Advertisment

୨୦୨୬ରେ ପଶ୍ଚିମବଙ୍ଗର ପାଳି

ବିଜେପିର ଦିଲ୍ଲୀ ଦଖଲ ପରେ ଉଠିଛି ପଶ୍ଚିମବଙ୍ଗ କଥା।

author-image
Jitendra Garnayak
ଅଦ୍ୟତନ ହୋଇଛି
Suvendu Adhikari and Mamata Banarjee

Suvendu Adhikari and Mamata Banarjee

ବିଜେପିର ଦିଲ୍ଲୀ ଅଭିଯାନ ସଫଳ ହୋଇଛି। ଦଳକୁ ମିଳିଛି ବଡ଼ ସଫଳତା। ଦଳ ସେଠାରେ ସରକାର ଗଠନ କରିବ। ୨୭ ବର୍ଷ ପରେ ଦଳ ଦିଲ୍ଲୀରେ ସରକାର ଗଠନ କରିବାକୁ ଯାଉଥିବା ବେଳେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି ବରିଷ୍ଠ ନେତା ଶୁଭେନ୍ଦୁ ଅଧିକାରୀଙ୍କ ମନ୍ତବ୍ୟ।

Advertisment

ଶନିବାର ଦିଲ୍ଲୀର ଫଳାଫଳ ଆସିବା ପରେ ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ, ଦିଲ୍ଲୀ ବିଜୟ ଆମର। ୨୦୨୬ରେ ପଶ୍ଚିମବଙ୍ଗର ପାଳି।

ସେ କହିଥିଲେ, ଆପ୍‌ଦା (ଆପ୍‌) ବିଦାୟ ନେଲା। ଲୋକମାନେ ସେମାନଙ୍କୁ (ଆପ୍ ନେତାଙ୍କୁ) ଉଚିତ ଶିକ୍ଷା ଦେଲେ। କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ପୂର୍ବ ଗୌରବ ଫେରାଇ ଆଣି ପାରିବେ ଓ ଏହାକୁ ଏକ ସ୍ୱଚ୍ଛ ସହର କରିପାରିବେ। ଦିଲ୍ଲୀର ଯେଉଁ ସବୁ ଅଞ୍ଚଳରେ ଅଧିକ ସଂଖ୍ୟକ ବଙ୍ଗାଳୀ ବସବାସ କରୁଛନ୍ତି, ମୁଁ ସେଠାରେ ପ୍ରଚାର କରିଥିଲି। ସେଠାରେ ଭିତ୍ତିଭୂମି ଭାରି ଖରାପ। ସେମାନେ (ଆପ୍‌) ଦିଲ୍ଲୀକୁ ନଷ୍ଟ କରି ଦେଇଛନ୍ତି। ଅଧିକ ସଂଖ୍ୟକ ବଙ୍ଗାଳୀ ଲୋକ ବସବାସ କରୁଥିବା ଅଞ୍ଚଳରେ ବିଜେପି ସହଜରେ ବିଜୟୀ ହୋଇଛି।

Advertisment

ଶୁଭେନ୍ଦୁଙ୍କ ଭଳି ସିଲିଗୁଡ଼ି ବିଜେପି ମୁଖ୍ୟ ଅରୁଣ ମଣ୍ଡଳ କହିଛନ୍ତି, ଦିଲ୍ଲୀରେ ବସବାସ କରୁଥିବା ବଙ୍ଗାଳୀମାନେ ବିଜେପିକୁ ଭୋଟ୍ ଦେଇଛନ୍ତି। ୨୦୨୬ରେ ସେମାନଙ୍କ ପରିବାର ଲୋକେ ଏଠାରେ (ପଶ୍ଚିମବଙ୍ଗରେ) ମଧ୍ୟ ବିଜେପିକୁ ଭୋଟ୍ ଦେବେ। ୨୦୨୬ରେ ଲୋକମାନେ ଦୁର୍ନୀତି ବିରୋଧରେ ଭୋଟ୍ ଦେବେ।

ପଶ୍ଚିମବଙ୍ଗ ବିଜେପିର ସଭାପତି ତଥା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର କହିଛନ୍ତି, ଦିଲ୍ଲୀ ନିର୍ବାଚନ ଫଳାଫଳରୁ ଜଣାପଡ଼ିଛି ଯେ ଲୋକେ ବିକାଶ ଉପରେ ଭରସା କରନ୍ତି ଓ ଏହା ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ହେବାକୁ ବିଧାନସଭା ନିର୍ବାଚନ ପାଇଁ ଆମର କର୍ମକର୍ତ୍ତାଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ।

ଦିଲ୍ଲୀରେ ଆପ୍‌କୁ ସମର୍ଥନ କରିଥିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ। ଏମିତିକି ଆପ୍ ପାଇଁ ପ୍ରଚାର କରିଥିଲା ତୃଣମୂଳ କଂଗ୍ରେସ। ତେଣୁ ଆପ୍‌ର ପରାଜୟ ତୃଣମୂଳ କଂଗ୍ରେସକୁ ଧକ୍କା ଦେଇଛି। ଜଣେ ତୃଣମୂଳ କଂଗ୍ରେସ ନେତା ତାଙ୍କ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଦିଲ୍ଲୀରେ ବିଜେପି ଜିତିବା ଆଣ୍ଟି-ବିଜେପି ଫ୍ରଣ୍ଟ ପାଇଁ ଭଲ ଖବର ନୁହେଁ। ଆପ୍‌ କାହିଁକି ହାରିଲା, ତା’ର ସମୀକ୍ଷା କରାଯାଉ।

ଉଭୟ ଆପ୍ ଓ ତୃଣମୂଳ କଂଗ୍ରେସ ବିରୋଧୀଙ୍କ ମେଣ୍ଟ ‘ଇଣ୍ଡି ବ୍ଲକ୍‌’ର ସଦସ୍ୟ। ଏହି ବ୍ଲକ୍‌ର ସଦସ୍ୟ ହୋଇ ସୁଦ୍ଧା ‘ଆପ୍‌’ ଓ ‘କଂଗ୍ରେସ’ ଦିଲ୍ଲୀ ବିଧାନସଭା ନିର୍ବାଚନରେ ପୃଥକ ପୃଥକ ଭାବେ ନିର୍ବାଚନ ଲଢ଼ିଥିଲେ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ବିଜେପି ୪୮ଟିରେ ବିଜୟୀ ହୋଇଥିବା ବେଳେ ଆପ୍‌ ୨୨ଟିରେ ଜିତିଛି। କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନି।

ସୂଚନାଯୋଗ୍ୟ, ୨୦୧୧ରୁ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ସରକାର ଅଛି। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ଅଛନ୍ତି। ୨୮୮ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭା ପାଇଁ ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ବେଳେ ବିଜେପି ଏହାକୁ ଦଖଲ କରିବାକୁ ଲକ୍ଷ୍ୟ ରଖିଛି।

Bjp West Bengal Assembly Election Suvendu Adhikari Trinamool Congress