Advertisment

ଭୀଷଣ ରୂପ ନେଉଛି ପ୍ରତିବାଦ: ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୁଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି।

author-image
Madhupriya Mistry
Bengal Protest

Bengal Protest

ଭୀଷଣ ରୂପ ନେଉଛି କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ। ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ପାଳନ କରୁଛି ବିଜେପି।

Advertisment

ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୁଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ଆଜି ସକାଳୁ ହିଁ ଦେଖିବାକୁ ମିଳିଛି। ମୁର୍ଶିଦାବାଦରେ ଭାଗିରଥି ଏକ୍ସପ୍ରେସକୁ ଦେଢ଼ ଘଣ୍ଟା ଅଟକାଇ ଦିଆଯାଇଛି। ସେପଟେ ବ୍ୟାରକପୁର ଷ୍ଟେସନରେ ଲୋକେ ରେଲଓ୍ୱେ ଟ୍ରାକ୍‌ ଉପରେ ବସି ଧାରଣା ଦେଇଛନ୍ତି।

ଆର.ଜି କର ମେଡିକାଲ କଲେଜରେ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ପଶ୍ଚିମବଙ୍ଗରେ ବିରୋଧ ଓ ପ୍ରଦର୍ଶନ ଜାରି ରହିଛି। ଏଥିରେ ବିଜେପିର ସମସ୍ତ ନେତା ମନ୍ତ୍ରୀ ସାମିଲ ହେବେ। କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ସକାଳ ୧୧ଟାରେ ବାହୁଇହାଟିରେ ବନ୍ଦକୁ ସମର୍ଥନ କରି ପ୍ରଦର୍ଶନ କରିବେ। ରୁପା ଗାଙ୍ଗୁଲି, ଲକେଟ୍ ଚାଟାର୍ଜୀ, ଅଗ୍ନିମିତ୍ରା ପଲ୍ ଏବଂ ରାହୁଲ ସିହ୍ନା ସକାଳ ୧୦ ଟାରୁ ବିଭିନ୍ନ ସ୍ଥାନରେ ପ୍ରଦର୍ଶନ କରିବେ|

Advertisment

ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ଛାତ୍ରଛାତ୍ରୀମାନେ ନବାନ୍ନ ବା ପଶ୍ଚିମବଙ୍ଗ ସରକାରଙ୍କ ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରା କରିଥିଲେ। ଏତିକି ବେଳେ, ହାୱଡ଼ା ସାନ୍ତରାଗାଛିରେ ପୁଲିସ ସେମାନଙ୍କୁ ରୋକିବା ପାଇଁ ବ୍ୟାରିକେଡ୍ ଲଗାଇବା ସହ ପାଣିମାଡ଼, ଲୁହ ବୁହା ଗ୍ୟାସ୍ ଓ ଲାଠି ଚାର୍ଜ କରିଥିଲା।

ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ରଖିବାକୁ ଡାକରା ଦେଇଛି ବିଜେପି। କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, ଆଜି ଜୀବନଯାତ୍ରା ସ୍ୱାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର। ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ। ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ।

Bjp Protest Kolkata Rape-Murder Case BJP's Bangla Bandh Today