକାର ଗଠନ କରିବାକୁ ସକ୍ଷମ ହୋଇଛି। କ’ଣ ପାଇଁ ଦଳର ଆସନ ସଂଖ୍ୟା କମିଲା, ତା’ର ସମୀକ୍ଷା ହେବ ବୋଲି ବିଜୟ ପରେ ମୁଖ୍ୟମନ୍ତ୍ରୀ ମାଣିକ ଶାହ କହିଛନ୍ତି।

ତ୍ରିପୁରାରେ ବାମପନ୍ଥୀ ଦଳ ୩୫ ବର୍ଷ ହେଲା ଶାସନ କରୁଥିଲା। ୨୦୧୮ରେ ଏଠାରେ ବାମଦଳକୁ କ୍ଷମତାଚ୍ୟୁତ ହେବାକୁ ପଡ଼ିଥିଲା। ଏଥର ଦଳ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ୁଥିଲା। ଏହି ନିର୍ବାଚନ ବାମଦଳ ଓ କଂଗ୍ରେସକୁ କେବଳ ୧୪ଟି ଆସନ ମିଳିଛି। ୨୦୧୮ ତୁଳନାରେ ଏହା ୨ କମ।

ରାଜ ପରିବାରର ସଦସ୍ୟ ପ୍ରଦ୍ୟୋତ କିଶୋର ଦେବବର୍ମାଙ୍କ ତିପ୍ରା ମୋଥା ଦଳ(ଟଏମପି) ପ୍ରଥମଥର ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲା। ତାଙ୍କ ଦଳ ବିଜେପିକୁ ଶକ୍ତ ଝଟକା ଦେବା ସହ ୧୩ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ଟିଏମପି ଗୋଟିଏ ବିରାଟ ତିପ୍ରାଲ୍ୟାଣ୍ଡ ନେଇ ଓକିଲାତି କରୁଥିବା ବେଳେ ଆଇପିଏଫଟି ପାଖରେ ଥିବା ଆଦିବାସୀ ଭୋଟଗୁଡ଼ିକୁ ଏବେ ନିଜ ପାଖକୁ ନେଇ ଆସିଛି। ତେବେ ଏଠାରେ ଆଉ କୌଣସି ଦଳ ଖାତା ଖୋଲିବାକୁ ସକ୍ଷମ ହୋଇ ନାହାନ୍ତି।

ନାଗାଲାଣ୍ଡରେ ବିଜେପି ଓ ତା’ର ସହଯୋଗୀ ଏନଡିପିପି ଏକତରଫା ବିଜୟ ହାସଲ କରିଛନ୍ତି। ଦୁଇ ଦଳ ଏଠାରେ ମିଳିତ ଭାବେ ୩୭ଟି ଆସନ ଦଖଲ କରିଛନ୍ତି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୩୧। ଦୁଇ ଦଳ ମିଳିତ ଭାବେ ସରକାର ଗଠନ ପାଇଁ ଜନମତ ପାଇଥିବାରୁ ନେଇଫିଉ ରିଓ ପୁଣିଥରେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ହେବେ। ଏନପିଏଫ ଏଠାରେ ୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ଖାତା ଖୋଲିବାକୁ ସକ୍ଷମ ହୋଇନି। ସେହିପରି ଅନ୍ୟାନ୍ୟ ଦଳ ଏଠାରେ ୨୧ଟି ଆସନ ଜିତିଛନ୍ତି।

ମେଘାଳୟରେ ସାଙ୍ଗମାଙ୍କ ଦଳ ବିଜେପି ସହ ମିଶି ସରକାର ଚଳାଉଥିଲା। ହେଲେ ଉଭୟ ଦଳ ୨୦୨୩ ନିର୍ବାଚନ ପୂର୍ବରୁ ଅଲଗା ହୋଇ ଯାଇଥିଲେ। ନିର୍ବାଚନ ପୂର୍ବରୁ ଅଲଗା ହୋଇଯାଇଥିଲେ ମଧ୍ୟ ସାଙ୍ଗମାଙ୍କ ଦଳ ୨୫ଟି ଓ ବିଜେପି ମାତ୍ର ୪ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। ଏବେ ନିର୍ବାଚନ ରେଜଲ୍ଟ ପରେ ଉଭୟ ପୁଣି ଏକାଠି ହେବାକୁ ଆଲୋଚନା ଆରମ୍ଭ କରିଥିବା ଜଣାପଡ଼ିଛି।

ମେଘାଳୟରେ ଚଳିତ ଥର ପ୍ରଥମଥର ପାଇଁ ନିର୍ବାଚନ ଲଢ଼ୁଥିବା ଟିଏମସି ୫ଟି ଆସନରେ ଜିତିବାକୁ ସକ୍ଷମ ହୋଇଛି। କଂଗ୍ରେସ ମଧ୍ୟ ୫ଟି ଆସନ ଜିତିଛି।

Related story